କଲମ୍ବୋ: ଶ୍ରୀଲଙ୍କାର ଆର୍ଥିକ ସଂକଟ ଦିନକୁ ଦିନ ଗୁରୁତର ହେବାରେ ଲାଗିଛି। ମାର୍ଚ୍ଚ ମାସରେ ଦେଶର ମୁଦ୍ରାସ୍ଫୀତି ୧୮.୭ ପ୍ରତିଶତ ଛୁଇଁଛି। ଅନ୍ୟପକ୍ଷରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଖାଲି ହେବା ପରିସ୍ଥିତିକୁ ଆସିଯାଇଛି। ମାର୍ଚ୍ଚ ସୁଦ୍ଧା ଶ୍ରୀଲଙ୍କାର ବିଦେଶୀ ମୁଦ୍ରା ଭଣ୍ଡାରରେ ୧.୯୩ ବିଲିଅନ ଡଲାରର ବିଦେଶୀ ମୁଦ୍ରା ରହିଛି। ଗତ ଦୁଇବର୍ଷ ମଧ୍ୟରେ ଶ୍ରୀଲଙ୍କାର ବିଦେଶୀ ମୁଦ୍ରା ଭଣ୍ଡାରରେ ୭୦ ପ୍ରତିଶତ ହ୍ରାସ ଘଟିଛି। ଦେଶରେ ପେଟ୍ରୋଲ, ଡିଜେଲ ସମେତ ଅତ୍ୟାବଶ୍ୟକ ଔଷଧ ମଧ୍ୟ ମିଳୁନାହିଁ। ଏଥିଯୋଗୁ ସାମାଜିକ ଓ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ଏଭଳି ପରିସ୍ଥିତିରେ ଶ୍ରୀଲଙ୍କାର କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାରରେ ଅପ୍ରତ୍ୟାଶିତ ଭାବେ ୭ ପ୍ରତିଶତ ବୃଦ୍ଧି ଘୋଷଣା କରିଛି। କେନ୍ଦ୍ରୀୟ ବ୍ୟାଙ୍କର ଆର୍ଥିକ ବୋର୍ଡ ଶୁକ୍ରବାର ଷ୍ଟାଣ୍ଡିଂ ଡିପୋଜିଟ୍ ଫାସିଲିଟି ରେଟ୍ (ଏସ୍ଡିଏଫ୍ଆର୍) ଏବଂ ଷ୍ଟାଣ୍ଡିଂ ଲେଣ୍ଡିଂ ଫାସିଲିଟି ରେଟ୍(ଏସ୍ଏଲ୍ଏଫ୍ଆର୍)ରେ ୭ ପ୍ରତିଶତ ବୃଦ୍ଧି କରି ଯଥାକ୍ରମେ ୧୩.୫୦ ପ୍ରତିଶତ ଏବଂ ୧୪.୫୦ ପ୍ରତିଶତ ରଖିଛି। ଏପ୍ରିଲ ୮ ତାରିଖରୁ ଏହାକୁ କାର୍ଯ୍ୟକାରୀ କରାଯାଇଛି। ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାର ବୃଦ୍ଧି କରିଛି।
ଅନ୍ୟପକ୍ଷରେ ଦେଶରେ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷଙ୍କ ଇସ୍ତଫା ଦାବି ଆନ୍ଦୋଳନ ଜୋରଦାର ହେବାରେ ଲାଗିଛି। ହଜାର ହଜାର ଆନ୍ଦୋଳନକାରୀ କଲମ୍ବୋରେ ଏକଜୁଟ ହୋଇଛନ୍ତି। ତେବେ ଶ୍ରୀଲଙ୍କା ସରକାର ଆର୍ଥିକ ସଂକଟକୁ ଏଡ଼ାଇବା ପାଇଁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ) ସହିତ ଆସନ୍ତା ୧୧ ତାରିଖରୁ ଆଲୋଚନା ଆରମ୍ଭ କରିବ। ଆଲୋଚନାବେଳେ ଶ୍ରୀଲଙ୍କା ସରକାର ବିଦେଶୀ ଋଣର ପୁନର୍ଗଠନ ସମେତ ପ୍ୟାକେଜ ମାଗିବା ସମ୍ଭାବନା ରହିଛି।