୭ ବର୍ଷରେ ଏଲ୍‌ପିଜି ଦୁଇଗୁଣା ମହଙ୍ଗା: ପେଟ୍ରୋଲ୍‌, ଡିଜେଲ୍‌ ଟିକସ ଆୟ ୪୫୯% ବୃଦ୍ଧି

ନୂଆଦିଲ୍ଲୀ: ବିଗତ ସାତ ବର୍ଷ ଭିତରେ ଏଲ୍‌ପିଜି ଦାମ୍ ଦୁଇ ଗୁଣା ବୃଦ୍ଧି ପାଇ ୮୧୯ ଟଙ୍କାରେ ପହଞ୍ଚିଛି। ସେହି ସମୟରେ ପେଟ୍ରୋଲ୍ ଓ ଡିଜେଲ୍‌ରୁ ଟିକସ ସଂଗ୍ରହ ୪୫୯% ବଢ଼ିଛି ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣାଇଛନ୍ତି। ଲୋକସଭାରେ ଲିଖିତ ଉତ୍ତର ଦେଇ ସେ ଜଣାଇଛନ୍ତି ଯେ ୨୦୧୪ ମାର୍ଚ୍ଚ ୧ରେ ୧୪.୨ କେଜି ବିଶିଷ୍ଟ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ୪୧୦.୫ ଟଙ୍କା ଥିଲା। ଏବେ ‌ସେହି ଦାମ୍ ୮୧୯ ଟଙ୍କାରେ ପହଞ୍ଚିଛି। ବିଗତ କିଛି ବର୍ଷରେ ଗ୍ୟାସ୍‌ ଓ ପିଡିଏସ୍‌ କିରାସିନି ଦାମ୍‌ରେ ସ୍ବଳ୍ପ ପରିମାଣର ନିୟମିତ ବୃଦ୍ଧି ଯୋଗୁଁ ଏଥିରେ ଦିଆଯାଉଥିବା ସବ୍‌ସିଡି ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ ହୋଇଛି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ କିଛି ମାସରେ ଏଲ୍‌ପିଜି ଅଧିକ ମହଙ୍ଗା ହୋଇଛି। ୨୦୨୦ ଡିସେମ୍ବରରେ ସିଲିଣ୍ଡର ପିଛା ଦାମ୍ ୫୯୪ ଟଙ୍କା ଥିଲା।

ପିଡିଏସ୍‌ ଜରିଆରେ ବିକ୍ରି ହେଉଥିବା କିରାସିନିର ଲିଟର ପିଛା ଦାମ୍ ୨୦୧୪ ମାର୍ଚ୍ଚରେ ୧୪ ଟଙ୍କା ୯୬ ପଇସା ଥିଲା। ଚଳିତ ମାସରେ ସେହି ମୂଲ୍ୟ ୩୫ ଟଙ୍କା ୩୫ ପଇସାକୁ ବୃଦ୍ଧି ପାଇଛି। ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ଆକାଶଛୁଆଁ ସ୍ତରରେ ରହିଛି। ଦିଲ୍ଲୀରେ ଏକ ଲିଟର ପେଟ୍ରୋଲ୍ ଦାମ୍ ୯୧ ଟଙ୍କା ୧୭ ପଇସା ଓ ଡିଜେଲ୍‌ ଦାମ୍ ୮୧ ଟଙ୍କା ୪୭ ପଇସା ରହିଛି। ଶ୍ରୀ ପ୍ରଧାନ ଜଣାଇଛନ୍ତି ଯେ ୨୦୧୦ ଜୁନ୍‌ ୨୬ରେ ପେଟ୍ରୋଲ୍‌ ଓ ୨୦୧୪ ‌ଅକ୍ଟୋବରରେ ଡିଜେଲ୍ ଦାମ୍‌ ନିର୍ଧାରଣ ପ୍ରକ୍ରିୟା ସରକାରୀ ନିୟନ୍ତ୍ରଣରୁ ମୁକ୍ତ ହୋଇଥିଲା। ଏହା ପରଠାରୁ ତେଲ କଂପାନିଗୁଡ଼ିକ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦାମ୍, ଡଲାରର ବିନିମୟ ମୂଲ୍ୟ, ଟିକସ ଢାଞ୍ଚା, ଦେଶ ଭିତରେ ପରିବହନ ମୂଲ୍ୟ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବିଚାରକୁ ନେଇ ପେଟ୍ରୋଲ୍ ଓ ଡିଜେଲ୍‌ର ଦାମ୍ ନିର୍ଧାରଣ କରୁଛନ୍ତି। ପେଟ୍ରୋଲ୍ ଓ ଡିଜେଲ୍‌ରେ ଲଗାଯାଇଥିବା ଟିକସରୁ ୨୦୧୩ରେ ସରକାର ୫୨,୫୩୭ କୋଟି ଟଙ୍କା ଆୟ କରିଥିଲେ। ୨୦୧୯-୨୦ରେ ତାହା ୨ ଲକ୍ଷ ୧୩ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୧୧ ମାସରେ ଏବାବଦରେ ୨.୯୪ କୋଟି ଟଙ୍କା ଆଦାୟ କରାଯାଇଛି।ପେଟ୍ରୋଲ୍‌ରୁ କେନ୍ଦ୍ର ସରକାର ଏବେ ୩୨ ଟଙ୍କା ୯୦ ପଇସା ଓ ଡିଜେଲ୍‌ରୁ ୩୧ ଟଙ୍କା ୮୦ ପଇସାର ଟିକସ ଆୟ କରୁଛନ୍ତି। ୨୦୧୮ରେ ପେଟ୍ରୋଲ୍‌ରେ ଟିକସ ପରିମାଣ ୧୭ ଟଙ୍କା ୯୮ ପଇସା ଓ ଡିଜେଲ୍‌ରେ ୧୩ ଟଙ୍କା ୮୩ ପଇସା ଥିଲା।

୨୦୧୬-୧୭ରେ ସରକାର ପେଟ୍ରୋଲ୍‌, ଡିଜେଲ୍, ବିମାନ ଇନ୍ଧନ, ପ୍ରାକୃତିକ ଗ୍ୟାସ୍‌ ଓ ଅଶୋଧିତ ତୈଳରୁ ୨.୩୭ ଲକ୍ଷ କୋଟି ଟଙ୍କାର ଉତ୍ପାଦନ ଶୁଳ୍କ ଆୟ କରିଥିଲେ। ୨୦୨୦-୨୧ର ଏପ୍ରିଲ୍‌-ଜାନୁଆରି ମଧ୍ୟରେ ସେବାବଦରେ ୩.୦୧ ଲକ୍ଷ କୋଟି ଟଙ୍କା ଆୟ କରିଛନ୍ତି। ୨୦୧୪ରୁ ୨୦୧୬ ଭିତରେ କେନ୍ଦ୍ର ସରକାର ପେଟ୍ରୋଲ୍‌ ଓ ଡିଜେଲ୍‌ରେ ଉତ୍ପାଦନ ଶୁଳ୍କ ୯ ଥର ବଢ଼ାଇଛନ୍ତି। ୧୫ ମାସ ଭିତରେ ସରକାର ପେଟ୍ରୋଲ୍‌ରେ ଉତ୍ପାଦନ ଶୁଳ୍କ ୧୧ ଟଙ୍କା ୭୭ ପଇସା ଓ ଡିଜେଲ୍‌ରେ ୧୩ ଟଙ୍କା ୪୭ ପଇସା ବଢ଼ାଇଥିଲେ। ଫଳରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦାମ୍‌ରେ ଯେଉଁ ହ୍ରାସ ଘଟିଥିଲା ତାହାର ଲାଭ ଲୋକମାନଙ୍କ ପାଖରେ ପହଞ୍ଚିପାରିନାହିଁ। ୨୦୧୭ ଅକ୍ଟୋବରରେ ସରକାର ତେଲ ଉପରୁ ୨ ଟଙ୍କାର ଶୁଳ୍କ ହ୍ରାସ କରିଥିଲେ ଓ ବର୍ଷକ ପରେ ଆଉ ଦେଢ଼ ଟଙ୍କାର ଟିକସ ହ୍ରାସ କରିଥିଲେ। ଏହା ପରେ ୨୦୧୯ ଜୁଲାଇରେ ପୁଣି ଥରେ ଟିକସ ୨ ଟଙ୍କା ବଢ଼ିବା ପରେ ୨୦୨୦ ମାର୍ଚ୍ଚରେ ଆଉ ତିନି ଟଙ୍କା, ମେ’ରେ ପେଟ୍ରୋଲ୍‌ରେ ୧୦ ଟଙ୍କା ଓ ଡିଜେଲ୍‌ରେ ୧୩ ଟଙ୍କା ବଢ଼ିଥିଲା।

ସମ୍ବନ୍ଧିତ ଖବର