ପୂର୍ବ ଭାରତରେ ବିକ୍ରି ହୁଏ ୨୦% ସୁନା: ବିକ୍ରିରେ ମହିଳାଙ୍କ ଗହଣା ଭାଗ ୯୦%, ସେନ୍‌କୋ ଖୋଲିବ ୩୦ ନୂଆ ଷ୍ଟୋର

କିଟ୍‌ ଛକରେ ଖୋଲିଲା ‘ଡି’ସିଗ୍ନିଆ’ ‌

ଭୁବନେଶ୍ବର: ଗହଣା ସୋ’ରୁମ୍‌ଗୁଡ଼ିକରେ ଯେତିକି ଗହଣା ବିକ୍ରି ହୁଏ ସେଥିରୁ ୯୦% ହେଉଛି ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଗହଣା। ବିକ୍ରିରେ ପୁରୁଷମାନେ ବ୍ୟବହାର କରୁଥିବା ଗହଣା ଭାଗ ହେଉଛି ମାତ୍ର ୧୦ ପ୍ରତିଶତ। ଆଜି ପଟିଆର କିଟ୍ ଛକ ନିକଟରେ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସର ନୂଆ ‘ଡି’ସିଗ୍ନିଆ’ ସୋ’ରୁମ୍‌କୁ ଉଦ୍‌ଘାଟନ କରିବା ଅବସରରେ କଂପାନିର ସିଇଓ ଶୁଭଙ୍କର ସେନ୍ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଷ୍ଟୋର୍‌ରେ ପ୍ରବେଶ କରୁଥିବା ଗ୍ରାହକମାନେ ହାରାହାରି ଭାବେ ମହିଳାଙ୍କ ଅଳଙ୍କାର କିଣିବାରେ ୪୦-୪୫ ହଜାର ଟଙ୍କା ଓ ପୁରୁଷ ଅଳଙ୍କାର କିଣିବା ବେଳେ ୬୦-୭୦ ହଜାର ଟଙ୍କା ଖର୍ଚ୍ଚ କରିଥାନ୍ତି।

ଗହଣା ବଜାର ବିଷୟରେ ଆଲୋଚନା କରି ସେ କହିଛନ୍ତି ଯେ ଦେଶର ୧୫-୨୦% ଗହଣା ପୂର୍ବ ଭାରତରେ ବିକ୍ରି ହୋଇଥାଏ। ସର୍ବାଧିକ (୪୦%) ଗହଣା ଦକ୍ଷିଣ ଭାରତରେ ବିକ୍ରି ହେଉଥିବା ବେଳେ ଉତ୍ତର ଭାରତରେ ୨୫% ଓ ପଶ୍ଚିମ ଭାରତରେ ୨୦-୨୧% ଗହଣା ବିକ୍ରି ହୋଇଥାଏ। ସେ ସୂଚନା ଦେଇଛନ୍ତି ଯେ ମହାମାରୀର ଦ୍ବିତୀୟ ଲହର ପ୍ରଭାବ ଦୂର ହେବା ପରେ ଗହଣା ଷ୍ଟୋର୍‌ଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ବଢ଼ିଛି। ଲୋକମାନେ ବିବାହ ଉତ୍ସବ ଲାଗି ଅଧିକ ଗହଣା କିଣୁଛନ୍ତି। ଗତ ଚାରି ମାସରେ ବିକ୍ରିରେ ୪୦-୫୦% ଭଳି ବୃଦ୍ଧି ହୋଇଛି। ଆସନ୍ତା ୬ ମାସରେ ବିକ୍ରିରେ ୨୫-୩୦% ବୃଦ୍ଧି ହେବ ବୋଲି ସେ ଆକଳନ କରିଛନ୍ତି। ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସର ସମ୍ପ୍ରସାରଣ ବିଷୟରେ ସେ କହିଛନ୍ତି ଯେ ଭୁବନେଶ୍ବରରେ ଆଜି ଚଳଚ୍ଚିତ୍ର ଅଭିନେତ୍ରୀ ଦେବିକା ଅରୁନ୍ଧତୀ ସାମଲ ଉଦ୍‌ଘାଟନ କରିଥିବା ସୋ’ରୁମ୍‌ଟି ହେଉଛି ସାରା ଦେଶରେ ଆମର ୧୨୨ତମ ଷ୍ଟୋର୍‌। ଆସନ୍ତା ୩ ବର୍ଷରେ ଆମେ ‌ଆଉ ୩୦ଟି ନୂଆ ଷ୍ଟୋର୍‌ ଖୋଲିବାକୁ ଯୋଜନା ରଖିଛୁ। ଓଡ଼ିଶାରେ ଆମର ୮ଟି ସୋ’ରୁମ୍ ରହିଛି। ଆଗାମୀ ଦିନରେ ପୁରୀ, ଅନୁଗୁଳ, ସମ୍ବଲପୁର ଓ ରାଉରକେଲା ଭଳି ସହରରେ ନୂଆ ଷ୍ଟୋର୍‌ ଖୋଲିବା ବିଷୟରେ ଆମେ ବିଚାର କରୁଛୁ ବୋଲି ଶ୍ରୀ ସେନ୍‌ କହିଛନ୍ତି। ଡି’ ସିଗ୍ନିଆରେ ଉଦ୍‌ଘାଟନୀ ଅଫରରେ ସୁନା ଗହଣାର ଗଢ଼ା ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ ଓ ହୀରା ଗହଣା ଗଢ଼ା ମୂଲ୍ୟ ଉପରେ ୧୦୦% ରିହାତି ପ୍ରଦାନ କରାଯାଉଛି। ଏହି ଅବସ‌ରରେ କଂପାନିର ନିର୍ଦେଶିକା (ମାର୍କେଟିଂ ଓ ଡିଜାଇନ୍) ଜୋଇତା ସେନ୍ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର