ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ଯଦି ଦୁନିଆର କୌଣସି ବ୍ୟକ୍ତିଙ୍କୁ ସର୍ବାଧିକ ଫାଇଦା ଦେଇଥାଏ ତେବେ ସେ ହେଉଛନ୍ତି ଟେସ୍‌ଲାର ମୁଖ୍ୟ ଏଲନ୍ ମସ୍କ। ନିର୍ବାଚନ ପ୍ରଚାର ବେ‌‌ଳେ ଟ୍ରମ୍ପ୍‌ଙ୍କୁ ଖୋଲା ସମର୍ଥନ ଦେଇଥିବା ଓ ତାଙ୍କ ଲାଗି ସମର୍ଥନ ଯୋଗାଡ଼ କରିବାକୁ ଭରପୁର ପ୍ରୟାସ କରିଥିବା ମସ୍କଙ୍କ ସମ୍ପତ୍ତିରେ ଗୋଟିଏ ଦିନରେ ୨,୧୯,୧୮୬ କୋଟି ଟଙ୍କା (୨୬ ବିଲିୟନ୍ ଡଲାର)ର ବୃଦ୍ଧି ହୋଇଛି। ଫଳରେ ତାଙ୍କ ମୋଟ ସମ୍ପତ୍ତି ପରିମାଣ ୨୯,୦୦୦ କୋଟି ଡଲାରକୁ ବୃଦ୍ଧି ପାଇଛି। ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ୍ ବିଜୟୀ ହେବା ପରେ ଟେସ୍‌ଲାର ସେୟାର ମୂଲ୍ୟ ୧୪.୭୫ ପ୍ରତିଶତ ବୃଦ୍ଧି ପାଇ ୨୮୮.୫୩ ଡଲାରରେ ପହଞ୍ଚିଥିଲା। ଏହାର ପ୍ରଭାବରେ ମସ୍କଙ୍କ ସମ୍ପତ୍ତିରେ ବୃଦ୍ଧି ଘଟିଛି। 

Advertisment

ନିଜର ବିଜୟୀ ଅଭିଭାଷଣରେ ମସ୍କଙ୍କୁ ଟ୍ରମ୍ପ୍ ପ୍ରଶଂସା କରିବା ପରେ ଟେସ୍‌ଲା ସେୟାର ଦାମ୍ ବଢ଼ିଥିଲା। ଟ୍ରମ୍ପ୍ ସପକ୍ଷରେ ସମର୍ଥନ ଯୋଗାଡ଼ କରିବା ଲାଗି ମସ୍କ ନିଜ ସୋସିଆଲ ମିଡିଆ ‘ଏକ୍ସ’କୁ ବ୍ୟାପକ ବ୍ୟବହାର କରିଥିବା ବେଳେ ୧୨୦ ନିୟୁତ ଡଲାର ‌ମଧ୍ୟ ଦେଇଥିଲେ। ଆମେରିକା ସରକାରରେ ମସ୍କଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଦେବା ଲାଗି ଟ୍ରମ୍ପ୍ ପ୍ରସ୍ତାବ ଦେଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ। ଟେସ୍‌ଲା ଓ ସ୍ପେସ୍‌ଏକ୍ସ ଭଳି ନିଜର ଦୁଇ ଚର୍ଚ୍ଚିତ କମ୍ପାନି ଜରିଆରେ ବ୍ୟବସାୟ ଓ ପ୍ରଯୁକ୍ତି ଦୁନିଆରେ ନିଜ ସ୍ଥିତିକୁ ବେଶ୍ ଦୃଢ଼ କରିପାରିଥିବା ମସ୍କ ଏବେ ଟ୍ରମ୍ପ୍‌ଙ୍କ ନିକଟତର ହୋଇ ଆମେରିକାର ଜଣେ ବିଶି‌‌ଷ୍ଟ ବ୍ୟକ୍ତି ଭାବେ ଉଭା ହୋଇଛନ୍ତି।