ଓଡ଼ିଶାରେ ମାସକୁ ବିକ୍ରି ହେଉଛି ୫୫୦୦୦ ଟନ୍ ଖାଇବା ତେଲ: ପି ଚନ୍ଦ୍ରଶେଖର ରେଡ୍ଡି
ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ
ଫ୍ରିଡମ୍ ରିଫାଇନଡ୍ ସନ୍ଫ୍ଲାୱାର ଅଏଲ୍ କଂପାନିର ଉପସଭାପତି (ବିକ୍ରି ଓ ବିପଣନ) ପି ଚନ୍ଦ୍ରଶେଖର ରେଡ୍ଡି କରୋନା ମହାମାରୀର ପ୍ରଭାବ, ଓଡ଼ିଶାର ଖାଇବା ତେଲ ବଜାର, କ୍ଷମତା ସମ୍ପ୍ରସାରଣ ଓ ନୂଆ ଉତ୍ପାଦ ଭଳି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି।
ଲକ୍ଡାଉନ୍ ପରେ ମୁଣ୍ଡପିଛା ଖାଇବା ତେଲ ବ୍ୟବହାର କେତେ ରହିଛି?
ଲକ୍ଡାଉନ୍ ସମୟରେ ଖାଦ୍ୟ ଓ ପାନୀୟ ଆଉଟ୍ଲେଟ୍ଗୁଡ଼ିକ ବନ୍ଦ ରହିଥିଲା। ଲୋକମାନେ ଘର ରୋଷେଇ ଉପରେ ନିର୍ଭରଶୀଳ ହୋଇପଡ଼ିଥିଲେ। ଫ୍ରିଡମ୍ ହେଲ୍ଦି କୁକିଂ ଅଏଲସ୍ର ସନ୍ଫ୍ଲାୱାର ଅଏଲ୍ ଓ ଅନ୍ୟ ପ୍ରକାର ତେଲର ବିକ୍ରି ଲକ୍ଡାଉନ୍ ସମୟରେ ବଢ଼ିଥିଲା। ଭାରତରେ ମୁଣ୍ଡପିଛା ଖାଇବା ତେଲ ବ୍ୟବହାର ବର୍ଷକୁ ୧୫-୧୬ ଲିଟର୍ ରହିଛି। ଅର୍ଥାତ ମାସକୁ ମୁଣ୍ଡପିଛା ୧.୨୫ ଲିଟର ତେଲ। କୋଭିଡ୍-୧୯ ପାଇଁ ବିବାହ ଓ ଅନ୍ୟାନ୍ୟ କାର୍ଯକ୍ରମ ଆଦି ବନ୍ଦ ରହିବା କାରଣରୁ ପାମ୍ ଅଏଲ୍ ଚାହିଦା ୫୦% ହ୍ରାସ ପାଇଥିଲା। ଶିଳ୍ପ କ୍ଷେତ୍ରର ଚାହିଦା ଚଳନୀୟ ଥିଲା। ଓଡ଼ିଶା, ତେଲେଙ୍ଗାନା, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ ବ୍ୟବହୃତ ହେଉଥିବା ସନ୍ଫ୍ଲାୱାର ଅଏଲ୍ ବ୍ୟବହାରରେ ୧୦-୧୫% ବୃଦ୍ଧି ହୋଇଥିଲା।
ଖାଇବା ତେଲ ଶିଳ୍ପ ଉପରେ ମହାମାରୀର କିଭଳି ପ୍ରଭାବ ପଡ଼ିଛି?
କରୋନା ମହାମାରୀ ପ୍ରଭାବରେ ସାରା ବିଶ୍ବରେ ଜନଜୀବନ ଠପ୍ ହୋଇଯାଇଥିଲା। ଲକ୍ଡାଉନ୍ ସମୟରେ ଗହମ, ଚାଉଳ, ଡାଲି, ଖାଇବା ତେଲ, ସ୍ବଚ୍ଛତା ସାମଗ୍ରୀ, ସାନିଟାଇଜର, ମାସ୍କ ଓ ଅନ୍ୟାନ୍ୟ ଆବଶ୍ୟକ ଜିନିଷ ଚାହିଦା ବଢ଼ିଥିଲା। ଗ୍ରାହକଙ୍କ ପସନ୍ଦ ଅନୁସାରେ ଦୂରଦୂରାନ୍ତ ପର୍ଯ୍ୟନ୍ତ ଜିନିଷ ପହଞ୍ଚାଇବା ଏକ ବଡ଼ ଆହ୍ବାନ ଭାବେ ଉଭା ହୋଇଥିଲା। ଖାଦ୍ୟ ଉତ୍ପାଦନଠାରୁ ଆରମ୍ଭ କରି ପ୍ରକ୍ରିୟାକରଣ, ବିପଣନ ଏବଂ ବ୍ୟବହାର ପର୍ଯ୍ୟନ୍ତ ସବୁ କିଛିରେ ସମସ୍ୟା ଦେଖାଦେଇଥିଲା। ଖାଦ୍ୟ ପରିଚାଳନା ବ୍ୟବସ୍ଥାରେ ଥିବା ଦୁର୍ବଳତାକୁ ମହାମାରୀ ସାମ୍ନାକୁ ଆଣିଛି। ମହାମାରୀ ଆମକୁ ଏହା ଜଣାଇଛି ଯେ ଗ୍ରାହକମାନଙ୍କ ପ୍ରତି ପ୍ରାସଙ୍ଗିକ ରହିବାକୁ ହେଲେ ପ୍ରଯୁକ୍ତିରେ ଉନ୍ନତି ଏବଂ ବ୍ୟବସ୍ଥାରେ ନବସୃଜନ ଆବଶ୍ୟକ।
ଓଡ଼ିଶାର ଖାଇବା ତେଲ ବଜାର କେତେ ବଡ଼?
ଓଡ଼ିଶାରେ ମାସକୁ ୫୫ ହଜାର ମେଟ୍ରିକ୍ ଟନ୍ର ଖାଇବା ତେଲ ବିକ୍ରି ହେଉଛି। ସେଥିରେ ସନ୍ଫ୍ଲାୱାର ଅଏଲ୍ର ଭାଗ ୧୫-୨୦% ରହିଛି। ମୂଲ୍ୟ ଦୃଷ୍ଟିରୁ ବେଶ୍ ସମ୍ବେଦନଶୀଳ ଓଡ଼ିଶାର ଗ୍ରାହକମାନେ ମୁଖ୍ୟତଃ ପାମ୍ ଅଏଲ୍ ଓ ସୋରିଷ ତେଲ ବ୍ୟବହାର କରୁଛନ୍ତି। ମାତ୍ର କିଛି ମାସ ହେଲାଣି ଲୋକମାନେ ଗୁଣାତ୍ମକ ମାନର ବ୍ରାଣ୍ଡ୍ ପ୍ରତି ଆକର୍ଷିତ ହୋଇଥିବା ଦେଖିବାକୁ ମିଳିଛି।
ଉତ୍ପାଦନ କ୍ଷମତା ବଢ଼ାଇବା ଯୋଜନା ଅଛି କି?
କାକିନାଡାରେ ୧୨ ଏକର ଜମିରେ ସ୍ଥାପନ କରାଯାଇଥିବା ଆଧୁନିକ କାରଖାନାକୁ ଆମେ କାର୍ଯ୍ୟକ୍ଷମ କରିଛୁ। ପୂର୍ବାଞ୍ଚଳର ଉପକୂଳରେ ଏକ ନୂଆ ରିଫାଇନାରି ସ୍ଥାପନ କରିବା ଲାଗି ଆମେ ଯୋଜନା ରଖିଛୁ। ବର୍ତ୍ତମାନ ଆମ କାରଖାନାଗୁଡ଼ିକର ଦୈନିକ ଉତ୍ପାଦନ କ୍ଷମତା ୨୩୫୦ ମେଟ୍ରିକ୍ ଟନ୍ ରହିଛି। ନୂଆ କାରଖାନା ସ୍ଥାପନ ହେବା ପରେ ଫ୍ରିଡମ୍ ହେଲ୍ଦି କୁକିଂ ଅଏଲ୍ର ଉତ୍ପାଦନ ବଢ଼ିବ। ସ୍ପର୍ଶବିହୀନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ଆମେ ଉତ୍ପାଦନ ପ୍ରକ୍ରିୟାକୁ ସ୍ବୟଂକ୍ରିୟ କରିବା ଉପରେ ଅଧିକ ଗୁରୁତ୍ବ ଦେଉଛୁ।
କଂପାନି କିଛି ନୂଆ ଉତ୍ପାଦ ଆଣିବ କି?
ସନ୍ଫ୍ଲାୱାର ବର୍ଗରେ ଫ୍ରିଡମ୍ ଏକ ପରିଚିତ ନାମ। ଆଗାମୀ କିଛି ବର୍ଷ ଆମେ ରାଇସ୍ ବ୍ରାନ୍, ସୋରିଷ ଓ ବାଦାମ ତେଲର ବିପଣନ ଓ ଯୋଗାଣ ଉପରେ ଗୁରୁତ୍ବାରୋପ କରିବୁ।
ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍ ବିଷୟରେ ଆପଣଙ୍କ ମତ କ’ଣ?
ସମ୍ବାଦ ତରଫରୁ ଏହା ଏକ ଶ୍ରେଷ୍ଠ ଅଭିଯାନ। ଓଡ଼ିଶାରୁ ଏମିତି ଅନେକ କଂପାନି ରହିଛନ୍ତି ଯେଉଁମାନେ ସାରା ଭାରତରେ ଏତେଟା ପରିଚିତ ହୋଇପାରିନାହାନ୍ତି। ରାଜ୍ୟ ଭିତରୁ ଗଢ଼ି ଉଠିଥିବା ବ୍ରାଣ୍ଡ୍ ଓ ଉତ୍ପାଦକୁ ଉପସ୍ଥାପିତ କରିବା ଲାଗି ଏହା ଏକ ଭଲ ମଂଚ ଯାହା ଉଦୀୟମାନ ଉଦ୍ୟୋଗୀଙ୍କ ପାଇଁ ଓଡ଼ିଶାରେ ପ୍ରତିଦ୍ବନ୍ଦ୍ବିତା ଓ ଅନୁକୂଳ ପରିବେଶ ସୃଷ୍ଟି କରିବ।