ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରାଯିବା ପରେ ସେଠାରେ ହିଂସକ ପ୍ରଦର୍ଶନ ଜାରି ରହିଛି। କିନ୍ତୁ ଗତ ଏକ ବର୍ଷ ଭି‌ତରେ ସେଠାକାର ଲୋକ ସାମ୍ନା କରୁଥିବା ସବୁଠୁ ବଡ଼ ସମସ୍ୟା ହେଉଛି ଦରଦାମ୍। ଅଟାଠାରୁ ଆରମ୍ଭ କରି ପେ‌ଟ୍ରୋଲ୍ ପର୍ଯ୍ୟନ୍ତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଦାମ୍ ବହୁତ ବଢ଼ିଛି। ସେଥିପାଇଁ ଲୋକମାନେ ଖାଇବାପିଇବା ଲାଗି ସଂଘର୍ଷ କରୁଛନ୍ତି। ପାକିସ୍ତାନରେ ଏକ କେଜି ଅଟା ଦାମ୍ ୧୪୬ ପ୍ରତିଶତ ବୃଦ୍ଧି ପାଇ ୧୫୦ ପାକିସ୍ତାନୀ ଟଙ୍କା ହୋଇଛି। ଚାଉଳ କେଜି ଦାମ୍ ମଧ୍ୟ ଏହି ସମୟରେ ୧୧୪ ଟଙ୍କାରୁ ବୃଦ୍ଧି ପାଇ ୩୫୦ ପାକିସ୍ତାନୀ ଟଙ୍କା ହୋଇଯାଇଛି। ପେଟ୍ରୋଲ୍‌ ୮୮ ପ୍ରତିଶତ ମହଙ୍ଗା ହୋଇଛି। ଭାରତ ଭଳି ସୁଲଭ ମୂଲ୍ୟରେ ରୁଷ୍‌ରୁ ତେଲ ମଗାଇବା ଲାଗି ପାକିସ୍ତାନ ଉଦ୍ୟମ କରୁଛି। ପାକିସ୍ତାନର ଦରଦାମ୍ ସ୍ଥିତି ଦେବାଳିଆ ହୋଇପଡ଼ିଥିବା ଶ୍ରୀଲଙ୍କାଠାରୁ ମଧ୍ୟ ଅଧିକ। ଏପ୍ରିଲ୍‌ରେ ପାକିସ୍ତାନର ମୁଦ୍ରାସ୍ଫୀତି ୩୬.୪ ପ୍ରତିଶତ ହୋଇଛି ଯାହା ୧୯୬୪ ପରେ ସବୁଠୁ ଅଧିକ। ଶ୍ରୀଲଙ୍କାର ମୁଦ୍ରାସ୍ଫୀତି ସେହି ମାସରେ ସାମାନ୍ୟ କମ୍ ୩୫.୩ ପ୍ରତିଶତ ରହିଛି।