ନୂଆଦିଲ୍ଲୀ: ପ୍ରତିରକ୍ଷା ଉପକରଣ ଓ ଯନ୍ତ୍ରାଂଶ ଲାଗି ଆମଦାନି ଉପରେ ରହିଥିବା ନିର୍ଭରଶୀଳତା ହ୍ରାସ କରିବା ଏବଂ ସ୍ବଦେଶୀ ଜ୍ଞାନକୌଶଳ ବ୍ୟବହାରରେ ଦେଶ ଭିତରେ ସେଗୁଡ଼ିକୁ ଅଧିକ ମାତ୍ରାରେ ଉତ୍ପାଦନ କରିବା ଲାଗି ୧୦୭ ପ୍ରକାର ପ୍ରତିରକ୍ଷା ଉପକରଣ ଆମଦାନି ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ପର୍ଯ୍ୟାୟକ୍ରମେ ଛଅ ବର୍ଷ ଭିତରେ ଲାଗୁ ହେବ। ଚଳିତ ବର୍ଷ ଡିସେମ୍ବର ଠାରୁ ଆମଦାନି ବନ୍ଦ ପ୍ରକ୍ରିୟା ଆରମ୍ଭ ହେବ। ନିର୍ଧାରିତ ସମୟ ଭିତରେ ଆମଦାନି ବନ୍ଦ କରିବା ଲକ୍ଷ୍ୟ ହାସଲ କରିବାକୁ ସରକାର ଉଦ୍ୟମ କରିବେ। ହେଲିକପ୍ଟର, ବୁଡ଼ାଜାହାଜ, ଯୁଦ୍ଧ ଜାହାଜ, ଯୁଦ୍ଧ ଟ୍ୟାଙ୍କ, କ୍ଷେପଣାସ୍ତ୍ର, ରାଡାର ଓ ଯୋଗ‌ାଯୋଗ ବ୍ୟବସ୍ଥାରେ ବ୍ୟବହାର କରାଯାଉଥିବା ଉପକରଣର ଆମଦାନି ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏବେ ଏହି ସବୁ ଉପକରଣଗୁଡ଼ିକୁ ମୁଖ୍ୟତଃ ରୁଷ୍‌ରୁ ଆମଦାନି କରାଯାଉଛି। ଗତବର୍ଷ ଡିସେମ୍ବରରେ ୨,୮୫୧ ପ୍ରକାର ପ୍ରତିରକ୍ଷା ଉପକରଣ ଆମଦାନି ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିଲା। ଉନ୍ନତ ହାଲୁକା ହେଲିକପ୍ଟର, ହାଲୁକା ଯୁଦ୍ଧ ହେଲିକପ୍ଟର, ହାଲୁକା ୟୁଟିଲିଟି ହେଲିକପ୍ଟର, ଯୁଦ୍ଧ ସମୟରେ ବ୍ୟବହାର କରାଯାଉଥିବା ଇଲେକ୍ଟ୍ରୋନିକ୍ ବ୍ୟବସ୍ଥା, ଆଷ୍ଟ୍ରା କ୍ଷେପଣାସ୍ତ୍ର, ଟି-୯୦ ଟ୍ୟାଙ୍କ ଓ ପଦାତିକ ବାହିନୀ ପାଇଁ ଯୁଦ୍ଧ ଯାନ ତିଆରି କରିବାରେ ଏହି ଉପକରଣଗୁଡ଼ିକୁ ବ୍ୟବହାର କରାଯାଉଛି। ଏଥର ଯେଉଁ ଉପକରଣଗୁଡ଼ିକର ଆମଦାନି ଉପରେ କଟକଣା ଜାରି କରାଯାଇଛି ସେଥିରୁ ୨୨ଟି ଉପକରଣକୁ ଦେଶ ଭିତରେ ତିଆରି କରିବାର ଯୋଜନା ରହିଛି। ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌ ଓ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ସହାୟତାରେ ସେଗୁଡ଼ିକୁ ତିଆରି କରାଯିବ।

Advertisment

ଜାହାଜ ଓ ବୁଡ଼ାଜାହାଜ ତିଆରିରେ ବ୍ୟବହାର କରାଯାଉଥିବା ଉପକରଣ ଓ ଉପ-ବ୍ୟବସ୍ଥାଗୁଡ଼ିକୁ ଉତ୍ପାଦନ କରିବା ଦାୟିତ୍ବ ମାଜଗାଓଁ ଡକ୍‌ ସିପ୍‌ବିଲ୍‌ଡର୍ସକୁ ପ୍ରଦାନ କରାଯିବ। ଆଷ୍ଟ୍ରା କ୍ଷେପଣାସ୍ତ୍ର ପାଇଁ ଭାରତ ଡାଇନାମିକ୍ସ ଲିମିଟେଡ୍‌ ଚାରିଟି ଉପକରଣକୁ ସ୍ବଦେଶୀ ଜ୍ଞାନକୌଶଳ ବ୍ୟବହାର କରି ପ୍ରସ୍ତୁତ କରିବ। ବିଇଏମ୍‌ଏଲ୍‌ ନାମକ ସଂସ୍ଥା ୧୨ଟି ଉପକରଣ ତିଆରି କରିବ। ସ୍ବଦେଶୀ ଜ୍ଞାନକୌଶଳ ବ୍ୟବହାରରେ ପ୍ରତିରକ୍ଷା ଉପକରଣଗୁଡ଼ିକୁ ଦେଶ ଭିତରେ ଉତ୍ପାଦନ କରିବା ଲାଗି ଅନ୍ୟାନ୍ୟ ପ୍ରତିରକ୍ଷା ପିଏସ୍‌ୟୁ ସଂସ୍ଥା ଯଥା ଗାର୍ଡେନ୍ ରିଚ୍ ସିପ୍‌ବିଲ୍‌ଡର୍ସ ଆଣ୍ଡ୍ ଇଞ୍ଜିନିୟର୍ସ, ଗୋଆ ସିପ୍‌ୟାର୍ଡ ଲିମିଟେଡ୍‌, ହିନ୍ଦୁସ୍ତାନ ସିପ୍‌ୟାର୍ଡ ଲିମିଟେଡ୍‌, ଆରମର୍‌ଡ ଭେଇକିଲ୍ ନିଗମ ଲିମିଟେଡ୍‌ ଓ ମ୍ୟୁନିସନ ଇଣ୍ଡିଆ ଲିମିଟେଡ୍‌କୁ ବ୍ୟବହାର କରାଯିବ।