ଟେସ୍‌ଲା ପାଇଁ ଆମଦାନି ଟିକସ ୪୦% କମିବ, ପ୍ରସ୍ତାବକୁ ମର୍ସିଡିସ୍‌ର ସମର୍ଥନ

ନୂଆଦିଲ୍ଲୀ: ଆମେରିକାର ଇଲେକ୍ଟ୍ରିକ୍ ଯାନ ନିର୍ମାତା ଟେସ୍‌ଲା ପାଇଁ କେନ୍ଦ୍ର ସରକାର ଟିକସ କମ୍ କରିବା ଉପରେ ବିଚାର କରୁଛନ୍ତି। ଆମଦାନି ହେଉଥିବା ୪୦ ହଜାର ଡଲାରରୁ ଅଧିକ ମୂଲ୍ୟର କାର୍‌ ଉପରେ ଆମଦାନି ଶୁଳ୍କକୁ ୬୦%ରୁ ହ୍ରାସ କରି ୪୦% କରିବ‌ା ଓ ଇଲେକ୍ଟ୍ରିକ୍ ଯାନ ଆମଦାନି ଟିକସକୁ ୧୦୦%ରୁ ହ୍ରାସ କରି ୬୦% କରିବା ଉପରେ ସରକାର ବିଚାର କରୁଛନ୍ତି।

ଭାରତ ହେଉଛି ବିଶ୍ବର ପଞ୍ଚମ ବଡ଼ କାର୍ ବଜାର। ଏଠାରେ ବର୍ଷକୁ ୩୦ ଲକ୍ଷରୁ ଅଧିକ କାର୍ ବିକ୍ରି ହେଉଛି। କିନ୍ତୁ ଅଧିକାଂଶ କାର୍‌ର ଦାମ୍ ୨୦,୦୦୦ ଡଲାରରୁ କମ୍ ରହିଛି। ଇଲେକ୍ଟ୍ରିକ୍ ଯାନ ସଂଖ୍ୟା ଏବେ ନଗଣ୍ୟ ରହିଛି। ତେବେ ଟେସ୍‌ଲା ଆସିଲେ ଭାରତର ଛବିରେ ଉନ୍ନତି ହେବ‌ ବୋଲି ଆଶା କରାଯାଉଛି। ସେଥିପାଇଁ ଏହି କଂପାନି ଲାଗି ସରକାର ଟିକସ କମ୍ କରିବାକୁ ଚାହୁଛନ୍ତି। ଯେ‌ହେତୁ ୪୦ ହଜାର ଡଲାରରୁ ଅଧିକ ମୂଲ୍ୟର କାର୍‌ କମ୍ ବିକ୍ରି ହେଉଛି ତେଣୁ ସେହି ବର୍ଗ ଲାଗି ଟିକସ ହ୍ରାସ କଲେ ଏତେଟା ପ୍ରଭାବ ମଧ୍ୟ ପଡ଼ିବ ନାହିଁ। ତେବେ ଟେସ୍‌ଲା ଗାଡ଼ି ଆମଦାନି ଲାଗି ଅନୁମତି ଦେବା କେତେ ଯୁକ୍ତିଯୁକ୍ତ ତାହା ବିତର୍କର ପ୍ରସଙ୍ଗ ହୋଇଛି। ଦେଶ ଭିତରେ ଇଲେକ୍ଟ୍ରିକ୍ ଯାନ ଉତ୍ପାଦନ ବଢ଼ାଇବା ଲାଗି ସରକାର ପ୍ରୋତ୍ସାହନ ଦେଉଛନ୍ତି। ଏଭଳି ସମୟ‌ରେ ଟେସ୍‌ଲା ଭଳି କଂପାନିକୁ ଟିକସ ରିହାତି ପ୍ରଦାନ କରାଗଲେ ଦେଶରେ ଥିବା କଂପାନିଗୁଡ଼ିକ ନିରୁତ୍ସାହିତ ହୋଇପାରନ୍ତି ବୋଲି କୁହାଯାଉଛି।

ଗତ ମାସରେ ଟେସ୍‌ଲାର ମୁଖ୍ୟ ଏଲନ୍ ମସ୍କ ଟ୍ବିଟର୍‌ରେ ଜଣାଇଥିଲେ ଯେ ଭାରତରେ କାରଖାନା ବସାଇବାର ସମ୍ଭାବନା ରହିଛି। କିନ୍ତୁ ଯଦି ଗାନି ଆମଦାନି ସଫଳ ହେବ ତେବେ ଆମେ ଏହା ଉପରେ ବିଚାର କରିବୁ। କିନ୍ତୁ ଭାରତରେ ଟିକସ ମାତ୍ରା ବହୁତ ଅଧିକ ରହିଛି। ଯେହେତୁ କେବଳ ଇଲେକ୍ଟ୍ରିକ୍ ଯାନ ଆମଦାନି ପାଇଁ ଟିକସ ହ୍ରାସ କରିବା ଉପରେ ବିଚାର କରାଯାଉଛି ତେଣୁ ଦେଶ ଭିତରେ କାରଖାନା ସ୍ଥାପନ କରି ପେଟ୍ରୋଲ୍ ଓ ଡିଜେଲ୍‌ରେ ଚାଲୁଥିବା କାର୍‌ ନିର୍ମାଣ କରୁଥିବା ସଂସ୍ଥାଗୁଡ଼ିକ ବିଶେଷ ପ୍ରଭାବିତ ହେବେ ନାହିଁ ବୋଲି କୁହାଯାଉଛି। ଦୁଇ ବିଦେଶୀ ଗାଡ଼ି ନିର୍ମାତା ମର୍ସିଡିସ୍‌-ବେଞ୍ଜ୍‌ ଓ ଅଡି ବହୁ ଦିନରୁ ଆମଦାନି ଶୁଳ୍କ ହ୍ରାସ କରିବା ଲାଗି ଦାବି କରୁଛନ୍ତି। ମାତ୍ର ସ୍ଥାନୀୟ କଂପାନିଗୁଡ଼ିକ ପ୍ରବଳ ବିରୋଧ ଯୋଗୁଁ ସରକାର ଟିକସ କମ୍ କରୁନାହାନ୍ତି। ସେଥିପାଇଁ ଦେଶର ବିଳାସପୂର୍ଣ୍ଣ ବଜାର ଏତେ ବହୁତ ଛୋଟ ହୋଇ ରହିଛି। ବର୍ଷକୁ ଦେଶରେ ମାତ୍ର ୩୫ ହଜାର ବିଳାସପୂର୍ଣ୍ଣ କାର୍ ବିକ୍ରି ହେଉଛି। ଟେସ୍‌ଲାର ଇଲେକ୍ଟ୍ରିକ୍ କାର୍‌ ବିଳାସପୂର୍ଣ୍ଣ ବର୍ଗରେ ଆସିବ। ‌ମର୍ସିଡିସ୍‌, ଜାଗୁଆର ଲ୍ୟାଣ୍ଡ୍ରୋଗର ଓ ଅଡି ଏବେ ଆମଦାନି କରି ବିଳାସପୂର୍ଣ୍ଣ ଇଭି ବିକ୍ରି କରୁଛନ୍ତି। ଟିକସ କମ୍ କରିବା ଲାଗି ଟେସ୍‌ଲା ଦେଇଥିବା ପ୍ରସ୍ତାବକୁ ମର୍ସିଡିସ୍‌ ଓ ହୁଣ୍ଡାଇ ସମର୍ଥନ କରିଥିବା ବେଳେ ଟାଟା ମୋଟର୍ସ ଓ ଓଲା ଇଲେକ୍ଟ୍ରିକ୍ ବିରୋଧ କରିଛନ୍ତି।

ସମ୍ବନ୍ଧିତ ଖବର