ସାରା ଦୁନିଆରେ ସୁଧାର ହେଉଛି: ଶକ୍ତିକାନ୍ତ

ଭିତ୍ତିଭୂମି, ସ୍ବାସ୍ଥ୍ୟ ସେବାରେ ନିବେଶ ଲାଗି ଆହ୍ବାନ

ନୂଆଦିଲ୍ଲୀ: ଭାରତ ସମେତ ସାରା ବିଶ୍ବ ଲାଗି ଆଶ୍ବସ୍ତିର ଖବର ହେଉଛି ଏହା ଯେ କରୋନା ମହାମାରୀ ପରେ ଅର୍ଥନୀତିରେ ଯେଉଁ ବିଭ୍ରାଟ ଦେଖାଦେଇଥିଲା ସେଥିରେ ସୁଧାର ପ୍ରକ୍ରିୟା ଆରମ୍ଭ ହୋଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି। ଏକ କାର୍ଯ୍ୟକ୍ରମକୁ ସମ୍ବୋ‌ଧିତ କରି ସେ କହିଛନ୍ତି ଯେ କୋଭିଡ୍‌-୧୯ ମହାମାରୀ ଆମ ସମୟର ଏକ ଐତିହାସିକ କ୍ଷଣ। ଏହା ଉଭୟ ଜୀବନ ଓ ଜୀବିକାକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଏଭଳି ଶକ୍ତ ଧକ୍କା ସହିତ ଅନ୍ୟ କୌଣସି ଘଟଣା ତୁଳନୀୟ ନୁହେଁ। ଏହି ମହମାରୀ ବିଶ୍ବ ଅର୍ଥନୀତିରେ ଅଲିଭା ଛାପ ଛାଡ଼ିଯିବ। ଏହା ଗରିବ ଓ ସମ୍ବେଦନଶୀଳ ବର୍ଗର ଲୋକଙ୍କୁ ସର୍ବାଧିକ ପ୍ରଭାବିତ କରିଥିବା ସେ କହିଛନ୍ତି। ମହାମାରୀ ପରବର୍ତ୍ତୀ ସମୟ ଲାଗି ଏକ ଦୃଢ଼ ଓ ନିରନ୍ତର ଅର୍ଥନୀତିର ଆବଶ୍ୟକତା ରହିଛି। ସେଥିପାଇଁ ସ୍ବାସ୍ଥ୍ୟସେବା, ଭିତ୍ତିଭୂମି, ଡିଜିଟାଲ୍ ଅର୍ଥନୀତି ଓ ଶିକ୍ଷାରେ ନିବେଶ ଜରୁରୀ। ଏହା ଦ୍ବାରା କ୍ଷୁଦ୍ର ସହରରେ ନିଯୁକ୍ତି ସୃଷ୍ଟି ହେବ ଓ ନିରନ୍ତର ଅଭିବୃଦ୍ଧି ବଜାୟ ରହିପାରିବ ବୋଲି ସେ କହିଛନ୍ତି। ଘରୋଇ ସଂସ୍ଥା ପୁଞ୍ଜିନିବେଶ ବଢ଼ାଇଥିଲେ ବିଭିନ୍ନ ସାମଗ୍ରୀ ଓ ସେବାର ଚାହିଦା ବଢ଼ିବ, ଯାହା ଅର୍ଥନୀତିକୁ ଆଗକୁ ନେବାରେ ସହାୟକ ହେବ ବୋଲି ସେ କହିଛନ୍ତି।

ମହାମାରୀ ଆହ୍ବାନର ମୁକାବିଲା ଲାଗି ଭାରତରେ ଯେଉଁ ସବୁ ପଦକ୍ଷେପ ଗ୍ରହଣ କରାଯାଇଥିଲା ତାହାର ପ୍ରଭାବ ବିଭିନ୍ନ କ୍ଷେତ୍ରରେ ପ୍ରତିଫଳିତ ହୋଇଛି। ମାନୁଫାକ୍‌ଚରିଂ କ୍ଷେତ୍ରକୁ ଦୃଢ଼ କରିବା ଦିଗରେ ଉତ୍ପାଦନ ଭିତ୍ତିକ ପ୍ରୋ‌ତ୍ସାହନ (ପିଏଲ୍‌ଆଇ) ହେଉଛି ଏକ ପ୍ରମୁଖ ଅଭିଯାନ। ତେବେ ଏହାର ଫଳ କ୍ଷଣସ୍ଥାୟୀ ନହୋଇ ଦୀର୍ଘସ୍ଥାୟୀ ହେବା ଦରକାର ବୋଲି ସେ କହିଛନ୍ତି। ଯେକୌଣସି ଦେଶର ଦୃଢ଼ ଅର୍ଥନୀତି ଲାଗି ଏକ ଦୃଢ଼ ଆର୍ଥିକ ବ୍ୟବସ୍ଥା ଦରକାର। ଅର୍ଥନୀତିର ଆବଶ୍ୟକତା ପୂରଣ କରିବା ଲାଗି ଭାରତୀୟ ଆର୍ଥିକ କ୍ଷେତ୍ର ଦ୍ରୁତ ଗତିରେ ନିଜକୁ ପରିବର୍ତ୍ତନ କରିଛି। ଅର୍ଥନୀତି ପାଇଁ ବ୍ୟାଙ୍କ ହିଁ ଋଣର ପ୍ରମୁଖ ମାଧ୍ୟମ ଥିଲା। ଏବେ କିନ୍ତୁ ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥା (ଏନ୍‌ବିଏଫ୍‌ସି)ଗୁଡ଼ିକ ଏଦିଗରେ ଗରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଯେଉଁ କ୍ଷେତ୍ରରେ ବ୍ୟାଙ୍କର ଆଧିପତ୍ୟ ଥିଲା ତାହା ଏବେ ହାଇବ୍ରିଡ୍ ବ୍ୟବସ୍ଥା ଆଡ଼କୁ ଗତି କରୁଛି ବୋଲି ଶ୍ରୀ ଦାସ କହିଛନ୍ତି। ଡିଜିଟାଲ୍ ଅର୍ଥନୀତିକୁ ସୁଦୃଢ଼ କରିବା ଲାଗି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବାର ଆବଶ୍ୟକତା ରହିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର