କରୋନା ଚିକିତ୍ସାରେ ପକେଟ୍‌ ଫାଙ୍କା, ବୀମା ନଥିବା ଲୋକଙ୍କ ସ୍ଥିତି ଅଧିକ ଖରାପ

ହସ୍ପିଟାଲ୍‌ ଖର୍ଚ୍ଚ ପାଇଁ କରଜ କରିବାକୁ ପଡ଼ୁଛି

ଚେନ୍ନାଇ: କରୋନା ମହାମାରୀ ଲୋକମାନଙ୍କ ଜୀବନ ନେଉଥିବା ବେଳେ ସେମାନଙ୍କ ପରିବାର ବର୍ଗଙ୍କୁ କାଙ୍ଗାଳ କରିଦେଉଛି। ଯେଉଁମାନେ କୌଣସି ବୀମା ପଲିସି କିଣିନାହାନ୍ତି ହସ୍ପିଟାଲ୍‌ ଖର୍ଚ୍ଚରେ ସେମାନଙ୍କ ବ୍ୟାଙ୍କ ଖାତା ଖାଲି ହୋଇଯାଉଛି। ଅନ୍ୟ କିଛି ବ୍ୟକ୍ତି ଋଣ ବୋଝ ମୁଣ୍ଡାଇବାକୁ ବାଧ୍ୟ ହୋଇଛନ୍ତି। କୋଭିଡ୍‌ ପଜିଟିଭ୍ ରୋଗୀମାନଙ୍କ ଚିକିତ୍ସା ଖର୍ଚ୍ଚ ଏବେ ଅନେକ ଲୋକଙ୍କ ପାଇଁ ବୋଝ ସାବ୍ୟସ୍ତ ହେଲାଣି। ମହାମାରୀ ପ୍ରଭାବରେ ଜୀବିକା ହରାଇଥିବା ଲୋକମାନଙ୍କ ସ୍ଥିତି ଆହୁରି ଖରାପ ହୋଇଛି। ଚାକିରି ଥିବା ବେଳେ ସେମାନଙ୍କ ନିଯୁକ୍ତିଦାତା ପରିବାର ବର୍ଗଙ୍କ ପାଇଁ ମଧ୍ୟ ସ୍ବାସ୍ଥ୍ୟ ବୀମା ସୁବିଧା ଦେଉଥିଲେ। ଚାକିରି ଚାଲିଯିବା ପରେ ବେତନ ଓ ଅନ୍ୟାନ୍ୟ ସୁବିଧା ସବୁ କିଛି ବନ୍ଦ ହୋଇଯାଇଛି। ସେଭଳି କୌଣସି ବ୍ୟକ୍ତିଙ୍କ ପରିବାର ସଦସ୍ୟ ଡାକ୍ତରଖାନାରେ ଭର୍ତ୍ତି ହେଲେ ହସ୍ପିଟାଲ୍‌ ଖର୍ଚ୍ଚକୁ ସମ୍ପୂର୍ଣ୍ଣ ରୂପେ ପକେଟ୍‌ରୁ ବାହାର କରିବାକୁ ପଡ଼ୁଛି। କରୋନାରେ ପୀଡ଼ିତ ନିଜ ପ୍ରିୟଜନଙ୍କ ଜୀବନ ବଞ୍ଚାଇବା ଲାଗି କିଛି ଲୋକ ଘରୋଇ ହସ୍ପିଟାଲ୍‌ର ଚିକିତ୍ସା ସୁବିଧା ହାସଲ କରୁଛନ୍ତି। ହସ୍ପିଟାଲ୍‌ ବିଲ୍‌ ଏତେ ଅଧିକ ରହୁଛି ‌ଯେ ନିଜ ପକେଟ୍‌ରୁ ଦେବା ସମ୍ଭବପର ହେଉନାହିଁ। ସେଭଳି ବ୍ୟକ୍ତି ଋଣ କରିବାକୁ ବା ସାଙ୍ଗସାଥୀଙ୍କ ଠାରୁ କରଜ ଆଣିବାକୁ ବାଧ୍ୟ ହେଉଛନ୍ତି।

ସ୍ବଳ ପରିମାଣର ପ୍ରିମିୟମ୍ ଦରକାର ହେଉଥିବା କରୋନା କବଚ ପଲିସି ବିକ୍ରି କରିବାକୁ ଗତବର୍ଷ ବୀମା କଂପାନିଗୁଡ଼ିକୁ ସରକାର କହିଥିଲେ। ଅନେକ ଲୋକ ସେହି ପଲିସି କିଣିଛନ୍ତି। ତାହାର ଅବଧି ଚଳିତ ବର୍ଷ ମାର୍ଚ୍ଚରେ ଶେଷ ହୋଇଥିଲା। ସରକାର ତାହାକୁ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତେବେ ଯେଉଁମାନେ କୌଣସି ପ୍ରକାର ସ୍ବାସ୍ଥ୍ୟ ବୀମା ପଲିସି କିଣିନାହାନ୍ତି ସେମାନେ କରଜ କରିବାକୁ ବାଧ୍ୟ ହେଉଛନ୍ତି। ବର୍ଷକୁ ସ୍ବାସ୍ଥ୍ୟ ବୀମା ପ୍ରିମିୟମ୍‌ ଆକାରରେ ୬-୭ ହଜାର ଟଙ୍କା ଦେବା ପରିବର୍ତେ ସେମାନେ ବ୍ୟକ୍ତିଗତ ଋଣ ଆଣି ତିିନି ଚାରି ବର୍ଷ ପର୍ଯ୍ୟନ୍ତ ମାସକୁ ୬-୭ ହଜାର ଟଙ୍କାର ଇଏମ୍‌ଆଇ ଗଣିବେ।

ଷ୍ଟାର୍‌ ହେଲ୍‌ଥର ଏମ୍‌ଡି ଏସ୍‌ ପ୍ରକାଶ କହିଛନ୍ତି ଯେ ହସ୍ପିଟାଲ୍‌ ଖର୍ଚ୍ଚର ୯୦% ଅର୍ଥ ରୋଗୀଙ୍କୁ ପ୍ରଦାନ କରାଯାଉଛି। ଯେଉଁମାନେ ପ୍ରିମିୟମ୍ ଦେଉଛନ୍ତି ସେମାନଙ୍କୁ ଟିକସ ଛାଡ଼ ସୁବିଧା ମିଳୁଛି। ଏହା ବ୍ୟତୀତ ପ୍ରିମିୟମ୍ ଜାରି ରଖିଲେ ଅଧିକ ଲାଭ ମିଳୁଛି। ଏବେ ଅଧିକରୁ ଅଧିକ ‌ଲୋକ ସ୍ବାସ୍ଥ୍ୟ ବୀମା ପଲିସି କିଣିବା ପ୍ରତି ଆଗ୍ରହ ଦେଖାଉଥିବା ସେ କହିଛନ୍ତି। ସେହିପରି ବୀମା ଏଗ୍ରିଗ୍ରେଟର ସଂସ୍ଥା ଇନ୍‌ସ୍ୟୁରାନ୍ସ ଦେଖୋର ସିଇଓ ଅଙ୍କିତ ଅଗ୍ରୱାଲ୍ କହିଛନ୍ତି ଯେ ସ୍ବାସ୍ଥ୍ୟ ବୀମାର ଆବଶ୍ୟକତାକୁ ନେଇ ଲୋକମାନଙ୍କ ମଧ୍ୟରେ ସ‌ଚେତନତା ବୃଦ୍ଧି ପାଇଛି। କରୋନା ମହାମାରୀର ସାଧାରଣ ବୀମା ଶିଳ୍ପର ରୂପରେଖ ବଦଳାଇ ଦେଇଛି। ପ୍ରଥମ ଥର ଲାଗି ମୋଟର ଯାନ ବୀମାକୁ ସ୍ବାସ୍ଥ୍ୟ ବୀମା ଟପିଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର