ବେଙ୍ଗାଲୁରୁ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନିଙ୍କ ସଂପତ୍ତି ଗତ ୧୦ ବର୍ଷ ମଧ୍ୟରେ ୩୫୬ ପ୍ରତିଶତ ବୃଦ୍ଧି ଘଟିଛି। ୮୨ ବିଲିଅନ ଡଲାର ସଂପତ୍ତି ସହିତ ମୁକେଶ ଏକମାତ୍ର ଭାରତୀୟ ଭାବେ ୨୦୨୩ର ଧନୀ ତାଲିକାରେ ଶୀର୍ଷ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଯଦିଓ ତାଙ୍କର ବାର୍ଷିକ ସଂପତ୍ତି ପୂବବର୍ଷ ତୁଳନାରେ ୨୦ ପ୍ରତିଶତ ହ୍ରାସ ଘଟିଛି ତଥାପି ସେ ଦେଶର ଶୀର୍ଷ ଧନୀ ବ୍ୟକ୍ତିର ମାନ୍ୟତା ପାଇଛନ୍ତି।
ହୁରୁନ ଗ୍ଲୋବାଲ ରିଚ୍ ଲିଷ୍ଟ ଅନୁଯାୟୀ, ଭାରତର ସବୁଠୁ ବଡ଼ ୧୦ ଜଣ ଧନୀଙ୍କ ମଧ୍ୟରେ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସାଇରସ ପୁନାୱାଲା ଏକମାତ୍ର ବ୍ୟକ୍ତି ଯାହାଙ୍କର ସଂପତ୍ତିରେ ସକାରାତ୍ମକ ବୃଦ୍ଧି (୪ ପ୍ରତିଶତ) ଦେଖାଦେଇଛି। ଗତ ଦଶନ୍ଧିରେ ତାଙ୍କ ସଂପତ୍ତି ୩୫୦ ପ୍ରତିଶତ ବୃଦ୍ଧି ଘଟିଛି। ହୁରୁନ ଧନୀ ତାଲିକା ରିପୋର୍ଟ ଅନୁଯାୟୀ, ବିଲିୟନେୟାର ସୃଷ୍ଟି କରିବା କ୍ଷେତ୍ରରେ ଭାରତ ବିଶ୍ବରେ ତୃତୀୟ ସ୍ଥାନରେ ରହିଛି। ଭାରତରେ ୧୮୭ ଜଣ ନୂଆ ବିଲିୟନେୟାର ସୃଷ୍ଟି ହୋଇଛନ୍ତି। ଯଦି ଭାରତୀୟ ମୂଳ ଧନୀଙ୍କୁ ବିଚାରକୁ ନିଆଯାଏ ତାହେଲେ ଏହି ସଂଖ୍ୟା ୨୧୭। ଶିକ୍ଷା କ୍ଷେତ୍ରରେ ବାଇଜୁସ୍ର ସିଇଓ ବାଇଜୁ ରବୀନ୍ଦ୍ରନ ବିଶ୍ବରେ ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତି। ୩.୩ ବିଲିଅନ ଡଲାର ସଂପତ୍ତି ସହ ତାଙ୍କ ପରିବାର ଧନୀ ତାଲିକାର ୯୯୪ତମ ସ୍ଥାନରେ ରହିଛି।
ଗତବର୍ଷ ୧ ବିଲିଅନ ଡଲାର ବା ତାଠାରୁ ଅଧିକ ସଂପତ୍ତି ଯୋଡ଼ିଥିବା ବ୍ୟକ୍ତିଙ୍କ ସଂଖ୍ୟା ହିସାବରେ ଭାରତ ଷଷ୍ଠ ସ୍ଥାନରେ ରହିଛି।