୫ ବର୍ଷରେ ସୁନା ଦେଇଛି ୫୬% ରିଟର୍ଣ୍ଣ

ନୂଆଦିଲ୍ଲୀ:ଦେଶରେ ସୁନା ଚାହିଦା ଲଗାତାର ବଢ଼ିବାରେ ଲାଗିଛି। ଦେଶରେ ୨୦୨୦-୨୧ର ଜୁନ ତ୍ରୟମାସିକ ତୁଳନାରେ ୨୦୨୧-୨୨ର ଜୁନ ତ୍ରୟମାସରେ ସୁନା ଚାହିଦାରେ ୧୯.୨ ପ୍ରତିଶତ ବୃଦ୍ଧି ଘଟିଛି। ଏଥିସହିତ ସୁନାରେ ଯଦି କେହି ନିବେଶ କରିବାକୁ ଚାହୁଥାନ୍ତି ତାହେଲେ ଏହା ଏକ ଭଲ ସମୟ ବୋଲି କୁହାଯାଉଛି। ବିଶେଷଜ୍ଞଙ୍କ କହିବାନୁଯାୟୀ, ଆଗାମୀ ଦିନରେ ସୁନା ନିବେଶକମାନେ ଭଲ ରିଟର୍ଣ୍ଣ ପାଇବେ।

ଦୀର୍ଘଦିନ ପାଇଁ ସୁନାରେ ନିବେଶ ମଧ୍ୟ ଲାଭଜନକ ରହୁଛି। ଗତ ୫ ବର୍ଷରେ ସୁନାରେ ଟଙ୍କା ଖଟାଇଥିବା ବ୍ୟକ୍ତିମାନେ ୫୬ ପ୍ରତିଶତ ରିଟର୍ଣ୍ଣ ପାଇଛନ୍ତି। ଅର୍ଥାତ୍ ବର୍ଷକୁ ୧୧ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ସେମାନଙ୍କୁ ମିଳିଛି। କାରଣ ଅଗଷ୍ଟ ୨୦୧୬ରେ ୧୦ ଗ୍ରାମ ପିଛା ସୂନା ମୂଲ୍ୟ ୩୧ ହଜାର ଟଙ୍କା ଥିବାବେଳେ ଏବେ ୪୮ ହଜାର ଟଙ୍କା ରହିଛି।
ଗତ ୫୦ ବର୍ଷର ଦରକୁ ଦେଖିଲେ ସୁନା ମୂଲ୍ୟ ଏହି ସମୟ ମଧ୍ୟରେ ୨୬୧ ଗୁଣ ବଢ଼ିଛି। ୧୯୭୦ ମସିହାରେ ସୁନା ଦର ୧୦ ଗ୍ରାମ ପିଛା ୧୮୪ ଟଙ୍କା ଥିଲା। କିନ୍ତୁ ଏବେ ୪୮ ହଜାର ଟଙ୍କା ରହିଛି। ଗତବର୍ଷ ମଧ୍ୟ ସୁନା ଦାମ ୫୬ ହଜାର ଟଙ୍କା ଟପିଯାଇଥିଲା। କରୋନା ଟିକା ଆସିବା ପରେ ଏହି ଦାମ ୪୩ ହଜାର ଟଙ୍କାକୁ ଖସିଆସିଥିଲା ଏବଂ ପରେ ବୃଦ୍ଧି ପାଇ ଏହା ୪୮ ହଜାର ଟଙ୍କା ରହିଛି।

ଏପରିକି ସୁନା ଦାମ ଆସନ୍ତା ୫ ବର୍ଷରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇପାରେ ବୋଲି ଆକଳନ କରାଯାଉଛି। ଏକ ବିଦେଶୀ ସଂସ୍ଥାର ଆକଳନ ଅନୁଯାୟୀ ଆସନ୍ତା ୩ରୁ ୫ ବର୍ଷ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଆଉନ୍ସ ପିଛା ସୁନା ଦର ୩୦୦୦ରୁ ୫୦୦୦ ଡଲାର ହୋଇପାରେ। ଅର୍ଥାତ୍ ୧୦ ଗ୍ରାମ ପିଛା ସୁନା ମୂଲ୍ୟ ୭୮,୬୯୦ ଟଙ୍କାରୁ ୧ ଲକ୍ଷ ୩୧ ହଜାର ୧୪୦ ଟଙ୍କାରେ ପହଞ୍ଚିପାରେ। ଆଇଆଇଏଫ୍‌ଏଲ୍‌ ସିକ୍ୟୁରିଟିଜ୍‌ର ଉଭସଭାପତି (କମୋଡିଟି ଆଣ୍ଡ୍ କରେନ୍ସି) ଅନୁଜ ଗୁପ୍ତା କୁହନ୍ତି, ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ପୂର୍ବାନୁମାନ କରିବା ଠିକ୍ ହେବନାହିଁ। କିନ୍ତୁ ଅର୍ଥ ବ୍ୟବସ୍ଥାରେ ସୁଧାର ଆସିବା ଲାଗି ସମୟ ଲାଗିବ। ଯେତେ ପର୍ଯ୍ୟନ୍ତ ଅର୍ଥନୀତିରେ ସୁଧାର ନଆସିଛି ସେତେଦିନ ପର୍ଯ୍ୟନ୍ତ ସୁନାରୁ ସର୍ବାଧିକ ରିଟର୍ଣ୍ଣ ମିଳିବ। ତେଣୁ ଏହାକୁ ଦେଖିଲେ ଆସନ୍ତା ବର୍ଷକ ମଧ୍ୟରେ ସୁନା ଦାମ ୬୦ ହଜାର ଟଙ୍କା ଟପିଯାଇପାରେ ବୋଲି ସେ କହିଛନ୍ତି।
ଭାରତରେ ବର୍ଷକୁ ୭୦୦ରୁ ୮୦୦ ଟନ ସୁନା ବ୍ୟବହାର ହେଉଛି। ଏଥିରୁ ଗୋଟିଏ ‌ଟନ୍ ସୁନା ଭାରତରେ ଉତ୍ପାଦନ ହେଉଥିବାବେଳେ ଅବଶିଷ୍ଟ ସୁନା ବିଦେଶରୁ ଆମଦାନୀ ହେଉଛି। ତେଣୁ ଭାରତ ସୁନା କ୍ଷେତ୍ରରେ ଏକ ବଡ଼ ବଜାର ରହିଆସିଛି।

ସମ୍ବନ୍ଧିତ ଖବର