ନୂଆଦିଲ୍ଲୀ: ଚୀନ୍ରୁ ଆସୁଥିବା ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଆମଦାନି କମ୍ କରିବା ଲାଗି କେନ୍ଦ୍ର ସରକାର ଏକ ସ୍ବତନ୍ତ୍ର ଯୋଜନା ଉପରେ କାମ କରୁଛନ୍ତି। ଦୁଇ ଦେଶ ମଧ୍ୟରେ ବ୍ୟବସାୟରେ ରହିଥିବା ଅନ୍ତରକୁ ଦୂର କରିବା ହେଉଛି ଏହାର ମୁଖ୍ୟ ଲକ୍ଷ୍ୟ। ବର୍ତ୍ତମାନ ଚୀନ୍କୁ ଭାରତ କମ୍ ସାମଗ୍ରୀ ପଠାଉଥିବା ବେଳେ ସେଠାରୁ ବିପୁଳ ସାମଗ୍ରୀ ଆମଦାନି କରୁଛି। ଫଳରେ ଚୀନ୍ ଲାଭରେ ରହୁଥିବା ବେଳେ ଭାରତକୁ ଏଥିପାଇଁ ବିପୁଳ ବିଦେଶୀ ମୁଦ୍ରା ହରାଇବାକୁ ପଡ଼ୁଛି।
ଚୀନ୍ରୁ ଆମଦାନି କିଭଳି କମ୍ କରିହେବ ସେବିଷୟରେ ଆଲୋଚନା କରିବା ଲାଗି ଗତ ସପ୍ତାହରେ ବାଣିଜ୍ୟ ମନ୍ତ୍ରାଳୟ ସମେତ ୧୮ଟି ମନ୍ତ୍ରାଳୟ ମିଶି ଏକ ବୈଠକ କରିଥିଲେ। ଚୀନ୍ ଆମଦାନି ଉପରେ ଟିକସ ଲଗାଇବା ଏବଂ ଅନ୍ୟାନ୍ୟ ଅଣ ଟିକସ ପଦକ୍ଷେପ ବିଷୟରେ ବୈଠକରେ ଆଲୋଚନା ହୋଇଛି। ୨୦୨୦ରେ ଲଦାଖ୍ର ଗଲ୍ୱାନ ଘାଟିରେ ଚୀନ୍ ସେନା ସହ ସଂଘର୍ଷ ଘଟି ୨୦ ଭାରତୀୟ ଯବନା ସହିଦ ହେବା ପରେ ଚୀନ୍ ସହ ସମ୍ପର୍କକୁ ଯଥା ସମ୍ଭବ କମ୍ କରିବା ଲାଗି ଭାରତ ଉଦ୍ୟମ କରୁଛି।
ଯେହେତୁ ଭାରତରେ ତିଆରି ହେଉଛି ଔଷଧ, ଇଲେକ୍ଟ୍ରିକ୍ ଉପକରଣର ଗୁରୁତ୍ବପୂର୍ଣ୍ଣ କଞ୍ଚାମାଲ ଏବଂ ରାସାୟନିକ ପଦାର୍ଥ ଚୀନ୍ରୁ ଆମଦାନି ହେଉଛି, ତେଣୁ ଚୀନ୍ ଉପରେ କୌଣସି କଟକଣା ଲଗାଇବା ଭାରତ ପାଇଁ ସମ୍ଭବ ହେଉନାହିଁ। ଏବେ ଚୀନ୍ରୁ ଆସୁଥିବା ସାମଗ୍ରୀଗୁଡ଼ିକୁ ଅନ୍ୟ କେଉଁ ଦେଶରୁ ଅଣାଯାଇପାରିବ ତାହା ଉପରେ ବିଚାରବିମର୍ଶ ଚାଲିଛି। ଭାରତୀୟ ନିର୍ମାତାମାନେ ସର୍ବଦା ଅଭିଯୋଗ କରନ୍ତି ଯେ ଚୀନ୍ର ନିମ୍ନ ମାନର ସାମଗ୍ରୀ ଭାରତରେ ପ୍ରବେଶ କରୁଛି। ଏଭଳି ପରିସ୍ଥିତିରେ ଆଣ୍ଟି ଡମ୍ପିଂ ଟିକଟ ଲଗାଇ ତାହାର ମୁକାବିଲା କରାଯାଏ। କୌଣସି ସାମଗ୍ରୀ ଭାରତକୁ ଆଣିବା ପୂର୍ବରୁ ତାହା ଭାରତୀୟ ମାନଦଣ୍ଡ ପୂରଣ କରୁଛି ନା ନାହିଁ ତାହା ଯାଞ୍ଚ କରାଯାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/import-and-export.jpg)