ନୂଆଦିଲ୍ଲୀ: ଭାରତରେ ମଧ୍ୟମ ଆୟବର୍ଗର ଲୋକଙ୍କ ସଂଖ୍ୟା ବଢ଼ୁଛି। ଏଥିସହିତ ଭାରତୀୟଙ୍କ ମୁଣ୍ଡପିଛା ଆୟ ମଧ୍ୟ ବଢ଼ୁଛି। ୨୦୨୨-୨୩ରେ ଭାରତୀୟଙ୍କ ମୁଣ୍ଡପିଛା ଆୟ ୨ ଲକ୍ଷ ଟଙ୍କା ରହିଛି। ତେବେ ଦେଶ ସ୍ବାଧୀନ ହେବାକୁ ୧୦୦ ବର୍ଷ ପୂରଣ ହେବା ସମୟକୁ ଭାରତୀୟଙ୍କ ମୁଣ୍ଡପିଛା ୭ ଗୁଣାରୁ ଅଧିକ ବୃଦ୍ଧି ପାଇ ୧୪.୯ ଲକ୍ଷ ଟଙ୍କାରେ ପହଞ୍ଚିବ ବୋଲି ଏକ ରିପୋର୍ଟରେ ଆକଳନ କରାଯାଇଛି। ୨୦୧୧-୧୨ରୁ ୨୦୨୧-୨୨ ଆର୍ଥିକ ବର୍ଷ ମଧ୍ୟରେ ଦାଖଲ ହୋଇଥିବା ଆୟକର ରିଟର୍ଣ୍ଣର ବିଶ୍ଳେଷଣ କରିବା ପରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅର୍ଥନୈତିକ ଗବେଷଣା ଟିମ୍ ଉକ୍ତ ନିର୍ଯାସରେ ପହଞ୍ଚିଛି। ଏସବିଆଇ ରିସର୍ଚ୍ଚ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଆୟକର ବାବଦରେ କୌଣସି ଅର୍ଥ ନଦେଇ ଆୟକର ରିଟର୍ଣ୍ଣ ଦାଖଲ କରିଥିବା ଲୋକଙ୍କ ସଂଖ୍ୟା ବହୁମାତ୍ରାରେ ହ୍ରାସ ପାଇଛି। ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ ଆୟକର ରିଟର୍ଣ୍ଣ ଦାଖଲ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୨୫ ପ୍ରତିଶତ ଲୋକ ୨୦୪୭ ମସିହା ସୁଦ୍ଧା ତଳ ଆୟ ସ୍ତରରୁ ବାହାରି ଯିବେ। ୨୦୧୧-୧୨ ରୁ ୨୦୨୨-୨୩ ଆକଳନ ବର୍ଷ ମଧ୍ୟରେ ଏମାନଙ୍କ ମଧ୍ୟରୁ ୧୩.୬ ପ୍ରତିଶତ ରିଟର୍ଣ୍ଣ ଦାଖଲକାରୀ ତଳ ଆୟସ୍ତରକୁ ବାହାରି ପାରିଛନ୍ତି।
ଆକଳନ ବର୍ଷ ୨୦୨୧-୨୨ରେ ଦେଶରେ ୭୩ ନିୟୁତ ଲୋକ ଆୟକର ରିଟର୍ଣ୍ଣ ଦାଖଲ କରିଥିବାବେଳେ ୨୦୨୨-୨୩ ଆକଳନ ବର୍ଷରେ ଏମାନଙ୍କ ସଂଖ୍ୟା ୭୮ ନିୟୁତକୁ ବୃଦ୍ଧି ପାଇଛି। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଧାର୍ଯ୍ୟ ତାରିଖ ପରେ ଆକଳନ ବର୍ଷ ୨୦୧୯-୨୦ରେ ୬୦ ପ୍ରତିଶତ ଲୋକ ରିଟର୍ଣ୍ଣ ଦାଖଲ କରିଥିଲେ। କିନ୍ତୁ ୨୦୨୨-୨୩ରେ ଏହା ୨୫ ପ୍ରତିଶତକୁ ହ୍ରାସ ପାଇଛି। ଆର୍ଥିକ ବର୍ଷ ୨୦୨୩-୨୪ରେ ଏହା ପ୍ରାୟ ୨୦ ପ୍ରତିଶତ ସ୍ତରକୁ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି। ଆୟକର ରିଟର୍ଣ୍ଣ ଦାଖଲ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଜିରୋ ଟ୍ୟାକ୍ସ ଲାଏବିଲିଟିଧାରୀ ବା ସରକାରଙ୍କ ଦ୍ବାରା ଧାର୍ଯ୍ୟ ସ୍ଲାବ ତୁଳନାରେ କମ୍ ଆୟ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା କମିବାରେ ଲାଗିଛି। ମୋଟ ରିଟର୍ଣ୍ଣ ଦାଖଲ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଆକଳନ ବର୍ଷ ୨୦୧୧-୧୨ରେ ଏମାନଙ୍କ ସଂଖ୍ୟା ୮୪.୧ ପ୍ରତିଶତ ଥିବାବେଳେ ଆକଳନ ବର୍ଷ ୨୦୨୨-୨୩ରେ ଏହା ୬୪ ପ୍ରତିଶତକୁ କମିଛି।
ମହାରାଷ୍ଟ୍ରରୁ ସବୁଠୁ ଅଧିକ ରିଟର୍ଣ୍ଣ ଦାଖଲ
ରାଜ୍ୟୱାରି ରିଟର୍ଣ୍ଣ ଦାଖଲ ତାଲିକାକୁ ବିଶ୍ଳେଷଣ କରିବାରୁ ଏହା ଜଣାଯାଇଛି ଯେ ମହାରାଷ୍ଟ୍ରରେ ସର୍ବାଧିକ ସଂଖ୍ୟକ ଲୋକ ରିଟର୍ଣ୍ଣ ଦାଖଲ କରିଛନ୍ତି। ଏହା ପଛକୁ ଯଥାକ୍ରମେ ଉତ୍ତରପ୍ରଦେଶ, ଗୁଜରାଟ, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ ଶୀର୍ଷ ୫ଟି ରାଜ୍ୟ ମଧ୍ୟରେ ରହିଛନ୍ତି। ୨୦୨୧-୨୨ ଆକଳନ ବର୍ଷ ତୁଳନାରେ ୨୦୨୨-୨୩ ଆକଳନ ବର୍ଷରେ ୬୪ ଲକ୍ଷ ଅଧିକ ଆୟକର ରିଟର୍ଣ୍ଣ ଦାଖଲ ହୋଇଛି। ସର୍ବାଧିକ ବୃଦ୍ଧି ମହାରାଷ୍ଟ୍ରରେ ହୋଇଥିବାବେଳେ ଏହା ପଛକୁ ଯଥାକ୍ରମେ ଉତ୍ତରପ୍ରଦେଶ, ପଞ୍ଜାବ, ଗୁଜରାଟ ଏବଂ ରାଜସ୍ଥାନ ରହିଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଆଇଟିଆର ରିଟର୍ଣ୍ଣ ଦାଖଲ ପାନକାର୍ଡ ଠିକଣା ଅନୁସାରେ ଆକଳନ ହୋଇଛି। ତେଣୁ ଅନେକ ବ୍ୟକ୍ତିଙ୍କର ଘର ସେମାନେ କାର୍ଯ୍ୟ କରୁଥିବା ରାଜ୍ୟ ତୁଳନାରେ ଭିନ୍ନ। ୬ଟି ରାଜ୍ୟ ଯଥା ଦିଲ୍ଲୀ, ତାମିଲନାଡ଼ୁ, କେରଳ, ଗୁଜରାଟ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ନିଟ୍ ପଜିଟିଭ ମାଇଗ୍ରେସନ ବା ଦେଶାନ୍ତର ହୋଇଛି। ଅର୍ଥାତ ଏସବୁ ରାଜ୍ୟ ଯେତିକି ଲୋକ ଛାଡ଼ୁଛନ୍ତି ତାହା ତୁଳନାରେ ଅଧିକ ଲୋକ ସେଠାକୁ ଆଗମନ କରୁଛନ୍ତି। ଉପରୋକ୍ତ ୬ଟି ନିଟ୍ ପଜିଟିଭ ମାଇଗ୍ରେସନ ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସଡିପି) ପ୍ରାୟ ୮ଟି ନିଟ୍ ନେଗେଟିଭ ମାଇଗ୍ରେସ ରାଜ୍ୟର ଜିଏସଡିପି ସହିତ ସମାନ ବୋଲି କୁହାଯାଇଛି।