୨୦୧୯ରେ ହ୍ବାଟ୍‌ସଆପ୍‌ ଉପରେ ହୋଇଥିଲା ମାଲୱେର ଆକ୍ରମଣ, ୧୪୦୦ ବ୍ୟବହାରକାରୀ ଶିକାର ହୋଇଥିଲେ

ଏନ୍‌ଏସ୍‌ଓ ଗ୍ରୁପ୍‌ର ପେଗାସସ୍‌ ଉପରେ ସନ୍ଦେହ

ନୂଆଦିଲ୍ଲୀ: ହ୍ବାଟସ୍‌ଆପ୍ ଉପରେ ୨୦୧୯ରେ ବଡ଼ ଧରଣର ମାଲ୍‌ୱେର ଆକ୍ରମଣ ହୋଇଥିଲା। ଏଥିରେ ୧୪୦୦ ବ୍ୟବହାରକାରୀଙ୍କୁ ଟାର୍ଗେଟ୍ କରାଯାଇଥିଲା। ଦି ଗାର୍ଡିଆନ୍ ସହିତ ଏକ ସାକ୍ଷାତକାର ସମୟରେ ହ୍ବାଟ୍‌ସଆପ୍‌ର ସିଇଓ ୱିଲ୍ କାଥ୍‌କାର୍ଟ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଇସ୍ରାଏଲ୍‌ର ସଂସ୍ଥା ଏନ୍‌ଏସ୍‌ଓ ଗ୍ରୁପ୍‌ର ସ୍ପାଏୱେରକୁ ଏଥିପାଇଁ ବ୍ୟବହାର କରାଯାଇଥିଲା। ବରିଷ୍ଠ ସରକାରୀ ଅଧିକାରୀ, ସାମ୍ବାଦିକ ଓ ମାନବାଧିକାର କର୍ମୀଙ୍କୁ ଏହି ଆକ୍ରମଣରେ ଟାର୍ଗଟ୍ କରାଯାଇଥିଲା।

ଭାରତ ସମେତ ସାରା ବିଶ୍ବର ରାଜନୀତିରେ ଝଡ଼ ସୃଷ୍ଟି କରିଥିବା ଏନ୍‌ଏସ୍‌ଓ ଗ୍ରୁପ୍‌ର ପେଗାସସ୍‌ ପ୍ରୋଜେକ୍ଟ ଉପରେ ଶ୍ରୀ କାଥ୍‌କାର୍ଟ ସନ୍ଦେହ ପ୍ରକଟ କରିଛନ୍ତି। ୨୦୧୯ରେ ଯେଉଁ ଧରଣର ଆକ୍ରମଣ ହୋଇଥିଲା ତାହାର ସାମଞ୍ଜସ୍ୟ ପେଗାସସ୍‌ ପ୍ରୋଜେକ୍ଟ ସହ ରହିଛି ବୋଲି ହ୍ବାଟ୍‌ସଆପ୍‌ର ସିଇଓ ଭାବୁଛନ୍ତି। ସେଥିପାଇଁ ହ୍ବାଟ୍‌ସଆପ୍ ତରଫରୁ ଏନ୍‌ଏସ୍‌ଓ ଗ୍ରୁପ୍ ବିରୋଧରେ ଅଦାଲତରେ ମାମଲା ରୁଜୁ କରାଯାଇଛି। କାଥ୍‌କାର୍ଟ କହିଛନ୍ତି ଯେ ଇଣ୍ଟରନେଟ୍‌ରେ ସୁରକ୍ଷାକୁ ନେଇ ଏହା ହେଉଛି ଏକ ସତର୍କ ଘଣ୍ଟି। ଯଦି କୌଣସି ଜଣେ ‌ବ୍ୟକ୍ତିଙ୍କ ଫୋନ୍ ସୁରକ୍ଷିତ ନୁହେଁ ତେବେ ସମସ୍ତଙ୍କ ଫୋନ୍ ଅସୁରକ୍ଷିତ ବୋଲି ସେ କହିଛନ୍ତି। କଂପାନି ଯେଉଁ ସଂଖ୍ୟା ପ୍ରକାଶ କରିଛି ତାହା ଅତିରଞ୍ଜିତ ବୋଲି ଏନ୍‌ଏସ୍‌ଓ କହିଥିଲା। ଏସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ କାର୍ଥକାର୍ଟ କହିଛନ୍ତି ଯେ ୨୦୧୯ର ଦୁଇ ସପ୍ତାହ ଭିତରେ ୧୪୦୦ ବ୍ୟବହାରକାରୀଙ୍କ ଉପରେ ସ୍ପାଏୱେର୍‌ ଆକ୍ରମଣ ହୋଇଥିଲା। ଏହା ଦୀର୍ଘ ଦିନରୁ ଚାଲୁଛି।

ବହୁ ବର୍ଷ ପର୍ଯ୍ୟନ୍ତ ଯେଉଁ ବ୍ୟବହାରକାରୀମାନେ ଆକ୍ରମଣର ଶିକାର ହୋଇଛନ୍ତି ସେମାନଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ହେବ। ସେଥିପାଇଁ ଆମେ ଏହି ପ୍ରସଙ୍ଗକୁ ଅଧିକ ଗୁରୁତ୍ବ ଦେଉଛୁ ବୋଲି ସେ କହିଛନ୍ତି। ଦୁଇ ବର୍ଷ ପୂର୍ବେ ହ୍ବାଟସ୍‌ଆପ୍ ପକ୍ଷରୁ ଘୋଷଣା କରାଯାଇଥିଲା ଯେ ଏହାର ୧୪୦୦ ବ୍ୟବହାରକାରୀଙ୍କ ଉପରେ ଏନ୍‌ଏସ୍‌ଓ ମାଲ୍‌ଓୟାର ଆକ୍ରମଣ ହୋଇଛି। ସେମାନଙ୍କ ମଧ୍ୟରୁ ୧୦୦ ଜଣ ହେଉଛନ୍ତି ସାମ୍ବାଦିକ ଓ ମାନବାଧିକାର କର୍ମୀ। ହ୍ବାଟସ୍‌ଆପ୍‌ରେ ରହିଥିବା ଏକ ସାମାନ୍ୟ ତ୍ରୁଟି ମାଧ୍ୟମରେ ଏହି ଆକ୍ରମଣ ହୋଇଥିଲା ଯାହାକୁ ପରବର୍ତୀ ସମୟରେ କଂପାନି ତରଫରୁ ସମାଧାନ କରାଯାଇଥିଲା।

ସମ୍ବନ୍ଧିତ ଖବର