୨୦୨୨ରେ ସୁନା ୩୫୦୦ ଟଙ୍କା ମହଙ୍ଗା ହେଲାଣି: ସୁନା ୫୨, ରୁପା ୬୮ ହଜାର

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷ୍‌ ଆକ୍ରମଣ ଜାରି ରଖିଛି। ଏହାକୁ ନେଇ ବିଶ୍ବରେ ସାମରିକ ଓ ରାଜନୈତିକ ଉତ୍ତେଜନା ଦେଖାଦେଇଛି। ଏହାର ପ୍ରଭାବ ସୁନା ରୁପା ବଜାର ଉପରେ ପଡ଼ିଛି। ସୁନା ଓ ରୁପା ଦର ଦେଶରେ ବଢ଼ିବାରେ ଲାଗିଛି। ଚଳିତ ସପ୍ତାହରେ ସୁନା ୫୨ ହଜାର ଏବଂ ରୁପା ୬୮ ହଜାର ଟଙ୍କା ନିକଟବର୍ତ୍ତୀ ହୋଇଛି। ଇଣ୍ଡିଆନ୍ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ ୱେବସାଇଟ୍‌ ଅନୁଯାୟୀ, ଚଳିତ ସପ୍ତାହରେ ସୁନା ଦର ୧୦ ଗ୍ରାମ ପିଛା ୮୯୪ ଟଙ୍କା ବୃଦ୍ଧି ପାଇଛି। ଗତମାସ ୨୮ ତାରିଖରେ ୨୪ କ୍ୟାରେଟ୍ ବିଶିଷ୍ଟ ୧୦ ଗ୍ରାମ ସୁନା ମୂଲ୍ୟ ୫୦୮୯୦ ଟଙ୍କା ରହିଥିଲା। ଆଜି ଅର୍ଥାତ୍ ମେ ୫ ତାରିଖରେ ଏହା ୫୧୭୮୪ ଟଙ୍କାରେ ପହଞ୍ଚିଛି। ତେବେ ଚଳିତ ସପ୍ତାହରେ କିଲୋଗ୍ରାମ ପିଛା ରୁପା ମୂଲ୍ୟରେ ୨୫୭୭ ଟଙ୍କା ବୃଦ୍ଧି ଘଟିଛି। ସପ୍ତାହ ଆରମ୍ଭରେ ରୁପା ଦାମ ୬୫୩୫୪ ଟଙ୍କା ଥିବାବେଳେ ଆଜି ଏହା ୬୭୯୩୧ ଟଙ୍କାରେ ପହଞ୍ଚିଛି।

ତେବେ ୟୁକ୍ରେନ ଉପରେ ରୁଷ ଗତ ୨୪ ତାରିଖରେ ଆକ୍ରମଣ କରିଥିଲା। ସେହି ସମୟରେ ଭୁବନେଶ୍ବରର କେତେକ ପ୍ରମୁଖ ଷ୍ଟୋରରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୦୫୦୦ ଟଙ୍କା ରହିଥିଲା। କିନ୍ତୁ ଆଜି ୨୪ କ୍ୟାରେଟ୍ ସୁନା ଦାମ ୫୨୩୦୦ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ସୁନାମୂଲ୍ୟ‌ ୧୮୦୦ ଟଙ୍କା ବୃଦ୍ଧି ଘଟିଛି। ତେବେ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ଆଜି ୫୦୧୦୦ ଟଙ୍କାକୁ ବୃଦ୍ଧି ପାଇଛି। ଫେବ୍ରୁଆରି ୨୪ରେ ଏହାର ମୂଲ୍ୟ ୪୮୬୦୦ ଟଙ୍କା ରହିଥିଲା। ଅର୍ଥାତ୍ ୨୨ କ୍ୟାରେଟ୍ ସୁନା ଦର ଭୁବନେଶ୍ବର ବଜାରରେ ଏହି ସମୟ ମଧ୍ୟରେ ୧୫୦୦ ଟଙ୍କା ମହଙ୍ଗା ହୋଇଛି।

୨୦୨୨ ମସିହାର ସୁନା ମୂଲ୍ୟ ଉପରେ ନଜର ପକାଇଲେ ଜଣାଯାଏ ଯେ ଚଳିତବର୍ଷ ଏହାର ମୂଲ୍ୟ ପାଖାପାଖି ୩୫୦୦ ଟଙ୍କା ବୃଦ୍ଧି ଘଟିଛି। ଜାନୁଆରି ୧ ତାରିଖରେ ୧୦ ଗ୍ରାମ ସୁନା ମୂଲ୍ୟ ୪୮୨୭୯ ଟଙ୍କା ରହିଥିଲା। କିନ୍ତୁ ବର୍ତ୍ତମାନ ଏହା ୫୧୭୮୪ ଟଙ୍କାରେ ପହଞ୍ଚିଛି। ରୁପା ମୂଲ୍ୟ ସୁନାଠାରୁ ଅଧିକ ମହଙ୍ଗା ହୋଇଛି। ଜାନୁଆରି ପହିଲାରେ ୧ କିଲୋ ରୁପା ମୂଲ୍ୟ ୬୨୦୩୫ ଟଙ୍କା ଥିଲାବେଳେ ଆଜି ଏହା ୬୭୯୩୧ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ଗତ ୬୪ ଦିନରେ ରୁପା ୫୮୯୬ ଟଙ୍କା ମହଙ୍ଗା ହୋଇଛି। ବିଶେଷଜ୍ଞଙ୍କ କହିବାନୁଯାୟୀ ଆସନ୍ତା ଦୁଇ ତିନି ମାସ ମଧ୍ୟରେ ସୁନା ମୂଲ୍ୟ ୫୬ ହଜାର ଟଙ୍କାକୁ ଏବଂ ରୁପା ମୂଲ୍ୟ ୮୦ରୁ ୮୫ ହଜାର ଟଙ୍କା ସ୍ତରକୁ ବୃଦ୍ଧି ପାଇବା ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର