ଖେଳନା, ଆସବାବପତ୍ର ଆମଦାନି ଉପରେ କଟକଣା ଲାଗିବ; ଆତ୍ମନିର୍ଭର ହେବା ସୁଯୋଗ

ନୂଆଦିଲ୍ଲୀ: ବ୍ୟବସାୟ କ୍ଷେତ୍ରରେ ଚୀନ୍‌କୁ ଚାରିଆଡ଼ୁ ଘେରିବା ଲାଗି ଭାରତ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଆମଦାନି କଟକଣା ତାଲିକାରେ ଆଉ କିଛି ପ୍ରକାର ସାମଗ୍ରୀ ଯୋଡ଼ିବାର ଯୋଜନା ରହିଛି। ବିଶେଷ କରି ଖେଳନା, ଆସବାବପତ୍ର ଓ କ୍ରୀଡ଼ା ସାମଗ୍ରୀକୁ ଖୁବ୍‌ଶୀଘ୍ର ଏହି ତାଲିକାରେ ସାମିଲ କରାଯିବ। ଏହି ସବୁ ସାମଗ୍ରୀ ପ୍ରତିବର୍ଷ ବିପୁଳ ପରିମାଣରେ ଭାରତକୁ ଆସୁଛି।  ଚୀନ୍‌କୁ ନଜରରେ ରଖି ନିିକଟରେ ଟାୟାର ଓ ରଙ୍ଗିନ ଟିଭି ଆମଦାନି ଉପରେ କଟକଣା ଲଗାଯାଇଛି। ଯେଉଁ ସବୁ ସାମଗ୍ରୀକୁ ସରକାର ‘ବର୍ଜିତ’ ବର୍ଗରେ ସାମିଲ କରିବେ ସେଗୁଡ଼ିକର ଆମଦାନି କରିବାକୁ ହେଲେ ଆମଦାନିକାରୀଙ୍କୁ ଲାଇସେନ୍ସ ନେବାକୁ ପଡ଼ିବ। ଯଦି ଖେଳନା, ଆସବାବପତ୍ର ଓ ସ୍ପୋର୍ଟସ୍‌ ଗିୟରକୁ ଏହି ବର୍ଗରେ ସାମିଲ କରାଯିବ ତେବେ ସେଗୁଡ଼ିକୁ ବିଦେଶରୁ ଭାରତ ଆଣିବାକୁ ହେଲେ ଲାଇସେନ୍ସ ଦରକାର ପଡ଼ିବ। ଅନ୍ୟ କିଛି ସାମଗ୍ରୀର ଆମଦାନି ଶୁଳ୍କକୁ ସରକାର ବଢ଼ାଇବା ଉପରେ ବିଚାର କରୁଛନ୍ତି। ଆମଦାନି ଶୁଳ୍କ ବଢ଼ିଲେ ସେହି ସବୁ ସାମଗ୍ରୀଗୁଡ଼ିକର ମୂଲ୍ୟ ଭାରତରେ ଉପଲବ୍ଧ ହେଉଥିବା ସାମଗ୍ରୀ ଠାରୁ ଅଧିକ ହୋଇଯିବ। ତେଣୁ ଆମଦାନିକାରୀମାନେ ତାହାକୁ ବାହାରୁ ଆଣିଲେ ବ୍ୟବସାୟରେ ଲାଭ ପାଇବେ ନାହିଁ। ତେଣୁ ସେମାନେ ସେହିସବୁ ସାମଗ୍ରୀ ଆମଦାନି କରିବାରୁ ପଛଘୁଞ୍ଚା ଦେବେ।

ଭାରତ ସରକାର ବିଭିନ୍ନ ଦେଶ କିମ୍ବା ରାଷ୍ଟ୍ର ସମୂହ ସହିତ ସ୍ବାକ୍ଷର କରିଥିବା ମୁକ୍ତ ବାଣିଜ୍ୟ ରାଜିନାମା ଜରିଆରେ ନିମ୍ନ ମାନର ଓ ସୁଲଭ ମୂଲ୍ୟର ସାମଗ୍ରୀ ଦେଶକୁ ସହଜରେ ପ୍ରବେଶ କରୁଥିବା ଅନୁମାନ କରାଯାଉଛି। ରାଜିମାନା ଯୋଗୁଁ ଟିକସ ପରିମାଣ ବଢ଼ାଇ‌ ଏହି ସାମଗ୍ରୀଗୁଡ଼ିକର ଆମଦାନିକୁ କମ୍ କରାଯାଇପାରିବ ନାହିଁ। ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ) ନିର୍ଧାରଣ କରିଥିବା ସୀମା ଭିତରେ ହିଁ ଭାରତ ଏହାର ଟିକସ ବଢ଼ାଇପାରିବ। ତେଣୁ, ଆମଦାନି ନିରୁତ୍ସାହିତ କରିବା ଲାଗି ସରକାରଙ୍କ ପାଖରେ ଥିବା ଏକମାତ୍ର ବିକଳ୍ପ ହେଉଛି ଲାଇସେନ୍ସ।

ଆତ୍ମନିର୍ଭର ହେବା ଲାଗି ସରକାର ୨୦ଟି ପ୍ରମୁଖ କ୍ଷେତ୍ର ଚୟନ କରିଛନ୍ତି। ଟିଭି, ଏସି, ସିସିଟିଭି, ରେଡି ଟୁ ଇଟ୍‌ ସାମଗ୍ରୀ, ଇଲେକ୍ଟ୍ରିକ୍ ଯାନ, ସେଟ୍‌-ଟପ୍ ବକ୍ସ, ଇଥାନଲ୍‌, ଜୈବ ଇନ୍ଧନ, ଇସ୍ପାତ, ଆଲୁମିନିୟମ, ତମ୍ବା, ବୟନ ସାମଗ୍ରୀ, ଗାଡ଼ି ନିର୍ମାଣରେ ବ୍ୟବହାର ହେଉଥିବା ସରଞ୍ଜାମ ଓ ଚମଡ଼ା ଜୋତା ଆଦି କ୍ଷେତ୍ରରେ ଭାରତ ନିଜ ଦେଶର ଆବଶ୍ୟକତା ପୂରଣ କରିପାରିବ। ଏହି ସବୁ କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ କରିବାର ମଧ୍ୟ ସୁଯୋଗ ରହିଛି ବୋଲି ଜଣାପଡ଼ିଛି।

ଆମଦାନି କଟକଣାକୁ ନେଇ ସରକାର ଏକଚାଟିଆ ନିଷ୍ପତ୍ତି ନେବାକୁ ଚାହୁନାହାନ୍ତି। କେଉଁ ସବୁ କ୍ଷେତ୍ରରେ ଆମଦାନି କମ୍ କରାଯାଇପାରିବ ତାହାକୁ ନେଇ ଶିଳ୍ପ ପ୍ରତିନିଧିଙ୍କ ସହ ଆଲୋଚନା କରୁଛନ୍ତି। ଯେଉଁ ସବୁ କ୍ଷେତ୍ରରେ ଦେଶର ଆବଶ୍ୟକତା ପୂରଣ ହୋଇପାରିବା ଭଳି ଉତ୍ପାଦନର ସୁଯୋଗ ରହିଛି ସେହି ସବୁ କ୍ଷେତ୍ରର ଆମଦାନି କମ୍ କରିବା ଉପରେ ସରକାର ବିଚାର କରୁଛନ୍ତି।
ପ୍ରତି ମାସରେ ଦେଶକୁ ୬୦୦-୭୦୦ କୋଟି ଟଙ୍କାର ଟିଭି ଆମଦାନି ହେଉଛି। ରଙ୍ଗିନ ଟିଭି ଆମଦାନି ଉପରେ କଟକଣା ଲଗାଯିବା ପରେ ସାମସଙ୍ଗ, ଭୁ, ଶାଓମି, କ୍ଲାଉଡ୍‌ଟେଲ୍‌ ଓ ଆମାଜନ୍ ଭଳି ସଂସ୍ଥା ଚିନ୍ତିତ ହୋଇପଡ଼ିଛନ୍ତି। ଅଧିକାଂଶ ଟିଭି ଭିଏତନାମ୍ ଓ ଚୀନ୍‌ରୁ ଆମଦାନି କରାଯାଉଛି। ଟିଭି କିଣିବା ଲାଗି ଯେଉଁ ସଂସ୍ଥାଗୁଡ଼ିକ ଆଗୁଆ ବରାଦ ଦେଇଥିଲେ ସେମାନେ ଚିନ୍ତିତ ହୋଇପଡ଼ିଛନ୍ତି।

ସମ୍ବନ୍ଧିତ ଖବର