ମାର୍ଚ୍ଚରେ ସୀମାପାର ବାଣିଜ୍ୟ ଗୁରୁତର ପ୍ରଭାବିତ: ରପ୍ତାନି ୩୪.୬%, ଆମଦାନି ୨୮.୭% କମିଲା

ନୂଆଦିଲ୍ଲୀ: କରୋନା ଭୂତାଣୁ ପ୍ରଭାବରେ ସାରା ବିଶ୍ବରେ ବିଭିନ୍ନ ସାମଗ୍ରୀର ଚାହିଦା କମିଥିବା ବେଳେ ତାହା ଭାରତର ମାର୍ଚ୍ଚ ମାସ ରପ୍ତାନିକୁ ପ୍ରଭାବିତ କରିଛି। ଭାରତୀୟ ରପ୍ତାନିକାରୀମାନେ ସେମାନଙ୍କ ପାଖରେ ଥିବା ସାମଗ୍ରୀଗୁଡ଼ିକୁ ଗ୍ରାହକମାନଙ୍କ ପାଖରେ ପହଞ୍ଚାଇପାରିନାହାନ୍ତି। ସେଥିପାଇଁ ଗତ ମାର୍ଚ୍ଚରେ ଭାରତର ରପ୍ତାନି ଏକ ତୃତୀୟାଂଶ ହ୍ରାସ ପାଇଛି। ଦେଶର ବାଣିଜ୍ୟ ନିଅଣ୍ଟ ଏହି ସମୟରେ ୯୭୬ କୋଟି ଡଲାରକୁ ହ୍ରାସ ପାଇଛି। ମାର୍ଚ୍ଚ ୨୫ରେ ଲକ୍‌ଡାଉନ୍ ଘୋଷଣା କରାଯିବା ପରେ କାରଖାନାଗୁଡ଼ିକ ବନ୍ଦ ରହିବାରୁ ରପ୍ତାନିକାରୀମାନେ ବିଦେଶକୁ ପଠାଇବା ଲାଗି ସାମଗ୍ରୀ ପାଇପାରିନଥିଲେ। ତେଣୁ ବାଧ୍ୟ ହୋଇ ରପ୍ତାନି ବରାଦଗୁଡ଼ିକୁ ବାତିଲ କରିଛନ୍ତି। ଗମନାଗମନ ପ୍ରଭାବିତ ହେବା ପରେ ସେମାନଙ୍କ ପାଖରେ ସୁବିଧାରେ ଆଉ ମାଲ ପହଞ୍ଚିପାରିନାହିଁ। ବାଣିଜ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ଭାରତର ମାର୍ଚ୍ଚ ମାସ ରପ୍ତାନି ୩୪.୬ ପ୍ରତିଶତ ହ୍ରାସ ପାଇ ୨୧୪୨ କୋଟି ଡଲାରକୁ ଖସିଆସିଛି। ମାର୍ଚ୍ଚରେ ଆମଦାନି ମଧ୍ୟ ୨୮.୭% ହ୍ରାସ ପାଇ ୩୧୧୬ କୋଟି ଡଲାର ହୋଇଛି। ତୈଳ ଆମଦାନି ପରିମାଣ ୧୫% ହ୍ରାସ ପାଇ ୧୦୦୧ କୋଟି ଡଲାରକୁ ଖସିଆସିଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦାମ୍ ହ୍ରାସ ପାଇଥିବା ବେଳେ ଲକ୍‌ଡାଉନ୍‌ ଥିବାରୁ ଦେଶରେ ତେଲ ଚାହିଦା ହ୍ରାସ ପାଇଛି। ଭାରତ ଏଭଳି ଏକ ଦେଶ ଯାହା ନିଜର ୮୦% ତୈଳ ଚାହିଦା ଆମଦାନି ଜରିଆରେ ପୂରଣ କରୁଛି। ଲକ୍‌ଡାଉନ୍ ଦ୍ବାରା ସେବା କ୍ଷେତ୍ର କିଭଳି ପ୍ରଭାବିତ ହୋଇଛି ତାହାର ତଥ୍ୟ ସରକାର ଜାରି କରିନାହାନ୍ତି। ମାସକ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସେହି ତଥ୍ୟ ଜାରି କରିବ। କରୋନା ପ୍ରଭାବରେ ଭାରତର ରପ୍ତାନି ଆଗାମୀ ମାସଗୁଡ଼ିକରେ ଆହୁରି ପ୍ରଭାବିତ ହେ‌ବା ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର