ଉନ୍ନତ କୌଶଳର ଚାର୍ଜର, ୧୦ ସେକେଣ୍ଡ୍‌ରୁ ବି କମ୍‌ ସମୟରେ ହେବ ମୋବାଇଲ୍‌ ଚାର୍ଜ

ନୂଆଦିଲ୍ଳୀ: ଯଦି ଆମକୁ ଆମ ଫୋନ୍‌ର ସବୁଠାରୁ କିଛି ବେଶି ବିରକ୍ତ କରାଉଥାଏ ତାହା ହେଉଛି ଫୋନ୍‌ର ବ୍ୟାଟେରି। ପ୍ରାୟ ୨ରୁ ୩ ଘଣ୍ଟା ନ ବସାଇଲେ ଫୋନ୍‌ ପୂରା ଚାର୍ଜ ହେଉନଥିବା ହେତୁ ଅଧିକାଂଶ ସମୟରେ ଅଧାରୁ ବ୍ୟାଟେରି ସରିଯାଏ। କେତେବେଳେ ପୁଣି ବାହାରକୁ ବାହାରୁଥିଲେ ହାତରେ ସମୟ କମ୍‌ ଥିବାରୁ ଧୀର ଗତିରେ ଫୋନ୍‌ ଚାର୍ଜ ହେବା ବିରକ୍ତି ଭାବର କାରଣ ହୋଇଥାଏ। ଆଉ ମାତ୍ର ୨ ବର୍ଷ ମଧ୍ୟରେ ସେପରି ସମସ୍ୟା ଦେଖା ଦେବ ନାହିଁ ବୋଲି ସୂଚନା ରହିଛି। ଏପରି ଏକ ଉନ୍ନତ କୌଶଳର ଚାର୍ଜର ବାହାରିବ ଯାହା ଦ୍ୱାରା ୧୦ ସେକେଣ୍ଡ୍‌ରୁ ବି କମ୍‌ ସମୟରେ କରି ହେବ ମୋବାଇଲ୍‌ ଚାର୍ଜ।

ଆଜିକାଲିର ଗୁଡ଼ାଏ ସମସ୍ୟା ବିଷୟରେ ଆଲୋଚନା କରି ଗ୍ରାଫେନ୍‌ କମ୍ପାନି ପକ୍ଷରୁ ଜାଣିବାକୁ ମିଳିଛି ଯେ ନିକଟ ଭବିଷ୍ୟତରେ କମ୍ପାନି ଦ୍ରୁତ ଇଣ୍ଟର୍‌ନେଟ୍‌ ସେବା, ପିଇବା ପାଣି ସ୍ୱଚ୍ଛ କରିବା ପ୍ରଣାଳୀ ଏବଂ ଖୁବ୍‌ ଶୀଘ୍ର ମୋବାଇଲ୍‌ ଚାର୍ଜ ହେବା ପାଇଁ ଚାର୍ଜର ବାହାର କରିବା ଆଦିର ଦାୟିତ୍ୱ ନିଜ ମୁଣ୍ଡକୁ ନେଇଛି। ଚଳିତବର୍ଷ ଆରମ୍ଭରୁ କମ୍ପାନି ପକ୍ଷରୁ ପ୍ରକାଶ କରାଯାଇଥିଲା ଯେ ଗ୍ରାଫେନ୍‌ର ଏକ ପାଓ୍ଵାର୍‌ ବ୍ୟାଙ୍କ୍‌ ମାତ୍ର ୨୦ ମିନିଟ୍‌ ମଧ୍ୟରେ ମୋବାଇଲ୍‌କୁ ୧୦୦ ପ୍ରତିଶତ ଚାର୍ଜ କରାଇଥାଏ।

ଗ୍ରାଫେନ୍‌ର ଗବେଷକ କାରି ଏଚ୍‌ଜେଲ୍‌ଟଙ୍କ କହିବା ଅନୁଯାୟୀ, ଆଗକୁ ଆସିବାକୁ ଥିବା ଏହି ଅତ୍ୟାଧୁନିକ ଚାର୍ଜର ସାହାଯ୍ୟରେ ମାତ୍ର ୭ ସେକେଣ୍ଡ୍‌ ମଧ୍ୟରେ କରି ହେବ ଫୋନ୍‌ ଚାର୍ଜ। ସାମ୍‌ସଙ୍ଗ୍‌ ଏବେଠାରୁ ହିଁ ଗ୍ରାଫେନ୍‌ କୌଶଳ ଅବଲମ୍ବନ କରିବା ଆରମ୍ଭ କରି ଦେଇଛି। ଫଳରେ ତାହାକୁ ସ୍ମାର୍ଟଫୋନ୍‌ରେ ବ୍ୟବହାର କଲେ ଅତି ବେଶିରେ ୧୨ ମିନିଟ୍‌ରେ ଫୋନ୍‌ଟି ପୂରା ଚାର୍ଜ ହୋଇଯିବ ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର