ରାଜସ୍ଥାନରେ ପେଟ୍ରୋଲ୍ ୧୦୦ ଟପିଲା, ପୂର୍ବ ସରକାରକୁ ଦୋଷ ଦେଲେ ମୋଦୀ

ନୂଆଦିଲ୍ଲୀ: ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ମହଙ୍ଗା ହେବା ପରଠାରୁ ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦରରେ ହେଉଥିବା ନିୟମିତ ବୃଦ୍ଧିକୁ ନେଇ ଗ୍ରାହକମାନେ ବେଶ ଚିନ୍ତିତ ହୋଇପଡ଼ିଛନ୍ତି। ଆଜି ରାଜସ୍ଥାନରେ ପେଟ୍ରୋଲ୍ ଦାମ୍ ପ୍ରଥମ ଥର ଲାଗି ୧୦୦ ଟଙ୍କାରୁ ଅଧିକ ହୋଇଛି। ରାଜସ୍ଥାନର ଶ୍ରୀଗଙ୍ଗାନଗର ସହରରେ ପେଟ୍ରୋଲ୍ ୧୦୦.୧୩ ଟଙ୍କାରେ ବିକ୍ରି ହୋଇଛି। ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରର କିଛି ସ୍ଥାନରେ ମଧ୍ୟ ୧୦୦ ଟଙ୍କାରୁ ଅଧିକ ମୂଲ୍ୟରେ ପେଟ୍ରୋଲ୍ ବିକ୍ରି କରାଯାଇଛି। ଆଜି ଭୁବନେଶ୍ବରରେ ପେଟ୍ରୋଲ୍‌ ଦାମ୍ ୯୦ ଟଙ୍କା ୨୫ ପଇସା ଡିଜେଲ୍ ଦାମ୍ ୮୭ ଟଙ୍କା ୧୨ ପଇସା ରହିଛି।

ତୈଳ ଦରବୃଦ୍ଧି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁହଁ ଖୋଲି ଏହି ସମସ୍ୟା ପାଇଁ ପୂର୍ବର ସରକାର ସରକାର ଦାୟୀ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଯଦି ତୈଳ ଆମଦାନି ଉପରେ ରହିଥିବା ନିର୍ଭରଶୀଳତାକୁ ପୂର୍ବ ସରକାର ହ୍ରାସ କରିବାକୁ ଉଦ୍ୟମ କରିଥା‌ନ୍ତେ ତେବେ ଆଜିର ଦିନରେ ମଧ୍ୟବିତ୍ତ ବର୍ଗର ଲୋକମାନଙ୍କୁ କଷ୍ଟ ସହିବାକୁ ପଡ଼ୁନଥାନ୍ତା। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ୨୦୧୯-୨୦ରେ ଭାରତ ଏହାର ଆବଶ୍ୟକତାର ୮୫% ତୈଳ ଓ ୫୩ ପ୍ରତିଶତ ଗ୍ୟାସ୍‌ ଆମଦାନି କରିଛି। ଭାରତ ଭଳି ଏକ ବିବିଧ ଓ ପ୍ରତିଭାବାନ ଦେଶ ତୈଳ ଆମଦାନି ଉପରେ ଏଭଳି ନିର୍ଭରଶୀଳ ରହିବା ‌ଉଚିତ କି ବୋଲି ମୋଦୀ ପ୍ରଶ୍ନ କରିଛନ୍ତି। ତାମିଲନାଡୁରେ ଏକ ‌ତୈଳ ଓ ଗ୍ୟାସ୍‌ ପ୍ରକଳ୍ପର ଉଦଘାଟନ ଅବସରରେ ସେ ଏହା କହିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ମୁଁ କାହାକୁ ସମାଲୋଚନା କରିବାକୁ ଚାହୁନାହିଁ। କିନ୍ତୁ ପୂର୍ବରୁ ଯଦି ଏହି ବିଷୟ ଉପରେ ଧ୍ୟାନ ଦିଆଯାଇଥାନ୍ତା ମଧ୍ୟବିତ୍ତ ବର୍ଗ ପ୍ରଭାବିତ ହୋଇନଥାନ୍ତେ। ଆମ ସରକାର ମଧ୍ୟବିତ୍ତଙ୍କ କଥା ଚିନ୍ତା କରୁଛି। ଚାଷୀ ଓ ଗ୍ରାହକଙ୍କୁ ସାହାଯ୍ୟ କରିବା ଲାଗି ଇଥାନଲ୍ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଦେଶରେ କ୍ରମାଗତ ନବମ ଦିନ ପାଇଁ ପେଟ୍ରୋଲ୍ ମୂଲ୍ୟରେ ବୃଦ୍ଧି ଘଟିଛି। ପେଟ୍ରୋଲ୍‌ର ଲିଟର ପିଛା ମୂଲ୍ୟରେ ଟିକସ ଭାଗ ୬୦% ଓ ଡିଜେଲ୍‌ରେ ୫୪ ପ୍ରତିଶତ ରହିଛି। ରାଜସ୍ବ ହରାଇବା ଭୟରେ କେନ୍ଦ୍ର କିମ୍ବା ରାଜ୍ୟ ସରକାର କେହି ଟିକସ କମ୍ କରିବାକୁ ଚାହୁନାହାନ୍ତି। ତୈଳ ଦର ନିର୍ଧାରଣ କରିବା ଲାଗି କଂପାନିଗୁଡ଼ିକୁ ସ୍ବାଧୀନତା ଦିଆଯାଇଥିବାରୁ ସେମାନେ ଆନ୍ତର୍ଜାତିକ ବଜାର ମୂଲ୍ୟ ଓ ଡଲାରର ବିନିମୟ ମୂଲ୍ୟ ବିଚାରକୁ ନେଇ ପ୍ରତିଦିନ ତୈଳ ଦର ବଢ଼ାଉଛନ୍ତି। ଅତୀତରେ ନିର୍ବାଚନ ସମୟରେ ତୈଳ ଦରବୃଦ୍ଧି ହଠାତ୍‌ କିଛି ଦିନ ପର୍ଯ୍ୟନ୍ତ ଅଟକି ଥିବାର ଅନେକ ଉଦାହରଣ ରହିଛି। ଏହା ପଛରେ ସରକାରଙ୍କ ନିର୍ଦେଶ ଥାଏ ବୋଲି ଅନୁମାନ କରାଯାଏ। କିନ୍ତୁ ଏଥର ତାମିଲନାଡୁ, ପଶ୍ଚିମବଙ୍ଗ, ଆସାମ, ପୁଡୁଚେରି ଓ କେରଳରେ ଏପ୍ରିଲ୍‌ରେ ହେବାକୁ ଥିବା ନିର୍ବାଚନ ନେଇ ଉଷ୍ମତା ବଢ଼ୁଥିଲେ ମଧ୍ୟ ତୈଳ ଦରକୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ଲାଗି ଉଦ୍ୟମ ହେଉନାହିଁ। ‌କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଛି ଦିନ ତଳେ ସ୍ପଷ୍ଟ କରିଥିଲେ ଯେ ପେଟ୍ରୋଲ୍ ଓ ଡିଜେଲ୍ ଉପରୁ ଟିକସ ହ୍ରାସ କରିବାର ସରକାରଙ୍କ କୌଣସି ଯୋଜନା ନାହିଁ।

ତେବେ ଆଜି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶକ୍ତି ପାଇଁ ଆମଦାନି ଉପରେ ରହିଥିବା ନିର୍ଭରଶୀଳତା ହ୍ରାସ କରିବା ଲାଗି ସରକାର ବିବିଧ ଉତ୍ସରୁ ଶକ୍ତି ହାସଲ କରିବା ଲାଗି ଉଦ୍ୟମ କରୁଛନ୍ତି। ୨୦୩୦ ସୁଦ୍ଧା ୪୦ ପ୍ରତିଶତ ଶକ୍ତି ଅକ୍ଷୟ ଶକ୍ତି ଉତ୍ସରୁ ହାସଲ କରିବା ଲକ୍ଷ୍ୟ ରଖାଯାଇଛି। ସୌର ଶକ୍ତି ଉତ୍ପାଦନ ବଢ଼ାଇବା ସହ ସାର୍ବଜନୀନ ପରିବହନ, ଏଲ୍‌ଇଡି ବଲ୍‌ବର ବହୁଳ ବ୍ୟବହାର, ଗାଡ଼ି ପାଇଁ ସ୍କ୍ରାପେଜ୍ ନୀତି ଓ ସୌର ଶକ୍ତି ଚାଳିତ ପାଣି ପମ୍ପ୍ ଆଦି ଉପରେ ଅଧିକ ଧ୍ୟାନ ଦିଆଯାଉଛି ବୋଲି ସେ କହିଛନ୍ତି। ‌

ସମ୍ବନ୍ଧିତ ଖବର