ଚୀନ୍ ସାମଗ୍ରୀ ଉପରେ ଆମଦାନି ଶୁଳ୍କ ବଢ଼ିବ, ଶିଳ୍ପ ସଂଘଗୁଡ଼ିକୁ ତାଲିକା ମାଗିଛନ୍ତି କେନ୍ଦ୍ର ସରକାର

ଔଷଧ ଉପାଦାନ ଉପରେ ଶୁଳ୍କ ବଢ଼ିବନି

ନୂଆଦିଲ୍ଲୀ: ଚୀନ୍‌ରୁ ଆମଦାନି ହେଉଥିବା ପ୍ରାୟ ସବୁ ପ୍ରକାର ସାମଗ୍ରୀ ଉପରେ ଆମଦାନି ଶୁଳ୍କ ବଢ଼ାଇବା ଲାଗି କେନ୍ଦ୍ର ସରକାର ଗୁରୁତ୍ବର ସହ ବିଚାର କରୁଛନ୍ତି। କେଉଁ ସବୁ ସାମଗ୍ରୀ ଚୀନ୍‌ରୁ ଆସୁଛି ତାହାର ତାଲିକା ପ୍ରସ୍ତୁତ କରିବା ଲାଗି ପ୍ରୟାସ ଚାଲିଛି। ଏନେଇ ସରକାରଙ୍କ ତରଫରୁ ଦେଶର ପ୍ରମୁଖ ଶିଳ୍ପ ସଂଘ ଯଥା ସିଆଇଆଇ, ଫିକି ଓ ‌ଆସୋଚାମ୍ ଆଦି ଠାରୁ ତାଲିକା ମଗାଯାଇଛି। ତେବେ ଔଷଧ ତିଆରିରେ ବ୍ୟବହାର ହେଉଥିବା ଉପାଦାନର ଶୁଳ୍କ ବୃଦ୍ଧି କରାଯିବ ନାହିଁ ବୋଲି ଜଣାପଡ଼ିଛି।

ଗତ ସପ୍ତାହରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଶିଳ୍ପ ସଂଘଗୁଡ଼ିକୁ ଡଜନେରୁ ଅଧିକ ଇ-ମେଲ୍ ପଠାଯାଇଛି। ୨୦୧୯-୨୦ରେ ଚୀନ୍‌ରୁ ୪୭୪୦୦ କୋଟି ଡଲାରର ସାମଗ୍ରୀ ଭାରତ ଆସିଥିଲା। ଏହା ବ୍ୟତୀତ ହଂକଂରୁ ମଧ୍ୟ ୧୬୯୦ କୋଟି ଡଲାରର ସାମଗ୍ରୀ ଆସିଥିଲା। ଚୀନ୍‌ରୁ ଅଧିକ ପରିମାଣର ଇଲେକ୍‌ଟ୍ରିକାଲ୍ ମେସିନ ଏବଂ ଉପକରଣ ମଗାହେଉଛି। ଏହା ବାଦ ଆଣବିକ ରିଆକ୍ଟର, ବଏଲର, ମେସିନ ଓ ମେକାନିକାଲ୍ ପାର୍ଟସ୍‌ ମଧ୍ୟ ବିପୁଳ ମାତ୍ରରେ ଆମଦାନି କରାଯାଉଛି। ଗତ ଆର୍ଥିକ ବର୍ଷରେ ଚୀନ୍‌ରୁ ୭୯୦ କୋଟି ଡଲାରର ଜୈବିକ ରାସାୟନିକ ସାମଗ୍ରୀ, ୨୭୦ କୋଟି ଡଲାରର ପ୍ଲାଷ୍ଟିକ୍ ସାମଗ୍ରୀ ଓ ୧୮୦ କୋଟି ଡଲାରର ସାର ମଗାଯାଇଥିଲା। ଖେଳନା ଠାରୁ ଆରମ୍ଭ କରି ଇସ୍ପାତ ଓ ଆଲୁମିନିୟମ ପର୍ଯ୍ୟନ୍ତ କେଉଁ ସବୁ ସାମଗ୍ରୀ ଚୀନ୍‌ରୁ ମଗାହେଉଛି ତାହାର ତାଲିକା ଦେବା ଲାଗି ଆମ ପାଖକୁ ଇ-ମେଲ୍ ଆସିଛି ବୋଲି ଏକ ଶିଳ୍ପ ସଂଘର ଜଣେ କର୍ମଚାରୀ କହିଛନ୍ତି। ଯେଉଁ ସବୁ ସାମଗ୍ରୀ ଚୀନ୍‌ରୁ ଆସୁଛି ତାହା ଉପରେ ଆମଦାନି ଶୁଳ୍କ ବୃଦ୍ଧି କରିବାର କ’ଣ ସୁଯୋଗ ରହିଛି? ଦେଶ ଭିତରେ ସେହି ସବୁ ସାମଗ୍ରୀ କେତେ ପରିମାଣର ଉତ୍ପାଦନ ହେଉଛି? ଅନ୍ୟ ଦେଶରୁ ଏହି ସାମଗ୍ରୀ ମଗାଇ ହେବ ନା ନାହିଁ? ଚୀନ୍‌ ଉପରେ ଆମ ଦେଶର କଂପାନିଗୁଡ଼ିକ କେତେ ନିର୍ଭରଶୀଳ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ସରକାର ଚାହୁଛନ୍ତି। ତାଇୱାନ, ସିଙ୍ଗାପୁର, ମାଲେସିଆ ଓ ଇଣ୍ଡୋନେସିଆରୁ କେଉଁ ସବୁ ସାମଗ୍ରୀ ଆମଦାନି ହେଉଛି ତାହା ଜାଣିବା ଲାଗି ମଧ୍ୟ ସରକାର ପ୍ରୟାସ କରୁଛନ୍ତି। ଔଷଧ ପ୍ରସ୍ତୁତି ଲାଗି ଚୀନ୍‌ରୁ ବିପୁଳ ପରିମାଣର ଉପାଦାନ ଆସୁଛି। ଏହା ଉପରେ ଶୁଳ୍କ ବଢ଼ାଇବା ବିଷୟରେ ସରକାର ବିଚାର କରୁନାହାନ୍ତି। କିଛି ଦିନ ତଳେ ରାସାୟନିକ ଓ ସାର ମନ୍ତ୍ରୀ ଡି ଭି ସଦାନନ୍ଦ ଗୌଡ଼ା ସଂସଦରେ କହିଥିଲେ ଯେ, ଔଷଧ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ଦୁଇ ତୃତୀୟାଂଶ ଉପାଦାନ ଚୀନ୍‌ରୁ ଆସୁଛି। ଔଷଧ ତିଆରିରେ ବ୍ୟବହାର ହେଉଥିବା ୯୦ ପ୍ରତିଶତ ଉପାଦାନକୁ ଭାରତ ଆମଦାନି କରୁଛି।

ଗଲ୍‌ୱାନ ସୀମାରେ ଭାରତ ଓ ଚୀନ୍‌ ସେନା ମଧ୍ୟରେ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ପରେ ଦେଶରେ ଚୀନ୍ ବିରୋଧୀ ସ୍ଥିତି ସୃଷ୍ଟି ହୋଇଛି। ଚୀନ୍ ସାମଗ୍ରୀ ବର୍ଜନ ଦାବି ଜୋର ଧରିଛି। ଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଚଳିତ ମାସ ୧୦ ତାରିଖରୁ ଚୀନ୍ ସାମଗ୍ରୀ ବିରୋ‌ଧରେ ସର୍ବଭାରତୀୟ ଅଭିଯାନ ଆରମ୍ଭ କରାଯାଇଛି। ବିଭିନ୍ନ ସ୍ଥାନରେ ଚୀନ୍ ସାମଗ୍ରୀ ପୋଡ଼ା ଯାଉଛି। ଚୀନ୍‌ରୁ ୩୦୦୦ ପ୍ରକାର ସାମଗ୍ରୀର ଆମଦାନି ବନ୍ଦ କରିବା ଲାଗି ବ୍ୟବସାୟୀ ସଂଘ ଆହ୍ବାନ ଦେଇଛି।

ସମ୍ବନ୍ଧିତ ଖବର