ଇସ୍ପାତ ଶିଳ୍ପକୁ ରପ୍ତାନି କୈନ୍ଦ୍ରିକ କରିବା ଉପରେ ଗୁରୁତ୍ବ: ଧର୍ମେନ୍ଦ୍ର

ଭୁବନେଶ୍ବର : ଦେଶକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ତାହା ହାସଲ କରିବା ଦିଗରେ ଦେଶର ଭିତ୍ତିଭୂମି ବିକାଶ ଏକମାତ୍ର ଚାବିକାଠି। ଏକବିଂଶ ଶତାବ୍ଦୀରେ ଭାରତର ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ ପାଇଁ ସରକାର ଗୁରୁତ୍ବ ଦେଉଛନ୍ତି ବୋଲି ଭାରତୀୟ ଇସ୍ପାତ ସଂଘ (ଆଇଏସ୍‌ଏ) ପକ୍ଷରୁ ଆୟୋଜିତ ୱେବିନାର୍‌ରେ ଯୋଗ‌ ଦେଇ କେନ୍ଦ୍ର ପେଟ୍ରୋଲିୟମ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଇସ୍ପାତ ଶିଳ୍ପକୁ ରପ୍ତାନି କୈନ୍ଦ୍ରିକ କରିବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି। ବୃହତ ଘରୋଇ ବଜାର ଏବଂ ବିଭିନ୍ନ ରପ୍ତାନି ସମ୍ଭାବନା ସହ ଆମ ଇସ୍ପାତ କ୍ଷେତ୍ର ଅଧିକ ଅଭିବୃଦ୍ଧି, ବିଶ୍ବ ପ୍ରତିଯୋଗିତା ଏବଂ ରପ୍ତାନି କୈନ୍ଦ୍ରୀକ ହୋଇପାରିବ ବୋଲି ସେ କହିଛନ୍ତି। ‘ଇସ୍ପାତ ନିର୍ମାଣ ଓ ଭିତ୍ତିଭୂମି ପାଇଁ ନୂଆ ସୁଯୋଗ’ ଶୀର୍ଷକ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ସେ କହିଛନ୍ତି ଯେ କୋଭିଡ୍‌-୧୯ ଆମ ପାଇଁ ଅନେକ ଆହ୍ବାନ ସୃଷ୍ଟି କରିଥିବା ବେଳେ ଭାରତ ଏହାକୁ ସୁଯୋଗରେ ପରିଣତ କରିଛି। ରାସ୍ତା, ରେଳ, ଘର ନିର୍ମାଣ, ତୈଳ ଓ ଗ୍ୟାସ୍‌ ଭିତ୍ତିଭୂମିକୁ ଅଧିକ ମଜଭୂତ କରାଯାଉଛି। ଆତ୍ମନିର୍ଭର ଭାରତରେ ୨୦ ଲକ୍ଷ କୋଟିର ପ୍ୟାକେଜ୍‌ ଦେଶର ସାମଗ୍ରିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଇସ୍ପାତ କ୍ଷେତ୍ର ପାଇଁ ନୂଆ ସୁଯୋଗ ଆଣିଦେଇଛି।

ସମ୍ବନ୍ଧିତ ଖବର