ଭୁବନେଶ୍ବର: ଗତ ଡିସେମ୍ବର ଦେଶର ଗାଡ଼ି ଶିଳ୍ପ ଲାଗି ସାମାନ୍ୟ ଖରାପ ସାବ୍ୟସ୍ତ ହୋଇଥିବା ବେଳେ ଓଡ଼ିଶା ପାଇଁ କିନ୍ତୁ ବେଶ ଉତ୍ସାହଜନକ ରହିଛି। ଏହି ମାସରେ ରାଜ୍ୟରେ ପ୍ରାୟ ୫୦ ହଜାର ଗାଡ଼ି ବିକ୍ରି ହୋଇଛି। ବାଇକ୍‌, ସ୍କୁଟରଠାରୁ ଆରମ୍ଭ କରି କାର୍‌ ପର୍ଯ୍ୟନ୍ତ ସବୁ ପ୍ରକାର ଗାଡ଼ି ବିକ୍ରି ବଢ଼ିଛି। ୨୦୨୧ ଡିସେମ୍ବର ତୁଳନାରେ ୨୦୨୨ ଡିସେମ୍ବରରେ ୪୪.୩୧ ପ୍ରତିଶତ ଅଧିକ ଗାଡ଼ି ବିକ୍ରି ହୋଇଛି। ଫେଡେରେସନ ଅଫ୍ ଅଟୋମୋବାଇଲ୍‌ ଡିଲର୍ସ ଆସୋସିଏସନ୍ସ (ଏଫ୍‌ଏଡିଏ)ର ଓଡ଼ିଶା ଚାପ୍ଟର ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ୨୦୨୨ ଡ‌ିସେମ୍ବରରେ ରାଜ୍ୟରେ ଦୁଇଚକିଆ ଯାନ ବିକ୍ରି ୪୩.୧୮ ପ୍ରତିଶତ, ତିନି ଚକିଆରେ ୧୧୩.୬୭ ପ୍ରତିଶତ, କମର୍ସିଆଲ୍ ଗାଡ଼ି ବିକ୍ରିରେ ୫୫.୬୬ ପ୍ରତିଶତ, କାର୍‌ରେ ୪୪.୦୮ ପ୍ରତିଶତ ଏବଂ ଟ୍ରାକ୍ଟର ବିକ୍ରିରେ ୧୯.୦୪ ପ୍ରତିଶତ ବୃଦ୍ଧି ହୋଇଛି। ସର୍ବଭାରତୀୟ ସ୍ତରରେ ଗାଡ଼ି ବିକ୍ରି ଗତ ଡିସେମ୍ବରରେ ୫.୪୦ ପ୍ରତିଶତ ହ୍ରାସ ପାଇଛି।

Advertisment

publive-image

ଏହି ମାସରେ ଦେଶରେ ୧୬ ଲକ୍ଷ ୨୨ ହଜାର ୩୧୭ଟି ଗାଡ଼ି ବିକ୍ରି ହୋଇଛି ଯାହା ୨୦୨୧ ଡିସେମ୍ବରରେ ହୋଇଥିବା ୧୭ ଲକ୍ଷ ୧୪ ହଜାରରୁ ଅଧିକ ଗାଡ଼ି ବିକ୍ରି ତୁଳନାରେ କମ୍। ରାଜ୍ୟରେ ଗାଡ଼ି ଶିଳ୍ପର ପ୍ରଦର୍ଶନ ସମ୍ପର୍କରେ ଏଫ୍‌ଏଡିଏର ଓଡ଼ିଶା ରାଜ୍ୟ ଅଧ୍ୟକ୍ଷ ପ୍ରଦୀପ ଅଗ୍ରୱାଲ୍ କହିଛନ୍ତି ଯେ ଗତ ଡିସେମ୍ବରରେ ଜାତୀୟ ହାରଠାରୁ ଓଡ଼ିଶା ବଜାର ଉନ୍ନତ ପ୍ରଦର୍ଶନ କରିଛି। ଦୁଇଚକିଆ ସମେତ ସବୁ ପ୍ରକାର ଗାଡ଼ି ବିକ୍ରିରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି। ୨୦୨୩ ଜାନୁଆରିରୁ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ଧାରା ବଜାୟ ରହିବ। ଆଗକୁ ଗାଡ଼ି ଶିଳ୍ପରେ ଆହୁରି ଉନ୍ନତି ହେବ ବୋଲି ସେ କହିଛନ୍ତି।