ପଶୁ ସମ୍ପଦ, ମତ୍ସ୍ୟ ଚାଷ ଉପରେ ଧ୍ୟାନ ଦେବାକୁ ପଡ଼ିବ

ଭୁବନେଶ୍ୱର: କୃଷି କ୍ଷେତ୍ରରେ ଉନ୍ନତି ଆଣିବାକୁ ହେଲେ ପଶୁ ସମ୍ପଦ ଓ ମତ୍ସଚାଷ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି। ୨୦୧୮-୧୯ରେ କୃଷି ଓ ଆନୁଷଂଗିକ କ୍ଷେତ୍ର ୮.୩% ଅଭିବୃଦ୍ଧି ହାସଲ କରିଛି। ପଶୁ ସମ୍ପଦ ଓ ଦୁଗ୍ଧଜାତ ସାମଗ୍ରୀ ବ୍ୟବହାରରେ ପରିବର୍ତନ ଅଣାଯାଇପାରିଲେ କୃଷି କ୍ଷେତ୍ରର ଆହୁରି ବିକାଶ ହୋଇପାରିବ ବୋଲି ରିପୋର୍ଟରେ କୁହାଯାଇଛି। ରାଜ୍ୟରେ ମାଛ ଓ ଚିଙ୍ଗୁଡ଼ି ଉତ୍ପାଦନରେ ରେକର୍ଡ ବୃଦ୍ଧି ହୋଇଛି। ୨୦୧୮-୧୯ରେ ମାଛ ଉତ୍ପାଦନ ୧୬.୭% ବୃଦ୍ଧି ପାଇ ୬.୮୫ ଲକ୍ଷ ଟନ୍ ହୋଇଥିବା ବେଳେ ଚିଙ୍ଗୁଡ଼ି ଉତ୍ପାଦନରେ ୩୧.୧୫% ବୃଦ୍ଧି ହୋଇଛି। ଚାଷ ଉପରେ ନିର୍ଭରଶୀଳ ଲୋକମାନଙ୍କ ଆୟରେ ବୃଦ୍ଧି ଆଣିବାକୁ ହେଲେ ଫସଲ କିସମରେ ବିବିଧତା ଆଣିବାକୁ ହେବ, ଜଳସେଚନରେ ଅଧିକ ପୁଂଜିନିବେଶ, କୃଷି କ୍ଷେତ୍ରରେ ଅଧିକ ବିଦ୍ୟୁତ ବ୍ୟବହାର, ହାଇବ୍ରିଡ୍ ବିହନର ବ୍ୟବହାର, ଅର୍ଗାନିକ ଫାର୍ମିଂ, ମାର୍କେଟିଂ ଭିତ୍ତିଭୂମି ଓ ସାର ବ୍ୟବହାରର ପ୍ରସାର କରିବାକୁ ପଡ଼ିବ ବୋଲି ସର୍ଭେରେ କୁହାଯାଇଛି। ସ୍ବଳ୍ପ ବୃଷ୍ଟିପାତ, ମରୁଡ଼ି ଓ ରୋଗପୋକ ଆକ୍ରମଣ ଯୋଗୁ ୨୦୧୭-୧୮ରେ କୃଷି ଉତ୍ପାଦନ କମିଥିଲା। ଏହି ବର୍ଷ ମୋଟ ଖାଦ୍ୟଶସ୍ୟ ଉତ୍ପାଦନ ୮.୫ ଲକ୍ଷ ଟନ୍‌କୁ ଖସି ଆସିଥିଲା। ୨୦୧୬-୧୭ରେ ରାଜ୍ୟରେ ୧୧.୭ ଲକ୍ଷ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିଲା। ୨୦୧୮-୧୯ରେ କିନ୍ତୁ ସ୍ଥିତିରେ ଉନ୍ନତି ହୋଇଛି ଆନୁଷଂଗିକ କ୍ଷେତ୍ରର ପ୍ରଦର୍ଶନ ଭଲ ରହିଛି। ଯେତେବେଳେ ୨୦୧୫-୧୬ ଓ ୨୦୧୭-୧୮ରେ ରାଜ୍ୟର ମରୁଡ଼ି ହୋଇଥିଲା ସେତେବେଳେ ଆନୁଷଂଗିକ କ୍ଷେତ୍ର ହିଁ ଆଗକୁ ବଢ଼ିବାର ବାଟ ଦେଖାଇଥିଲା।ପଶୁ ସମ୍ପଦ କ୍ଷେତ୍ର ୭.୫%, ମତ୍ସ୍ୟ ଚାଷ ୧୭.୧୮%ର ଅଭିବୃଦ୍ଧି ହାସଲ କରିଥିଲା। ତେଣୁ ଏହି କ୍ଷେତ୍ର ଉପରେ ରାଜ୍ୟକୁ ଅଧିକ ଧ୍ୟାନ ଦେବାକୁ ପଡ଼ିବ ବୋଲି ସର୍ଭେରେ କୁହାଯାଇଛି। ରାଜ୍ୟରେ ଏବେବି ସର୍ବାଧିକ ଲୋକଙ୍କୁ ନିୟୋଜନ ପ୍ରଦାନ କରିବା କ୍ଷେତ୍ରରେ କୃଷି କ୍ଷେତ୍ର ଆଗରେ ରହିଛି। ରାଜ୍ୟର ୪୮.୮୮% ଶ୍ରମ ଶକ୍ତି କୃଷି କ୍ଷେତ୍ରରେ ନିୟୋଜିତ ହୋଇଛନ୍ତି। ଗ୍ରାମାଞ୍ଚଳର ୫୬% ଲୋକ କୃଷି କ୍ଷେତ୍ରରେ ନିୟୋଜିତ ହୋଇଛନ୍ତି। ରାଜ୍ୟରେ ଚାଷ ହେଉଥିବା ଜମି ପରିମାଣ କମିବାରେ ଲାଗିଛି। ଧାନ ଚାଷ ହେଉଥିବା ଜମି ପରିମାଣ ୫% ହ୍ରାସ ପାଇଛି। ଏବେବି ଅଧିକ ଜମିରେ ଧାନ ଚାଷ ହେଉଥିବା ବେଳେ ଏହା ପଛକୁ ଡାଲି, ତୈଳବୀଜ, ପନିପରିବା ଓ ଫଳ ରହିଛି। ମୋଟ ଚାଷରେ ଧାନର ଭାଗ କମୁଥିବା ବେଳେ ଡାଲି ଓ ପନିପରିବାର ଭାଗ ବଢ଼ୁଛି। ବିଗତ କିଛି ବର୍ଷ ଭିତରେ ରାଜ୍ୟରେ ସାର ବ୍ୟବହାର ପରିମାଣ ବଢ଼ିଥିଲେ ମଧ୍ୟ ତାହା ଜାତୀୟ ହାର ଠାରୁ କମ୍ ରହିଛି। କୀଟନାଶକ ବ୍ୟବହାର ପରିମାଣ ମଧ୍ୟ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର