ଭାରତରେ ଖାଇବା ତେଲ ଆହୁରି ମହଙ୍ଗା ହେବ! ତାଳ ତେଲ ରପ୍ତାନି ନିଷିଦ୍ଧ କଲା ଇଣ୍ଡୋନେସିଆ

ନୂଆଦିଲ୍ଲୀ, ୨୩/୪: ଇଣ୍ଡୋନେସିଆର ତେଲ ଏବଂ ଖାଦ୍ୟ ସାମଗ୍ରୀର ଦାମ୍ ବୃଦ୍ଧି ପାଇଛି। ଦରଦାମ ବୃଦ୍ଧି ଉପରେ ଲଗାମ ଲଗାଇବା ପାଇଁ ଇଣ୍ଡୋନେସିଆ ତାଳ ତେଲ ରପ୍ତାନି ଉପରେ କଟକଣା ଲଗାଇଛି। ଶୁକ୍ରବାର ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋ ଘୋଷଣା କରିବା ପରେ ଏ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ଚଳିତମାସ ୨୮ ତାରିଖରୁ ଅନ୍ୟାଦେଶ ପର୍ଯ୍ୟନ୍ତ ଉକ୍ତ ନିୟମ କାର୍ଯ୍ୟକାରୀ ହେବ।

ଇଣ୍ଡୋନେସିଆ ବିଶ୍ବରେ ତାଳତେଲର ଏକ ପ୍ରମୁଖ ଉତ୍ପାଦନ ଏବଂ ରପ୍ତାନିକାରୀ ଦେଶ। ତେଣୁ ଇଣ୍ଡୋନେସିଆ ସରକାରଙ୍କ ଏଭଳି ନିଷ୍ପତ୍ତି ଆଗାମୀ ଦିନରେ ବିଶ୍ବରେ ଖାଇବା ତେଲ ଦାମକୁ ଆହୁରି ବଢ଼ାଇ ଦେବା ଆଶଙ୍କା ସୃଷ୍ଟି ହୋଇଛି। ବିଶେଷକରି ଭାରତରେ ତେଲ ଦାମ ବଢ଼ିବା ଆଶଙ୍କା ରହିଛି। ୟୁକ୍ରେନ ଉପରେ ରୁଷ୍‌ ସାମରିକ କାର୍ଯ୍ୟାନୁଷ୍ଠାନ ନେବାପରେ ସୂର୍ଯ୍ୟମୁଖୀ ତେଲ ଯୋଗାଣ ବ୍ୟାହତ ହୋଇଛି। ଏହାର ପ୍ରଭାବରେ ତେଲଦାମ ବଢ଼ିଛି। ବର୍ତ୍ତମାନ ଇଣ୍ଡୋନେସିଆ ସରକାରଙ୍କ ଏଭଳି ନିଷ୍ପତ୍ତି ଖାଇବା ତେଲର ଦରଦାମକୁ ଆହୁରି ବଢ଼ାଇ ଦେଇପାରେ।

ଏକ ଭିଡିଓ ବାର୍ତ୍ତାରେ ଇଣ୍ଡୋନେସିଆ ରାଷ୍ଟ୍ରପତି କହିଛନ୍ତି ବିଶ୍ବର ସର୍ବାଧିକ ତାଳ ତେଲ ଉତ୍ପାଦନ କରୁଥିବା ରାଷ୍ଟ୍ରରେ ସୁଲଭ ମୂଲ୍ୟରେ ଖାଦ୍ୟ ସାମଗ୍ରୀର ଉପଲବ୍ଧତାକୁ ନିଶ୍ଚିତ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ରାଷ୍ଟ୍ରପତି ଏହି ନୀତିର କାର୍ଯ୍ୟକାରିତାକୁ ଅନୁଧ୍ୟାନ କରିବେ ଯାହାଦ୍ବାରା ଦେଶରେ ଖାଇବା ତେଲ ପର୍ଯ୍ୟାପ୍ତ ମାତ୍ରାରେ ଏବଂ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ ବୋଲି ରାଷ୍ଟ୍ରପତି କହିଛନ୍ତି। ସଲଭେଣ୍ଟ୍ ଏକ୍ସଟ୍ରାକ୍ଟର୍ସ ଆସୋସିଏସନ ଅଫ୍ ଇଣ୍ଡିଆର ସଭାପତି ଅତୁଲ ଚତୁର୍ବେଦୀ କୁହନ୍ତି, ତାଳ ତେଲ ବିଶ୍ବରେ ବହୁଳ ମାତ୍ରାରେ ବ୍ୟବହୃତ ହୋଇଥାଏ। ତେଣୁ ଏହା ଭାରତ ସମେତ ବିଶ୍ବକୁ ପ୍ରଭାବିତ କରିବ। ଏହା ଏକ ଦୁର୍ଭାଗ୍ୟଜନକ ଏବଂ ଅପ୍ରତ୍ୟାଶିତ ନିଷ୍ପତ୍ତି ବୋଲି ସେ କହିଛନ୍ତି। ୟୁକ୍ରେନ ଉପରେ ରୁଷ୍‌ ଆକ୍ରମଣ କରିବା ପରଠାରୁ କୃଷ୍ଣ ସାଗର ଦେଇ ସୂର୍ଯ୍ୟମୁଖୀ ତେଲ ପରିବହନ ବାଧାପ୍ରାପ୍ତ ହୋଇଛି। ଏହି ସାଗର ଦେଇ ବିଶ୍ବର ପ୍ରାୟ ୭୬ ପ୍ରତିଶତ ସୂର୍ଯ୍ୟମୁଖୀ ତେଲ ପରିବହନ ହୋଇଥାଏ। ସୂର୍ଯ୍ୟମୁଖୀ ତେଲ ଯୋଗାଣ ବ୍ୟାହତ ହେବା ପରେ ବ୍ୟବସାୟୀମାନେ ‌ତାଳ ତେଲ ଆମଦାନି ଉପରେ ଅଧିକ ନିର୍ଭର କରୁଥିଲେ। କିନ୍ତୁ ଇଣ୍ଡୋନେସିଆର ଏଭଳି ନିଷ୍ପତ୍ତି ସେମାନଙ୍କୁ ଚିନ୍ତାରେ ପକାଇଛି। ବିଶ୍ବର ଦ୍ବିତୀୟ ବୃହତ୍ ତାଳ ତେଲ ଉତ୍ପାଦନକାରୀ ଏବଂ ରପ୍ତାନିକାରୀ ଦେଶ ମାଲେସିଆ ଏହି ଅଭାବକୁ ପୂରଣ କରିବାରେ ସମର୍ଥ ହେବନାହିଁ। ଭାରତରେ ପାଇକାରୀ ବଜାରରେ ତାଳ ତେଲ ଦର ଲିଟର ପିଛା ପ୍ରାୟ ୧୫୦ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ସୋରିଷ ତେଲ ୧୬୫ ଟଙ୍କାରୁ ଏବଂ ସୂର୍ଯ୍ୟମୁଖୀ ତେଲ ୧୭୫ ଟଙ୍କାରୁ ବିକ୍ରି ହେଉଛି। ତେଣୁ ଇଣ୍ଡୋନେସିଆର ରପ୍ତାନି କଟକଣା ପ୍ରଭାବରେ ଏହା ଆହୁରି ବଢ଼ିଯିବ ବୋଲି ବ୍ୟବସାୟୀମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର