ନିତି ଆୟୋଗର ମାନସମନ୍ଥନ ୨୦ରେ

ଭୁବନେଶ୍ବର: ନିତି ଆୟୋଗ ପରିଚାଳନା ପରିଷଦର ବୈଠକ ଆସନ୍ତା ୨୦ ତାରିଖରେ ହେବ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିବା କାର୍ଯ୍ୟକ୍ରମ ରହିଛି। ବୈଠକରେ ଦେଶର ଅର୍ଥନୀତିଠାରୁ ଆରମ୍ଭ କରି ଶ୍ରମ ସଂସ୍କାର ଏବଂ ସ୍ବାସ୍ଥ୍ୟ ଆଦି ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବ।

ବୈଠକ ସଂପର୍କରେ ବିଭିନ୍ନ ରାଜ୍ୟଗୁଡ଼ିକୁ ସୂଚନା ଦିଆଯାଇଛି। ବୈଠକ ସକାଳ ୧୦ଟାରେ ଆରମ୍ ହେବ। ଏଥିରେ ନିତି ଆୟୋଗ ସିଇଓ ଅମିତାଭ କାନ୍ତ ସ୍ବାଗତ ଭାଷଣ ଦେବେ। ଏହାପରେ ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ତାଙ୍କ ବକ୍ତବ୍ୟ ରଖିବେ। ତାହା ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି କେ ମିଶ୍ର ଉଦବୋଧନ ଦେବେ। ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ୧୫ ପର୍ଯ୍ୟନ୍ତ ଏହି ମାନସମନ୍ଥନ ଚାଲିବ। ମୁଖ୍ୟତଃ ୬ଟି ଅଧିବେଶନ ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ପ୍ରଥମ ଅଧିବେଶନରେ ଭାରତକୁ ବିଶ୍ବର ଏକ ନିର୍ମାଣ କେନ୍ଦ୍ରରେ ପରିଣତ କରିବା ଉପରେ ଆଲୋଚନା ହେବ। ଏଥିରେ ରାଜ୍ୟସ୍ତରରେ ଆବଶ୍ୟକ ପଡ଼ୁଥିବା ବିଭିନ୍ନ ଆଇନକୁ ପାଳନ କାର୍ଯ୍ୟକୁ କିଭଳି ହ୍ରାସ କରାଯାଇ ପାରିବ ଏବଂ ବ୍ୟାବସାୟିକ ବାତାବରଣରେ ଉନ୍ନତି ଅଣାଯାଇ ପାରିବ ତାହା ଉପରେ ଆ‌ଲୋଚନା ହେବ। ଜିଲ୍ଲାସ୍ତରରେ ପ୍ରତିଯୋଗିତାମାନ କରାଯାଇ ରପ୍ତାନିକୁ ପ୍ରୋତ୍ସାହିତ କରାଯିବା ଏବଂ ନିଯୁକ୍ତି ସୃଷ୍ଟି ଉପରେ ଆଲୋଚନା ହେବ।

ଦ୍ବିତୀୟ ଅଧିବେଶନରେ କୃଷି ବ୍ୟବସ୍ଥାରେ ଉନ୍ନତି ଆଣିବା ଉପରେ ଆଲୋଚନା ହେବ। ଏଥିରେ ଜଳ ସଂରକ୍ଷଣ, ପୁଷ୍ଟିକର ଖାଦ୍ୟ ସାମଗ୍ରୀ ଉତ୍ପାଦନ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ସ୍ବତନ୍ତ୍ର କୃଷିଭିତ୍ତିକ ପାଣ୍ଠିକୁ ରାଜ୍ୟ ରାଜ୍ୟ ମଧ୍ୟରେ ପ୍ରତିଯୋଗିତା ଲାଗି ବିନିଯୋଗ କରାଯିବା ଉପରେ ଆଲୋଚନା ହେବ। ତୃତୀୟ ଅଧିବେଶନରେ ଦେଶର ଭୌତିକ ଭିତ୍ତିଭୂମିରେ ଉନ୍ନତି ଆଣିବା, ଚତୁର୍ଥ ଅଧିବେଶନରେ ମାନବ ସମ୍ବଳ ବିକାଶ, ପଞ୍ଚମ ଅଧିବେଶନରେ ତୃଣମୂଳ ସ୍ତରରେ ସେବା ପ୍ରଦାନ ମାନରେ ଉନ୍ନତି ଆଣିବା ଏବଂ ଷଷ୍ଠ ଅଧିବେଶନରେ ସ୍ବାସ୍ଥ୍ୟ ଏବଂ ପୁଷ୍ଟିକର ଖାଦ୍ୟ ଉପରେ ବିଚାରବିମର୍ଶ ହେବ। ଏହାପରେ ଅଧିବେଶନଗୁଡ଼ିକରେ ହୋଇଥିବା ମାନସମନ୍ଥନର ସାରାଂଶ ଉପରେ ସୂଚନା ଦିଆଯିବ। ଶେଷରେ କ୍ୟାବିନେଟ୍ ସଚିବ ରାଜୀବ ଗୌବା ଉଦ‌ବୋଧନ ଦେବେ।

ସମ୍ବନ୍ଧିତ ଖବର