୭ ମା‌ସରେ ରାଜ୍ୟରେ ୩ ଲକ୍ଷ ୬୬ ହଜାର ଗାଡ଼ି ବିକ୍ରି: ଗ୍ରାହକଙ୍କ ପସନ୍ଦ ଏସ୍‌ୟୁଭି, ପ୍ରିମିୟମ୍ ବାଇକ୍

ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷ‌ର ପ୍ରଥମ ସାତ ମାସରେ ରାଜ୍ୟରେ ଗାଡ଼ି ବିକ୍ରି ବେଶ ଉତ୍ସାହଜନକ ରହିଛି। ୨୦୨୨ ଏପ୍ରିଲ୍‌ରୁ ଅକ୍ଟୋବର ଭିତରେ ୩,୬୬,୨୭୬ଟି ଗାଡ଼ି ବିକ୍ରି ହୋଇଛି ଯାହା ପୂର୍ବବର୍ଷର ବିକ୍ରି ତୁଳନାରେ ୩୩ ପ୍ରତିଶତ ଅଧିକ। ଗତବର୍ଷ ଏହି ସମୟରେ ୨,୭୫,୫୪୩ଟି ଗାଡ଼ି ବିକ୍ରି ହୋଇଥିଲା। ଅଟୋମୋବାଇଲ୍‌ ଡିଲର ସଂଘର ମହାସଂଘ (ଏଫ୍ଏଡିଏ) ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଓଡ଼ିଶାରେ ସର୍ବାଧିକ ସଂଖ୍ୟକ ଦୁଇ ଚକିଆ ଗାଡ଼ି ବିକ୍ରି ହେଉଛି। ରାଜ୍ୟରେ ଯେତିକି ଗାଡ଼ି ବିକ୍ରି ହେଉଛି ତାହାର ପ୍ରାୟ ୭୦ ପ୍ରତିଶତ ହେଉଛି ବାଇକ୍ ଓ ସ୍କୁଟର। ଚଳିତ ବର୍ଷ ଏପ୍ରିଲ୍‌ରୁ ଅକ୍ଟୋବର ଭିତରେ ରାଜ୍ୟରେ ୨,୯୩,୧୬୯ଟି ଦୁଇଚକିଆ, ୬,୪୬୨ଟି ତିନି ଚକିଆ, ୧୬,୧୩୭ଟି କମର୍ସିଆଲ ଗାଡ଼ି, ୪୧,୬୮୨ଟି କାର୍ ଓ ୮,୮୨୬ଟି ଟ୍ରାକ୍ଟର ବିକ୍ରି ହୋଇଛି। ଗତବର୍ଷ ତୁଳନାରେ ଟ୍ରାକ୍ଟର ବିକ୍ରିରେ ସାମାନ୍ୟ ହ୍ରାସ ଘଟିଥିବା ବେଳେ ଅନ୍ୟ ସବୁ ପ୍ରକାର ଗାଡ଼ି ବିକ୍ରି ବୃଦ୍ଧି ପାଇଛି।

ଆଜି ଏଫ୍‌ଏଡିଏର ସଭାପତି ମନିଷ ରାଜ ସିଂଘାଣିଆ କହିଛନ୍ତି ଯେ ଚଳିତ ବର୍ଷ ୪୨ ଦିନର ଉତ୍ସବ ଋତୁରେ ରାଜ୍ୟରେ ଗତବର୍ଷ ତୁଳନାରେ ୨୨ ପ୍ରତିଶତ ଅଧିକ ଗାଡ଼ି ବିକ୍ରି ହୋଇଛି। ଇଲେକ୍ଟ୍ରିକ୍ ଯାନ (ଇଭି) ବିକ୍ରିରେ କିନ୍ତୁ ଓଡ଼ିଶା ସାମାନ୍ୟ ପଛୁଆ ରହିଛି। ଏକ୍ଷେତ୍ରରେ ଓଡ଼ିଶା ଜାତୀୟ ହାରଠାରୁ ପଛରେ ରହିଛି। ‌ଓଡ଼ିଶାରେ ଗ୍ରାହକମାନେ ଏସ୍‌ୟୁଭି ଭଳି ବଡ଼ ଗାଡ଼ି ଏବଂ ଦୁଇ ଚକିଆ ଯାନ କ୍ଷେତ୍ରରେ ପ୍ରିମିୟମ୍ ବାଇକ୍‌ ଓ ସ୍କୁଟର କିଣିବାକୁ ଅଧିକ ପସନ୍ଦ କରୁଥିବା ସେ କହିଛନ୍ତି।

ଏହି ଅବସରରେ ସେ କହିଛନ୍ତି ଯେ ଏକ କାର୍‌ ସୋ’ରୁମ୍ ସ୍ଥାପନ କରିବା ଲାଗି ୩୦-୪୦ କୋଟି ଟଙ୍କାର ନିବେଶ କରିବାକୁ ପଡ଼ୁଥିବା ବେଳେ ଦୁଇଚକିଆ ସୋ’ରୁମ୍ ସ୍ଥାପନ କରିବା ଲାଗି ୧୦-୧୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ମାତ୍ର ଯେତେବେଳେ କୌଣସି କଂପାନି ଦେଶ ଛାଡ଼ି ଚାଲିଯାଉଛି, ସେଭଳି ‌ମାମଲାରେ ଗାଡ଼ି ଡିଲର୍‌ସିପ୍‌ଗୁଡ଼ିକ ବିପୁଳ କ୍ଷତି ସହୁଛନ୍ତି। ଏଭଳି ସମସ୍ୟାରୁ ଗାଡ଼ି ଡିଲରମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଲାଗି ‘ଏଫ୍‌ଏଡିଏ’ ଦୁଇଟି ବିଷୟ ଉପରେ କାମ କରୁଛି। ତାହା ହେଉଛି ମଡେଲ୍‌ ଡିଲର ଚୁକ୍ତି ଏବଂ ଅଟୋ ଡିଲର ସୁରକ୍ଷା ନିୟମ। ମଡେଲ୍‌ ଡିଲର ଚୁକ୍ତିକୁ ନେଇ ୯ ଗାଡ଼ି ନିର୍ମାତାଙ୍କ ସହ ଆଲୋଚନା ହୋଇସାରିଛି। ଆସନ୍ତା ୬ ମାସ ଭିତରେ ଏହା କାର୍ଯ୍ୟକାରୀ ହେବ।

ସେହିପରି, ଗାଡ଼ି ଡିଲର ସୁରକ୍ଷା ନିୟମକୁ ନେଇ ଆମେ ୧୫ରୁ ଅଧିକ ସାଂସଦଙ୍କୁ ଭେଟି ଆଲୋଚନା କରିଛୁ। ପ୍ରତି ରାଜ୍ୟରେ ଥିବା ସଂଘଗୁଡ଼ିକ ନିଜ ରାଜ୍ୟର ଦୁଇ ଜଣ ଲେଖାଏଁ ସାଂସଦଙ୍କୁ ଭେଟୁଛନ୍ତି। ଏକ୍ଷେତ୍ରରେ ଅଗ୍ରଗତି ମଧ୍ୟ ଉତ୍ସାହଜନକ ରହିଛି ବୋଲି ସେ କହିଛନ୍ତି। ଗାଡ଼ି ବିକ୍ରି କ୍ଷେତ୍ରରେ ରହିଥିବା ଆହ୍ବାନ ସମ୍ପର୍କର ଆଲୋଚନା କରି ସେ କହିଛନ୍ତି ଯେ ଗାଡ଼ିକୁ କିଣିବା ଏବଂ ତାହାକୁ ଚଲାଇବା ମୂଲ୍ୟ ଏତେ ବଢ଼ିଯାଇଛି ଯେ ଦୁଇଚକିଆ ଯାନ ଓ ଏଣ୍ଟ୍ରି ଲେବଲ୍‌ କାର୍‌ କିଣୁଥିବା ଗ୍ରାହକମାନେ ବେଶ ଚିନ୍ତିତ ହୋଇପଡ଼ିଛନ୍ତି। ତେଲ ଦର ମଧ୍ୟ ଆଉ ଏକ ସମସ୍ୟା ବୋଲି ସେ କହିଛନ୍ତି। ରାଜ୍ୟରେ ଗାଡ଼ି ଡିଲରସିପ୍‌ର ଏକ ସୁଦୃଢ଼ ବ୍ୟବସ୍ଥା ବିକାଶ କରିବା ଲାଗି ରାଜସ୍ଥାନ ଢାଞ୍ଚାରେ ପ୍ରତି ପ୍ରମୁଖ ସହରରେ ସ୍ବତନ୍ତ୍ର ସ୍ଥାନ ଚିହ୍ନଟ କରିବା ଏବଂ ସେହି ଜମିକୁ ସୁଲଭ ମୂଲ୍ୟରେ ଗାଡ଼ି ସୋ’ରୁମ୍ ଖୋଲିବା ଲାଗି ଯୋଗାଇ ଦେବାକୁ ସେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।

ଏହି ଅବସରରେ ଏଫ୍‌ଏଡିଏ ଓଡ଼ିଶାର ଅଧ୍ୟକ୍ଷ ପ୍ରଦୀପ ଅଗ୍ରୱାଲ୍ କହିଛନ୍ତି ଯେ ରାଜ୍ୟରେ ଏଫ୍‌ଏଡିଏ ଅଧୀନରେ ୧୧୦୦ ଡିଲର୍‌ସିପ୍‌ ରହିଛି ଯେଉଁଥିରେ ୨ ଲକ୍ଷରୁ ଅଧିକ ଲୋକ କାମ କରୁଛନ୍ତି। ୨୦୨୨ରେ ସଂଘ ୧,୪୦୦ କୋଟି ଟଙ୍କାର ସଡ଼କ ଟିକସ ସଂଗ୍ରହ କରିଛି। ଗାଡ଼ି ବିକ୍ରିରୁ ରାଜ୍ୟରେ ୫,୪୦୦ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି ବୋଲି ସେ କହିଛନ୍ତି। ଏହି ଅବସରରେ ଏଫ୍‌ଏଡିଏର ସିଇଓ ସହର୍ଷ ଦମାନି ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର