ନୂଆଦିଲ୍ଲୀ: ଆସନ୍ତା ୧୦ ବର୍ଷ ମଧ୍ୟରେ ଭାରତର ମହାକାଶ ଅର୍ଥନୀତିର ଆକାର ୪୪୦୦ କୋଟି ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୩,୬୫,୨୦୦ କୋଟି ଟଙ୍କା)ରେ ପହଞ୍ଚିବ। ଭାରତର ମହାକାଶ ବିଜ୍ଞାନ ବିଭାଗ ଅଧୀନ ଇନ୍-ସ୍ପେସ (ଇଣ୍ଡିଆନ ନ୍ୟାସନାଲ ସ୍ପେସ ପ୍ରମୋସନ ଆଣ୍ଡ୍ ଅଥରାଇଜେସନ ସେଣ୍ଟର) ପକ୍ଷରୁ ପ୍ରକାଶ କରାଯାଇଥିବା ଏକ ଦଶନ୍ଧିର ଦୂରଦୃଷ୍ଟି ଏବଂ ରଣନୀତି ସଂକ୍ରାନ୍ତ ରିପୋର୍ଟରେ ଏଭଳି ପୂର୍ବାନୁମାନ କରାଯାଇଛି। ବର୍ତ୍ତମାନ ଭାରତୀୟ ମହାକାଶ ଅର୍ଥନୀତିର ଆକାର ପ୍ରାୟ ୮୦୦ କୋଟି ଡଲାର (ପ୍ରାୟ ୬୬,୪୦୦ କୋଟି ଟଙ୍କା) ରହିଛି। ଏହା ବିଶ୍ବ ମହାକାଶ ଅର୍ଥନୀତି ମାତ୍ର ୨ ପ୍ରତିଶତ। କିନ୍ତୁ ୨୦୩୩ ମସିହା ବେଳକୁ ଏହା ୮ ପ୍ରତିଶତରେ ପହଞ୍ଚିବ। ୨୦୩୩ ସୁଦ୍ଧା ଭାରତର ମୋଟ ମହାକାଶ ଅର୍ଥନୀତିରେ ରପ୍ତାନିର ଅଂଶ ୧୧୦୦ କୋଟି ଡଲାର ବା ପ୍ରାୟ ୯୧,୩୦୦ କୋଟି ଟଙ୍କା ଛୁଇଁବ। ଏଥିସହିତ ଭାରତୀୟ ମହାକାଶ ଅର୍ଥନୀତି ଆଗକୁ ବଢ଼ିବାରେ ଘରୋଇ କ୍ଷେତ୍ରର ପ୍ରମୁଖ ଭୂମିକା ରହିବ। ତେବେ କିଭଳି ଏହି କ୍ଷେତ୍ର ଆଗକୁ ବଢ଼ିପାରିବ ସେ ନେଇ ବିସ୍ତୃତ ତଥ୍ୟ ଏଥିରେ ରହିଛି।