ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଲାଗି ଆମେରିକୀୟ ଡଲାର ଅତ୍ୟନ୍ତ ମହଙ୍ଗା ହୋଇପଡ଼ିଛି। ଏକ ଡଲାର କିଣିବା ଲାଗି ପାକିସ୍ତାନକୁ ୨୮୭.୨୯ ପାକିସ୍ତାନୀ ଟଙ୍କା ଗଣିବାକୁ ପଡ଼ୁଛି। ଡଲାର ତୁଳନାରେ ପାକିସ୍ତାନୀ ଟଙ୍କା ମୂଲ୍ୟ ସର୍ବକାଳୀନ ନିମ୍ନ ସ୍ତରକୁ ଖସିଆସିଛି। ପାକିସ୍ତାନ ଟଙ୍କା ଦୁର୍ବଳ ହେବାର କାରଣ ହେଉଛି ଏହାର ଗଚ୍ଛିତ ବୈେଦଶିକ ମୁଦ୍ରା ଭଣ୍ଡାରରେ ମାତ୍ର ୪୨୪ କୋଟି ଡଲାର ରହିଛି ଯାହା ଅତ୍ୟନ୍ତ ଚିନ୍ତାଜନକ। ଅନ୍ୟ ପକ୍ଷରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ଠାରୁ ୬୦୦ କୋଟି ଡଲାର ଋଣ ପାଇବା ଲାଗି ଯେତେ ଚେଷ୍ଟା କରୁଥିଲେ ମଧ୍ୟ ପାକିସ୍ତାନ ସଫଳ ହେଉନାହିଁ। ଏହି ଦୁଇ କାରଣ ପାଇଁ ଡଲାର ତୁଳନାରେ ପାକିସ୍ତାନୀ ଟଙ୍କା ଦୁର୍ବଳ ହେବାରେ ଲାଗିଛି। ଗତ ମାସରେ ଗୋଟିଏ ଡଲାର କିଣିବା ଲାଗି ୨୮୫ ପାକିସ୍ତାନୀ ଟଙ୍କା ଗଣିବାକୁ ପଡ଼ୁଥିଲା।
ଏବେ ପାକିସ୍ତାନୀ ମୁଦ୍ରା ଆହୁରି ଦୁର୍ବଳ ହୋଇଛି। ଆଇଏମ୍ଏଫ୍ ପାଣ୍ଠି ପାଇବା ଲାଗି ପାକିସ୍ତାନ ସରକାର ଏହାର ବହୁ କଠୋର ସର୍ତ୍ତ ମାନିଛନ୍ତି। ପେଟ୍ରୋଲ ଓ ଡିଜେଲ୍ ଉପରେ ଟିକସ ବଢ଼ାଇବା ସହ ଡଲାର ତୁଳନାରେ ନିଜ ମୁଦ୍ରାର ମୂଲ୍ୟ ମଧ୍ୟ ହ୍ରାସ କରିଛନ୍ତି। ତଥାପି ଆଇଏମ୍ଏଫ୍ ପାଣ୍ଠି ଦେଉନାହିଁ। ଗତବର୍ଷ ପ୍ରଳୟଙ୍କରୀ ବନ୍ୟାକୁ ସାମ୍ନା କରିଥିବା ପାକିସ୍ତାନ ନିଜର ଆର୍ଥିକ ମେରୁଦଣ୍ଡକୁ ସଳଖିବା ଲାଗି ଉଦ୍ୟମ କରୁଛି। ଆର୍ଥିକ ଶୃଙ୍ଖଳା ହାସଲ କରିବାରେ ପାକିସ୍ତାନ ବିଫଳ ହୋଇଥିବାରୁ ଆଇଏମ୍ଏଫ୍ ଆଉ ଏକ କଠୋର ସର୍ତ୍ତ ଉପସ୍ଥାପନ କରିଛି। ତାହା ହେଉଛି ପୁଣି ଥରେ ପାଣ୍ଠି ବିଷୟରେ ଆଲୋଚନା କରିବା ପୂର୍ବରୁ ପ୍ରଥମେ ଏହାକୁ ସାଉଦି ଆରବ ଓ ୟୁଏଇଠାରୁ ଋଣ ପ୍ରତିଶ୍ରୁତି ହାସଲ କରିବାକୁ ପଡ଼ିବ।