ଭୁବନେଶ୍ବର: ରାଜ୍ୟରେ ଗାଡ଼ି ବିକ୍ରି କ୍ଷେତ୍ରରେ ସୁଧାର ଘଟୁଛି। ଗତ ଜୁନ୍ରେ ୪୨ ହଜାରରୁ ଅଧିକ ଗାଡ଼ି ବିକ୍ରି ହୋଇଛି। ଗତ ମେ’ ମାସରେ ରାଜ୍ୟରେ ୧୫,୦୯୦ ଗାଡ଼ି ବିକ୍ରି ହୋଇଥିଲା। ଏହା ତୁଳନାରେ ଜୁନ୍ରେ ବିକ୍ରି ଯଥେଷ୍ଟ ବଢ଼ିଛି। କରୋନା ସଙ୍କଟ ଦୃଷ୍ଟିରୁ ଏହାକୁ ଏକ ସକାରାତ୍ମକ ସଙ୍କେତ ଭାବେ ବିବେଚନା କରାଯାଇଛି। ମାତ୍ର, ଗତବର୍ଷ ଜୁନ୍ ତୁଳନାରେ ଗାଡ଼ି ବିକ୍ରି ଏବେବି ବହୁତ କମ୍ ରହିଛି। ୨୦୧୯ ଜୁନ୍ରେ ରାଜ୍ୟରେ ୬୪,୦୧୦ ଗାଡ଼ି ବିକ୍ରି ହୋଇଥିଲା। ଗତବର୍ଷ ତୁଳନାରେ ଚଳିତ ବର୍ଷ ଜୁନ୍ରେ ୩୩.୧୩ ପ୍ରତିଶତ କମ୍ ଗାଡ଼ି ବିକ୍ରି ହୋଇଛି ବୋଲି ଅଟୋମୋବାଇଲ୍ ଡିଲର୍ ସଂଘଗୁଡ଼ିକର ମହାସଂଘ (ଫାଡା) ପକ୍ଷରୁ ଜାରି କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି। କରୋନା ସଙ୍କଟ ମୁକାବିଲା ଲାଗି ଗତ ମାର୍ଚ୍ଚ ୨୫ରେ ଲକ୍ଡାଉନ୍ ଘୋଷଣା ହେବା ପରେ ଏପ୍ରିଲ୍ରେ ସାରା ଦେଶରେ ଗୋଟିଏ ବି ଗାଡ଼ି ବିକ୍ରି ହୋଇନଥିଲା। ମାତ୍ର ମେ’ରେ ସୋ’ରୁମ୍ଗୁଡ଼ିକ ଖୋଲିବା ସହ ଓଡ଼ିଶାରେ ୧୫,୦୯୦ ଗାଡ଼ି ବିକ୍ରି ହୋଇଥିଲା। ଜୁନ୍ରେ ଗାଡ଼ି ବିକ୍ରିରେ ଦ୍ରୁତ ସୁଧାର ଘଟିଛି। ମେ’ ତୁଳନାରେ ଜୁନ୍ରେ ପାଖାପାଖି ତିନି ଗୁଣା ଗାଡ଼ି ବିକ୍ରି ହୋଇଛି।
ଫାଡା ତଥ୍ୟ ଅନୁଯାୟୀ, ଗତ ଜୁନ୍ରେ ଦୁଇଚକିଆ ଯାନ ଅଧିକ ବିକ୍ରି ହୋଇଛି। ଏହି ମାସରେ ଓଡ଼ିଶାରେ ୩୭,୦୭୨ଟି ସ୍କୁଟର ଓ ବାଇକ୍ ବିକ୍ରି ହୋଇଛି। ୫୦୬ଟି ତିନିଚକିଆ ଯାନ ବିକ୍ରି ହୋଇଥିବା ବେଳେ ୩୧୬୮ଟି କାର୍ ଓ ୧୪୪୫ଟି ଟ୍ରାକ୍ଟର ବିକ୍ରି ହୋଇଛି। ବାଣିଜ୍ୟିକ ଯାନ ବିକ୍ରି ନୈରାଶ୍ୟଜନକ ସ୍ଥିତିରେ ଥିବା ବେଳେ ଗତ ଜୁନ୍ରେ ମାତ୍ର ୬୧୫ଟି ବାଣିଜ୍ୟିକ ଯାନ ବିକ୍ରି ହୋଇଛି। ଯଦି ୨୦୧୯ର ଜୁନ୍ ମାସ ସହ ବିକ୍ରି ତଥ୍ୟକୁ ତୁଳନା କରାଯିବ ତେବେ ଟ୍ରାକ୍ଟରକୁ ବାଦ ଦେଲେ ଅନ୍ୟ ସବୁ ପ୍ରକାର ଗାଡ଼ି ବିକ୍ରିରେ ବଡ଼ଧରଣର ହ୍ରାସ ଘଟିଛି। ଗତବର୍ଷ ଜୁନ୍ରେ ରାଜ୍ୟରେ ୫୪,୩୫୬ ଦୁଇଚକିଆ, ୧୮୪୨ଟି ତିନିଚକିଆ, ୨୩୮୩ଟି ବାଣିଜ୍ୟିକ ଯାନ, ୪୨୭୯ଟି କାର୍ ଏବଂ ୧୧୪୯ଟି ଟ୍ରାକ୍ଟର ବିକ୍ରି ହୋଇଛି। ଗତବର୍ଷର ଜୁନ୍ ତୁଳନାରେ ଚଳିତ ବର୍ଷ ୨୫.୭୬% ଅଧିକ ଟ୍ରାକ୍ଟର ବିକ୍ରି ହୋଇଛି। ମାତ୍ର ବାଇକ୍ ଓ ସ୍କୁଟର ବିକ୍ରି ୩୧.୮୦ ପ୍ରତିଶତ, ତିନିଚକିଆ ଯାନ ବିକ୍ରି ୭୨.୫୪ ପ୍ରତିଶତ, ବାଣିଜ୍ୟିକ ଯାନ ବିକ୍ରି ୭୪.୧୯ ପ୍ରତିଶତ ଓ କାର୍ ବିକ୍ରି ୨୫.୯୬ ପ୍ରତିଶତ ହ୍ରାସ ପାଇଛି।
ସାରା ଦେଶରେ ଜୁନ୍ ମାସରେ ୯,୮୪,୩୯୫ ଗାଡ଼ି ବିକ୍ରି ହୋଇଛି। ସେଥି ମଧ୍ୟରୁ ୭,୯୦,୧୧୮ଟି ହେଉଛି ଦୁଇଚକିଆ, ୧୧,୯୯୩ଟି ତିନି ଚକିଆ, ୧୦,୫୦୯ଟି ବାଣିଜ୍ୟିକ ଯାନ, ୧,୨୬,୪୧୭ଟି ଯାତ୍ରୀବାହୀ ଯାନ ଓ ୪୫,୩୫୮ଟି ହେଉଛି ଟ୍ରାକ୍ଟର। ଗତବର୍ଷ ଜୁନ୍ ତୁଳନାରେ ଗାଡ଼ି ବିକ୍ରି ୪୨ ପ୍ରତିଶତ ହ୍ରାସ ପାଇଛି। ୨୦୧୯ ଜୁନ୍ରେ ଦେଶରେ ୧୬,୯୭,୧୬୬ଟି ଗାଡ଼ି ବିକ୍ରି ହୋଇଥିଲା।