ଗ୍ରାମାଞ୍ଚଳରେ ପ୍ରତି ୪ରେ ଜଣେ ବେକାର

ମୁମ୍ବାଇ: ଗ୍ରାମାଞ୍ଚଳରେ ବେକାରି ସମସ୍ୟା ଉତ୍କଟ ହୋଇଛି। ପ୍ରତି ଚାରି ଜଣଙ୍କ ମଧ୍ୟରୁ ଜଣେ ବେକାର ଥିବା ଜଣାପଡ଼ିଛି। ସେଣ୍ଟର୍‌ ଫର ମନିଟରିଂ ଇଣ୍ଡିଆନ୍ ଇକୋନମି (ସିଏମ୍‌ଆଇଇ) ରିପୋର୍ଟ ଅନୁଯାୟୀ, ମେ’ ୨୪ ସୁଦ୍ଧା ଗ୍ରାମାଞ୍ଚଳର ବେକାରି ହାର ୨୫.୦୯ ପ୍ରତିଶତକୁ ବୃଦ୍ଧି ପାଇଛି। ଏହାର ପୂର୍ବ ସପ୍ତାହରେ ଏହି ହାର ୨୨.୭୯ ପ୍ରତିଶତ ଥିଲା। ଅର୍ଥାତ ସପ୍ତାହକ ଭିତରେ ଅନେକ ଲୋକ ବେକାର ହୋଇଛନ୍ତି।ଲକ୍‌ଡାଉନ୍‌ କଟକଣାରୁ ଗ୍ରାମୀଣ ଅର୍ଥନୀତି ଧୀରେ ଧୀରେ ମୁକ୍ତ ହେଉଥିଲେ ମଧ୍ୟ ଗ୍ରାମାଞ୍ଚଳରେ ବେକାର ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏବେ ପ୍ରତି ଚାରି ଜଣଙ୍କ ମଧ୍ୟରୁ ଜଣେ ବେକାର ଜୀବନ ଅତିବାହିତ କରୁଛନ୍ତି। ଯେହେତୁ ଅନେକ ପ୍ରବାସୀ ଶ୍ରମିକ ନିଜ ଗାଁକୁ ଫେରୁଛନ୍ତି ତେଣୁ ଆଗାମୀ ସପ୍ତାହଗୁଡ଼ିକରେ ଏହି ସ୍ଥିତି ଆହୁରି ଜଟିଳ ରୂପ ଧାରଣ କରିବ ବୋଲି ସିଏମ୍‌ଆଇଇ ଆକଳନ କରିଛି। ଭାରତୀୟ ରେଳ ଦେଇଥିବା ତଥ୍ୟ ଅନୁସାରେ ଶ୍ରମିକ ସ୍ପେସାଲ୍‌ ଟ୍ରେନ୍‌ଗୁଡ଼ିକରେ ଏହା ମେ’ ୧ ପରଠାରୁ ୩୫ ଲକ୍ଷ ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ଫେରିଛନ୍ତି। ଆସନ୍ତା ୮-୧୦ ଦିନରେ ଆଉ ୩୬ ଲକ୍ଷ ଶ୍ରମିକ ଟ୍ରେନ୍‌ରେ ଯାତାୟାତ କରିବେ।

ଅଧିକ ଶ୍ରମିକ ଗାଁରେ ପହଞ୍ଚିଲେ ସେମାନଙ୍କ ପାଇଁ କାମର ଅଭାବ ରହିଛି। ଏମିତିରେ ଗ୍ରାମୀଣ ଅର୍ଥନୀତିରେ ଲୋକଙ୍କୁ ଜୀବିକା ପ୍ରଦାନ କରିବା ଏକ ଆହ୍ବାନ ହୋଇରହିଛି। ଯେତିକି ଶ୍ରମିକ ଗାଁରେ ରହୁଛନ୍ତି ସେମାନଙ୍କୁ ସହଜରେ କାମ ମିଳେନାହିଁ। ପ୍ରବାସୀ ଶ୍ରମିକ ଫେରିବା ପରେ ଗ୍ରାମୀଣ ଶ୍ରମ ବଜାରରେ ବିପୁଳ ପରିମାଣର ଶ୍ରମିକ ଉପଲବ୍ଧ ହେବେ। ବେକାରି ହାର ଦୃଷ୍ଟିରୁ ସହରାଞ୍ଚଳର ତଥ୍ୟ କିନ୍ତୁ ଉତ୍ସାହଜନକ ରହିଛି। ସହରାଞ୍ଚଳରେ ବେକାରି ହାର ୨୨.୭୨ ପ୍ରତିଶତକୁ ହ୍ରାସ ପାଇଛି ଯାହା ମେ’ ୧୭ ସୁଦ୍ଧା ଶେଷ ସପ୍ତାହରେ ୨୬.୯୫% ଭଳି ଉଚ୍ଚ‌ ସ୍ତରରେ ପହଞ୍ଚିଥିଲା। ଦୋକାନ ବଜାର, ଷ୍ଟୋର୍‌ ଏବଂ କାରଖାନାଗୁଡ଼ିକ ଖୋଲିବା ପରେ ସହରାଞ୍ଚଳ ବେକାରି ହାରରେ ଉନ୍ନତି ଘଟିଛି। ତେବେ ଦେଶର ସାମଗ୍ରିକ ବେକାରି ହାର ମେ’ ୨୪ ସୁଦ୍ଧା ୨୪.୩୪ ପ୍ରତିଶତ ରହିଛି ବୋଲି ସିଏମ୍‌ଆଇଇ ଜଣାଇଛି।

ସମ୍ବନ୍ଧିତ ଖବର