ନୂଆଦିଲ୍ଲୀ: ଟିକସ ବଞ୍ଚାଇବା ଲାଗି ପ୍ଲାଟିନମ୍ ମିଶ୍ରଧାତୁ ନାଁରେ ଦେଶକୁ ବ୍ୟାପକ ସୁନା ଆମଦାନି ହେଉଥିଲା। ତାହା ଉପରେ ରୋକ ଲଗାଇବା ଲାଗି ପ୍ଲାଟିନମ୍ ମିଶ୍ରଧାତୁ ଆମଦାନିକୁ ସରକାର ନିଷିଦ୍ଧ କରିଛନ୍ତି। କେବଳ ୯୯% କିମ୍ବା ତା’ଠାରୁ ଅଧିକ ବିଶୁଦ୍ଧ ପ୍ଲାଟିନମ୍ ଆମଦାନି ପାଇଁ ଅନୁମତି ପ୍ରଦାନ କରାଯାଇଛି। ପୂର୍ବରୁ ଦେଶକୁ ଆସୁଥିବା ପ୍ଲାଟିନମ୍ ମିଶ୍ରଧାତୁରେ ନାମକୁ ମାତ୍ର ପ୍ଲାଟିନମ୍ ଓ ସିଂହଭାଗ ସୁନା ରହୁଥିଲା। ଯେହେତୁ ସୁନା ଉପରେ ଆମଦାନି ଶୁଳ୍କ ଅଧିକ, ତେଣୁ ନିୟମରେ ଥିବା ଗଳାବାଟକୁ ବ୍ୟବହାର କରି ଦେଶକୁ ବିପୁଳ ପରିମାଣର ସୁନା ଅଣାଯାଉଥିଲା। ଆଗକୁ ପ୍ଲାଟିନମ୍ ମିଶ୍ରଧାତୁ ଆମଦାନି କରିବା ଲାଗି ବୈଦେଶିକ ବ୍ୟାପାର ମହାନିର୍ଦ୍ଦେଶାଳୟ (ଡିଜିଏଫ୍ଟି)ଠାରୁ ଅନୁମୋଦନ ହାସଲ କରିବାକୁ ପଡ଼ିବ। ପୂର୍ବରୁ ମୁକ୍ତ ବର୍ଗରେ ଥିବା ଏହି ଧାତବ ପଦାର୍ଥର ଆମଦାନିକୁ ନିଷିଦ୍ଧ ବର୍ଗରେ ସାମିଲ କରାଯାଇଛି। ତେବେ ଗହଣା ନିର୍ମାତା ଓ ଶିଳ୍ପସଂସ୍ଥାଗୁଡ଼ିକର ପ୍ଲାଟିନମ୍ ଆବଶ୍ୟକତା ପୂରଣ କରିବା
ଲାଗି କେବଳ ୯୯% ବିଶୁଦ୍ଧ ପ୍ଲାଟିନମ୍ ଆମଦାନିର ଅନୁମତି ପ୍ରଦାନ କରାଯାଇଛି। କିଛି ବର୍ଷ ପୂର୍ବେ ଭାରତ ଓ ୟୁଏଇ ମଧ୍ୟରେ ସ୍ବାକ୍ଷର ହୋଇଥିବା ଏକ ବାଣିଜ୍ୟ ରାଜିନାମାରେ ସୁନା, ରୁପା, ପ୍ଲାଟିନମ ଓ ହୀରା ଆମଦାନି ଉପରେ ଶୂନ ଶୁଳ୍କ ଲାଗୁ କରାଯାଇଥିଲା। ତେଣୁ ୟୁଏଇ ବାଟ ଦେଇ ବହୁ ପରିମାଣର ସୁନା ଦେଶକୁ ଆସୁଥିଲା। ଏହି ରାଜିନାମାର ସମୀକ୍ଷା କରିବା ଲାଗି ଜିଟିଆର୍ଆଇ ନାମକ ଅର୍ଥନୈତିକ ଅନୁଷ୍ଠାନ ଦାବି କରିଆସୁଥିଲା। ଏହା ଜଣାଇଥିଲା ଯେ ଦୁବାଇରୁ ସୁନା ଆମଦାନି ବେଳେ ୫ ପ୍ରତିଶତ ଶୁଳ୍କ ଲାଗୁଛି। କିନ୍ତୁ ସୁନାରେ ମାତ୍ର ୨ ପ୍ରତିଶତ ପ୍ଲାଟିନମ୍ ମିଶାଇ ଦେଲେ ଶୁଳ୍କ ଶୂନ ହୋଇଯାଉଛି। ସୁନା, ରୁପା, ପ୍ଲାଟିନମ ମିଶ୍ରଧାତୁ ଓ ଶୁଖିଲା ଖଜୁରି ଆମଦାନିରେ ବାଣିଜ୍ୟ ରାଜିନାମାର ବ୍ୟାପକ ଅପବ୍ୟବହାର ହେବା ପରେ ଭାରତ ପକ୍ଷରୁ ଏନେଇ ୟୁଏଇକୁ ଆପତ୍ତି କରାଯାଇଥିଲା। ଭାରତର ଅନୁରୋଧକୁ ବିଚାର କରିବାକୁ ୟୁଏଇ ରାଜି ହୋଇଥିଲା।