ମୁମ୍ବାଇ: ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀ ତାଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ୧୦୦ ଦିନ ପୂରଣ କରିଛନ୍ତି। ପ୍ରଥମ ୧୦୦ ଦିନରେ ଭାରତୀୟ ପୁଞ୍ଜି ବଜାର ଭଲ ପ୍ରଦର୍ଶନ କରିଛି। ଏହି ସମୟ ମଧ୍ୟରେ ସେନସେକ୍ସ ୬୩୦୦ ପଏଣ୍ଟ୍‌ ବା ୮.୨ ପ୍ରତିଶତ ଉପରକୁ ଉଠିଛି। ତୃତୀୟ ପାଳିରେ ବିଜେପି ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ ନକରିବା ଏବଂ ଦୀର୍ଘ ମିଆଦୀ ପୁଞ୍ଜି ଲାଭ ଟିକସରେ ବୃଦ୍ଧି ସତ୍ତ୍ବେ ସେନସେକ୍ସରେ ଏହି ଉତ୍‌ଥାନ ଘଟିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସ୍ମଲକ୍ୟାପ୍‌ ଇଣ୍ଡେକ୍ସରେ ପାଖାପାଖି ୧୮ ପ୍ରତିଶତ ବୃଦ୍ଧି ମୋଦୀ ସରକାରଙ୍କର ପ୍ରଥମ ୧୦୦ ଦିନରେ ଘଟିଛି। ବିଏସ୍‌ଇ ହେଲଥ୍‌କେୟାର୍‌ ଏବଂ ଆଇଟି ଇଣ୍ଡେକ୍ସ ସର୍ବାଧିକ ଭଲ ପ୍ରଦାନ କରିଥିବା ଦେଖିବାକୁ ମିଳିଛି। ଏହି ଦୁଇଟି ଯାକ ଇଣ୍ଡେକ୍ସରେ ୨୨ ପ୍ରତିଶତ ଲେଖାଏଁ ରିଟର୍ଣ୍ଣ ମିଳିଛି।

Advertisment

ଏହାପଛକୁ ଦୀର୍ଘସ୍ଥାୟୀ ଉପଭୋକ୍ତା ସାମଗ୍ରୀ ଶିଳ୍ପର ପ୍ରଦର୍ଶନୀ ୧୭ ପ୍ରତିଶତ ରହିଛି। ଅନ୍ୟପକ୍ଷରେ ଧାତବ ଶିଳ୍ପ ସୂଚକାଙ୍କରେ ୩ ପ୍ରତିଶତରୁ ଅଧିକ ହ୍ରାସ ଏହି ସମୟରେ ହୋଇଛି। ସେହିଭଳି ରିଅଲ ଇଷ୍ଟେଟ୍‌ ଶିଳ୍ପରେ ୧ ପ୍ରତିଶତ ହ୍ରାସ ଦେଖାଯାଇଛି।  ସ୍ମଲକ୍ୟାପ୍‌ ଷ୍ଟକ ଗୁଡ଼ିକ ମଧ୍ୟରେ ରିଫେକ୍ସ ଇଣ୍ଡଷ୍ଟ୍ରିଜ୍‌ ମୋଦୀ ସରକାରଙ୍କ ପ୍ରଥମ ୧୦୦ ଦିନର ଅବଧିରେ ୨୨୧ ପ୍ରତିଶତ ବଢ଼ିଛି। ପିସି ଜୁଏଲର୍ସର ୧୭୫ ପ୍ରତିଶତ, ବାଉ ଫର୍ଜ ଇଣ୍ଡଷ୍ଟ୍ରିଜ ୧୬୭ ପ୍ରତିଶତ, ଗ୍ରାଭିଟା ଇଣ୍ଡିଆ ୧୩୧ ପ୍ରତିଶତ, ପିଜି ଇଲେକ୍ଟ୍ରୋପ୍ଲାଷ୍ଟ ୧୧୮ ପ୍ରତିଶତ, ଗ୍ଡ଼ଫ୍ରେ ଫିଲିପ୍ସ ଇଣ୍ଡିଆ ୧୧୪ ପ୍ରତିଶତ ଏବଂ ନିୟୁଲାଣ୍ଡ ଲାବୋରେଟୋରିଜ୍‌ ୧୦୩ ପ୍ରତିଶତ ବୃଦ୍ଧି ଘଟିଛି।