୨୦୨୭ରେ ହେବ ତୃତୀୟ ବଡ଼ ମହାଶକ୍ତି: ଜାପାନ, ଜର୍ମାନିକୁ ଟପିବ ଭାରତ

ନୂଆଦିଲ୍ଲୀ: ଜାପାନ ଓ ଜର୍ମାନି ଭଳି ଅର୍ଥନୈତିକ ମହାଶକ୍ତିକୁ ଭାରତ ଅତିକ୍ରମ କରି ଆଗକୁ ବଢ଼ିବ। ୨୦୨୭ ସୁଦ୍ଧ‌ା ବିଶ୍ବର ତୃତୀୟ ବଡ଼ ଅର୍ଥନୀତି ଭାବେ ଭାରତ ଉଭା ହେବ। ବିଶ୍ବର ଅଗ୍ରଣୀ ଆର୍ଥିକ ସଂସ୍ଥା ମର୍ଗାନ ଷ୍ଟାନ୍‌ଲି ଏଭଳି ଆକଳନ କରିଛି। ପ୍ରଯୁକ୍ତି ଏବଂ ଶକ୍ତି କ୍ଷେତ୍ରରେ ଭାରତ ଯେଉଁ ନିବେଶ କରିଛି ତାହାର ଲାଭ ମିଳିବ ଏବଂ ସେହି ଆଧାରରେ ଭାରତ ବହୁ ଆଗକୁ ବଢ଼ିବ। ଡିଜିଟାଇଜେନ୍‌ ଲାଭକୁ ଆହୁରି ତ୍ବରାନ୍ବିତ କରି ଭାରତକୁ ଏକ ବିଶାଳ ମହାଶକ୍ତିରେ ପରିଣତ କରିବ ବୋଲି ମର୍ଗାନ ଷ୍ଟାନ୍‌ଲି ସ୍ବପ୍ନ ଦେଖାଇଛି।

ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଏବେ ୩.୫ ଲକ୍ଷ କୋଟି ଡଲାର ରହିଛି। ୨୦୩୧ ସୁଦ୍ଧା ତାହା ୭.୫ ଲକ୍ଷ କୋଟି ଡଲାରରୁ ଅଧିକ ହୋଇଯିବ। ବିଶ୍ବ ରପ୍ତାନିରେ ମଧ୍ୟ ଭାରତ ଭାଗ ଦ୍ବିଗୁଣିତ ହେବ। ଭାରତ ଷ୍ଟକ ବଜାର ମଧ୍ୟ ବିଶ୍ବସ୍ତରରେ ଅଧିକ ଗ୍ରହଣୀୟ ହେବ। ଭାରତ ତୃତୀୟ ବୃହତ ଷ୍ଟକ ବଜାର ଭାବେ ଉଭା ହେବ ଏବଂ ବାର୍ଷିକ ୧୧ ପ୍ରତିଶତ ବାର୍ଷିକ ଅଭିବୃଦ୍ଧି ସହ ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ ଏକ ୧୦ ଲକ୍ଷ କୋଟି ଡଲାର ଏକ୍ସଚେଞ୍ଜ୍‌ରେ ପରିଣତ ହେବ। ୨୦୩୦ ସୁଦ୍ଧା ଆଉଟ୍‌ସୋର୍ସିଂରେ ବିଭିନ୍ନ ଦେଶ ୫୦୦ ବିଲିଅନ ଡଲାର ନିବେଶ କରିବାର ସମ୍ଭାବନା ଥିବାରୁ ତାହାର ସିଧାସଳଖ ଲାଭ ଭାରତକୁ ମିଳିବ। ଫଳରେ ବିଦେଶରେ କାମ କରୁଥିବା ଭାରତୀୟଙ୍କ ସଂଖ୍ୟା ଦୁଇ ଗୁଣା ବୃଦ୍ଧି ପାଇବ।

ଭାରତୀୟ ଅର୍ଥନୀତି ପାଇଁ ଗୋଲାପୀ ଚିତ୍ର ଆଙ୍କିଥିବା ମର୍ଗାନ ଷ୍ଟାନ୍‌ଲି ଜଣାଇଛି ଯେ କଂପାନି ଟିକସରେ ହ୍ରାସ, ନିବେଶକୁ ପ୍ରୋତ୍ସାହନ ଓ ଭିତ୍ତିଭୂମିରେ ହେଉଥିବା ବ୍ୟୟ ଯୋଗୁ ମାନୁଫାକ୍‌ଚରିଂ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ବଢ଼ିବ। ଫଳରେ ଭାରତ ବିଶ୍ବର ଏକ କାରଖାନା ଭାବେ ଉଭା ହେବ। ୨୦୩୧ ସୁଦ୍ଧା ଜିଡିପିକୁ ମାନୁଫାକ୍‌ଚରିଂ କ୍ଷେତ୍ରର ଭାଗ ୨୧ ପ୍ରତିଶତକୁ ବୃଦ୍ଧି ପାଇବ।

ସମ୍ବନ୍ଧିତ ଖବର