୧୫ ମାସରେ ପେଟ୍ରୋଲ୍ ୪୦ ଟଙ୍କା‌ ମହଙ୍ଗା, ଡିଜେଲ୍ ବଢ଼ିଛି ୨୮ ଟଙ୍କା‌

ନୂଆଦିଲ୍ଲୀ: ପେଟ୍ରୋଲ୍ ଦରରେ ନିୟମିତ ବୃଦ୍ଧି ହେଉଥିବାରୁ ଗତବର୍ଷ ଏପ୍ରିଲ୍‌ ପରଠାରୁ ଏହାର ଦାମ୍ ୩୨ ଟଙ୍କା ବଢ଼ିସାରିଲାଣି। ଏହି ସମୟରେ ଡିଜେଲ୍ ମୂଲ୍ୟରେ ୨୪ ଟଙ୍କା ୫୦ ପଇସାର ବୃଦ୍ଧି ହୋଇଛି। ସାରା ଦେଶରେ ଏବେ ପେଟ୍ରୋଲ୍‌ର ଲିଟର ପିଛା ଦାମ୍ ୧୦୦ ଟଙ୍କାରୁ ଅଧିକ ରହିଛି। ମୁମ୍ବାଇରେ ଦାମ୍ ୧୦୮ ଟଙ୍କା ପାଖାପାଖି ରହିଛି। ‌ଅନେକ ସ୍ଥାନରେ ଡିଜେଲ୍ ମଧ୍ୟ ୧୦୦ ଟଙ୍କା ପାଖାପାଖି ବିକ୍ରି ହେଉଛି। ୨୦୨୦ ଏପ୍ରିଲ୍‌ରୁ ୨୦୨୧ ମାର୍ଚ୍ଚ ଭିତରେ ପେଟ୍ରୋଲ୍ ଦାମ୍ ୩୦ ଟଙ୍କା ବଢ଼ିଥିଲା। ଏହାର ପରବର୍ତୀ ତିନି ମାସରେ ଦାମ୍‌ରେ ଆଉ ୧୦ ଟଙ୍କା ୬୩ ପଇସା ବୃଦ୍ଧି ହୋଇଛି। ମୋଟ ଉପରେ ୧୫ ମାସରେ ପେଟ୍ରୋଲ୍ ମୂଲ୍ୟରେ ୪୦ ଟଙ୍କାରୁ ଅଧିକ ବୃଦ୍ଧି ଘଟିଛି।

୨୦୨୦ ଏପ୍ରିଲ୍‌ ୧ରେ ଦିଲ୍ଲୀରେ ଏକ ଲିଟର ପେଟ୍ରୋଲ୍ ଦାମ୍ ୬୯ ଟଙ୍କା ୫୯ ପଇସା ଥିଲା। ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ସେହି ଦାମ୍ ୯୦ ଟଙ୍କା ୫୬ ପଇସାକୁ ବୃଦ୍ଧି ପାଇଥିଲା। ମୋଟ ଉପରେ ଏହି ସମୟ ଭିତରେ ଏକ ଲିଟର ପେଟ୍ରୋଲ୍ ମୂଲ୍ୟରେ ୩୦ ଟଙ୍କା ୧୩ ପଇସାର ବୃଦ୍ଧି ହୋଇଥିଲା। ଚଳିତ ବର୍ଷ ପେ‌ଟ୍ରୋଲ୍ ଦାମ୍ ନିୟମିତ ଭାବେ ବୃଦ୍ଧି ପାଉଛି। ଏପ୍ରିଲ୍‌, ମେ’ ଓ ଜୁନ୍‌ରେ ବୃଦ୍ଧିର ଧାରା ଜାରି ରହିଛି। ଏହି ତିନି ମାସରେ ପେଟ୍ରୋଲ୍ ଦାମ୍ ୧୦ ଟଙ୍କା ୬୩ ପଇସା ବୃଦ୍ଧି ପାଇଛି। ଫଳରେ ଦିଲ୍ଲୀରେ ଏକ ଲିଟର ପେଟ୍ରୋଲ୍ କିଣିବା ଲାଗି ଗ୍ରାହକମାନଙ୍କୁ ୧୦୧ ଟଙ୍କା ୧୯ ପଇସା ଗଣିବାକୁ ପଡ଼ୁଛି। ପେଟ୍ରୋଲ୍‌ ତୁଳନାରେ ଡିଜେଲ୍ ଦାମ୍‌ ମଧ୍ୟ ବଢ଼ିଛି। କିଛି ରାଜ୍ୟର ଭାଟ୍ ହ୍ରାସ କରିଥିବାରୁ ଏହାର ଦର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ରହିଛି। ୨୦୨୦ ଏପ୍ରିଲ୍‌ ୧ରେ ଡିଜେଲ୍ ଦାମ୍ ୬୨ ଟଙ୍କା ୨୯ ପଇସା ଥିଲା। ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ସେହି ମୂଲ୍ୟ ୧୮ ଟଙ୍କା ୫୮ ପଇସା ବୃଦ୍ଧି ପାଇ ୮୦ ଟଙ୍କା ୮୭ ପଇସା ହୋଇଥିଲା। ୨୦୨୧ର ଏପ୍ରିଲ୍‌, ମେ’ ଓ ଜୁନ୍‌ରେ ଡିଜେଲ୍ ଦାମ୍‌ରେ ଡିଜେଲ୍ ଦାମ୍‌ରେ ଆଉ ୯ ଟଙ୍କା ୩୩ ପଇସାର ବୃଦ୍ଧି ହୋଇଛି। ଫଳରେ ୨୦୨୦ ଏପ୍ରିଲ୍ ପରଠାରୁ ଚଳିତ ବର୍ଷ ଜୁନ୍ ମଧ୍ୟରେ ଡିଜେଲ୍ ଦାମ୍‌ ୨୭ ଟଙ୍କା ୯୧ ପଇସା ବୃଦ୍ଧି ପାଇଛି।

ପେଟ୍ରୋଲ୍ ଦର ବୃଦ୍ଧି ଦୁଇ ଦିନ ବନ୍ଦ ରହିବା ପରେ ଆଜି ପୁଣି ବଢ଼ିଛି। ଫଳରେ ମୁମ୍ବାଇରେ ଏହାର ଦାମ୍ ୧୦୭ ଟଙ୍କା ଓ ଦିଲ୍ଲୀରେ ୧୦୧ ଟଙ୍କାରୁ ଅଧିକ ହୋଇଯାଇଛି। ଜୁଲାଇ ୧୫ରେ ପେଟ୍ରୋଲ୍ ମୂଲ୍ୟ ୩୫ ପଇସା ଓ ଡିଜେଲ୍ ଦାମ୍ ୧୫ ପଇସା ବଢ଼ିଛି। ଆଜି ଦିଲ୍ଲୀରେ ଏକ ଲିଟର ପେଟ୍ରୋଲ୍ ଦାମ୍ ୧୦୧ ଟଙ୍କା ୫୪ ପଇସା, ମୁମ୍ବାଇରେ ୧୦୭ ଟଙ୍କା ୭୫ ପଇସା ଓ କୋଲକାତାରେ ୧୦୧ ଟଙ୍କା ୭୪ ପଇସାରେ ବିକ୍ରି ହୋଇଛି। ଦେଶର ପ୍ରଥମ ସହର ଭାବେ ଗତ ମେ’ରେ ଭୋପାଳରେ ପେଟ୍ରୋଲ୍ ମୂଲ୍ୟ ୧୦୦ ଟଙ୍କା ସ୍ତର ଟପିଥିଲା। ଏହା ପରେ ଜୟପୁର, ମୁମ୍ବାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ, ପାଟନା ଓ ଥିରୁବନନ୍ତପୂରମରେ ୧୦୦ ଟଙ୍କାରୁ ଅଧିକ ଦାମ୍‌ରେ ପେଟ୍ରୋଲ୍ ବିକ୍ରି ହୋଇଥିଲା। ଜୁଲାଇ ପ୍ରଥମ ସପ୍ତାହରେ ଚେନ୍ନାଇ ଓ ଭୁବନେଶ୍ବରରେ ପେଟ୍ରୋଲ୍ ଦାମ୍ ୧୦୦ ଟଙ୍କା ଟପିଥିଲା। ଗତ ବୁଧବାର କୋଲକାତାରେ ଦାମ୍ ୧୦୦ ଟଙ୍କାରୁ ଅଧିକ ରହିଛି। ପେଟ୍ରୋଲ୍ ଓ ଡିଜେଲ୍ ମୂଲ୍ୟ ଅଧିକ ରହିବାର ଏକ ବଡ଼ କାରଣ ହେଉଛି କେନ୍ଦ୍ର ଓ ରାଜ୍ୟ ସରକାର ଲଗାଇଥିବା ଟିକସ। ପେଟ୍ରୋଲ୍ ଉପରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୬୦% ଟିକସ ଅସୁଲ କରୁଥିବା ବେ‌ଳେ ଡିଜେଲ୍ ଉପରେ ୫୪% ଟିକସ ଲଗାଇଛନ୍ତି। ଏକ ଲିଟର ପେଟ୍ରୋଲ୍‌ରୁ କେନ୍ଦ୍ର ସରକାର ୩୨ ଟଙ୍କା ୯୦ ପଇସା ଓ ଡିଜେଲ୍‌ରୁ ୩୧ ଟଙ୍କା ୮୦ ପଇସାର ଟିକସ ନେଉଛନ୍ତି।

ଟିକସ ହ୍ରାସ କରିବା ଲାଗି ବାରମ୍ବାର ଦାବି ହେଉଥିଲେ ମଧ୍ୟ ସେଦିଗରେ ସରକାର କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରିବା ଉପରେ ବିଚାର କରୁନାହାନ୍ତି। ମହାମାରୀ ପ୍ରଭାବରେ ଅନ୍ୟ ସବୁ ଉତ୍ସରୁ ଟିକସ ଆୟ ହ୍ରାସ ପାଇଥିବାରୁ ପେଟ୍ରୋଲ୍‌ ଟିକସ କମ୍ କରିବାକୁ ସରକାର ଚାହୁନାହାନ୍ତି। ପେଟ୍ରୋଲ୍ ଓ ଡିଜେଲ୍ ମୂଲ୍ୟରେ ବୃଦ୍ଧି ଲୋକଙ୍କ ଜୀବନଜୀବିକାକୁ ପ୍ରଭାବିତ କରିବା ଆରମ୍ଭ କରିଛି। ବିଶେଷ କରି ଡିଜେଲ୍ ଦର ବୃଦ୍ଧି ପରେ ପରିବହନ ହେଉଥିବା ସବୁ ପ୍ରକାର ସାମଗ୍ରୀର ଦାମ୍ ବଢ଼ୁଛି। ସେଥିପାଇଁ ଦେଶରେ ଦରଦାମ୍ ସ୍ଥିତି ବେଲଗାମ ହୋଇପଡ଼ିଛି। ତାହା ଭାରତୀୟ ରିଜର୍ଭ ବ୍ୟାଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। ପେଟ୍ରୋଲ୍ ଓ ଡିଜେଲ୍ ଉପରୁ ଟିକସ କମ୍ କରିବା ଉପରେ ସରକାର ବିଚାର କରିବାର ଆବଶ୍ୟକତା ରହିଛି ବୋଲି କିଛି ଦିନ ତଳେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପରାମର୍ଶ ଦେଇଥିଲେ। ନିକଟ‌ରେ ଏସ୍‌ବିଆଇ ପକ୍ଷରୁ ଜାରି କରାଯାଇଥିବା ଇକୋରାପ୍‌ ରିପୋର୍ଟରେ ମଧ୍ୟ ତେଲ ଟିକସକୁ ନେଇ ଉଦ୍‌ବେଗ ପ୍ରକାଶ କରାଯାଇଥିଲା ଓ ଟିକସ କମ୍ କରିବା ଲାଗି ସରକାରଙ୍କୁ ରିପୋର୍ଟରେ ପରାମର୍ଶ ଦିଆଯାଇଥିଲା।

ସମ୍ବନ୍ଧିତ ଖବର