୨୦୨୧ରେ ଏଭଳି ଏକ ସମୟ ଆସିଥିଲା ଯେତେବେଳେ ସାରା ଦେଶ ପ୍ରତି ଅନ୍ଧାର ବିପଦ ସୃଷ୍ଟି ହୋଇଥିଲା। କୋଇଲାକୁ ଜାଳେଣି ଭାବେ ବ୍ୟବହାର କରୁଥିବା ଥର୍ମାଲ୍ ପାୱାର ପ୍ଲାଣ୍ଟ୍ଗୁଡ଼ିକରେ କୋଇଲାର ଷ୍ଟକ୍ ହଠାତ୍ ସର୍ବନିମ୍ନ ସ୍ତରକୁ ଖସିଯାଇଥିଲା। ଅକ୍ଟୋବର ମାସରେ ସ୍ଥିତି ଉତ୍କଟ ହୋଇପଡ଼ିଥିଲା। ଉତ୍ପାଦନ ଜାରି ରଖିବା ଲାଗି ପାୱାର ପ୍ଲାଣ୍ଟ୍ ପାଖରେ ଚାରି ଦିନର ଆବଶ୍ୟକତା ପୂରଣ କରିବା ଭଳି କୋଇଲା ନଥିଲା। କିଛି ରାଜ୍ୟ ଆସନ୍ନ ବିପଦ ବିଷୟରେ ସାଧାରଣ ଜନତା ଓ ଶିଳ୍ପ ଗ୍ରାହକମାନଙ୍କୁ ଅବଗତ କରିବା ସହ ସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ସେମାନଙ୍କୁ କହିଥିଲେ। ଚୀନ୍ରେ ବିଦ୍ୟୁତ ସଙ୍କଟ ଦେଖାଦେବାର କିଛି ଦିନ ପରେ ଭାରତରେ ଏଭଳି ସଙ୍କଟ ସୃଷ୍ଟି ହୋଇଥିଲା। କୋଇଲା ଅଭାବର ଏକ ପ୍ରମୁଖ କାରଣ ଥିଲା ବର୍ଷା। ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଲଗାତାର ବର୍ଷା ହେବାରୁ ଖଣିରୁ କୋଇଲା ଉତ୍ତୋଳନ ସମ୍ଭବ ହୋଇନଥିଲା। ସେଥିପାଇଁ ପାୱାର ପ୍ଲାଣ୍ଟ୍ଗୁଡ଼ିକ ପାଖରେ କୋଇଲା ପହଞ୍ଚିପାରିନଥିଲା। ଏହି ସଙ୍କଟର ମୁକାବିଲା କରିବା ଲାଗି କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରିବା ସହ ଗଚ୍ଛିତ କୋଇଲାକୁ କେବଳ ପାୱାର ପ୍ଲାଣ୍ଟ୍ଗୁଡ଼ିକୁ ଦେବାକୁ ନିର୍ଦେଶ ଦେଇଥିଲେ। କିଛି ଦିନ ପରେ ସ୍ଥିତି ସ୍ବାଭାବିକ ହୋଇଥିଲା। ଅବଶ୍ୟ ଅଣ-ବିଦ୍ୟୁତ କ୍ଷେତ୍ର ଯଥା ଇସ୍ପାତ, ଆଲୁମିନିୟମ କାରଖାନାଗୁଡ଼ିକ ଏହା ଦ୍ବାରା ଅଧିକ ପ୍ରଭାବିତ ହୋଇଥିଲେ।
ଷ୍ଟକ ବଜାରରେ ଆଇପିଓ ଭିଡ଼
ମହାମାରୀ ପ୍ରାୟ ସବୁ କଂପାନିଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେବାରୁ ପାଣ୍ଠି ଯୋଗାଡ଼ କରିବା ଲାଗି ସେମାନେ ଷ୍ଟକ ବଜାର ମୁହାଁ ହୋଇଥିଲେ। ବିଶେଷ କରି ପ୍ରଯୁକ୍ତି ସଂସ୍ଥା ଓ ଷ୍ଟାର୍ଟଅପ୍ଗୁଡ଼ିକ ଏଥିପାଇଁ ଆଗ୍ରହ ଦେଖାଦେଇଥିଲେ। ଷ୍ଟକ ବଜାରରେ ପ୍ରବେଶ କରିବା ଲାଗି ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ଆଣିବା ଜରୁରୀ। ସେହି ଆଇପିଓ ଆଣିବାକୁ ବର୍ଷତମାମ ଯେଭଳି କଂପାନିଗୁଡ଼ିକ ମଧ୍ୟରେ ଏକ ପ୍ରତିଯୋଗିତା ଚାଲିଥିଲା। ଜୋମାଟା, ପେଟିଏମ୍, ନାଏକା, ପଲିସି ବଜାର ଡଟ୍ କମ୍ ଭଳି ପ୍ରାୟ ୬୦ରୁ ଅଧିକ ସଂସ୍ଥା ଆଇପିଓ ଜାରି କରି ପାଣ୍ଠି ହାସଲ କରିଛନ୍ତି। କିଛି ସଂସ୍ଥାର ଆଇପିଓ ଜବରଦସ୍ତ ହିଟ୍ ହୋଇଥିବା ବେଳେ ଅନ୍ୟମାନଙ୍କର ଫ୍ଲପ୍ ହୋଇଛି। ତେବେ ଏହି ଧାରା ୨୦୨୨ରେ ମଧ୍ୟ ଜାରି ରହିବ। ଓଲା, ଓୟୋ, ମୋବିକ୍ବିକ୍, ବାଇଜୁସ୍ ଭଳି ଲୋକପ୍ରିୟ ସଂସ୍ଥା ବ୍ୟତୀତ ସରକାରୀ ବୀମା କଂପାନି ଏଲ୍ଆଇସିର ଆଇପିଓ ମଧ୍ୟ ୨୦୨୨ରେ ଆସିବାର ସମ୍ଭାବନା ରହିଛି। ଗୋଟିଏ ପଟେ ଆଇପିଓକୁ ନେଇ ଉତ୍ସାହ ରହିଥିବା ବେଳେ ଅନ୍ୟ ପଟେ ବମ୍ବେ ଷ୍ଟକ ବଜାର ସେନ୍ସେକ୍ସରେ ମଧ୍ୟ ପ୍ରବଳ ଉତ୍ସାହ ରହିଥିଲା। ଅକ୍ଟୋବର ମାସରେ ଏହା ୬୨ ହଜାର ପଏଣ୍ଟ୍ ଅତିକ୍ରମ କରିଥିଲା। ବର୍ଷ ଶେଷ ଆଡ଼କୁ ସେଥିରେ ଅସ୍ଥିରତା ଆରମ୍ଭ ହୋଇଥିଲା। କ୍ରମାଗତ ଭାବେ ସେନ୍ସେକ୍ସରେ ହ୍ରାସ ହୋଇ ତାହା ୫୫ ହଜାର ପଏଣ୍ଟ୍ ପାଖାପାଖି ଖସିଆସିଛି।
ଗାଡ଼ି ବଜାରରେ ଚିପ୍ ଅଭାବ
କରୋନା ମହାମାରୀର ଦ୍ବିତୀୟ ଲହର ଗାଡ଼ି ବିକ୍ରିକୁ ଗୁରୁତର ଭାବେ ପ୍ରଭାବିତ କରିଥିଲା। ଅବଶ୍ୟ ଉତ୍ସବ ଋତୁରେ ସବୁ କଂପାନି ଭଲ ବ୍ୟବସାୟ କରିଥିଲେ। ମାତ୍ର ବର୍ଷର ପରବର୍ତ୍ତୀ ମାସଗୁଡ଼ିକରେ ସେହି ଉତ୍ସାହ ବଜାୟ ରହିନଥିଲା। ଗାଡ଼ି ଶିଳ୍ପ ଦୁଇ ପ୍ରକାର ଅଭାବ ଦେଇ ଗତି କରିିଥିଲା। ଗୋଟିଏ ହେଉଛି ଗ୍ରାହକ ଚାହିଦାର ଅଭାବ। ଦ୍ବିତୀୟ ଓ ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଚିପ୍ ବା ସେମିକଣ୍ଡକ୍ଟର ଅଭାବ। ମହାମାରୀ ପ୍ରଭାବରେ ବିଶ୍ବର ଯୋଗାଣ ଶୃଙ୍ଖଳ ଗୁରୁତର ଭାବେ ପ୍ରଭାବିତ ହୋଇଥିବାରୁ ଆବଶ୍ୟକ ପରିମାଣର ଚିପ୍ ଉତ୍ପାଦନ ହୋଇପାରିନାହିଁ। ଗାଡ଼ି ଉତ୍ପାଦନର ବିଭିନ୍ନ ପର୍ଯ୍ୟାୟରେ ବହୁ ପ୍ରକାର ଚିପ୍ ବ୍ୟବହାର ହେଉଛି। ଯେହେତୁ କୌଣସି କଂପାନି ଏଭଳି ଏକ ସ୍ଥିତି ଲାଗି ପ୍ରସ୍ତୁତ ନଥିଲେ ତେଣୁ କାହା ପାଖରେ ଆବଶ୍ୟକ ପରିମାଣର ଚିପ୍ ନାହିଁ। ସେଥିପାଇଁ କାରଖାନାରେ ବହୁ ସଂଖ୍ୟକ ଗାଡ଼ିର ଉତ୍ପାଦନ ଆଗକୁ ବଢ଼ିପାରୁନାହିଁ। ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ଏହି ଚିପ୍ ସମସ୍ୟା ଏତେ ଶୀଘ୍ର ଦୂର ହେବ ନାହିଁ। ଏହାର ପ୍ରଭାବ ବହୁ ଦିନ ପର୍ଯ୍ୟନ୍ତ ରହିବ। ତେବେ ଭାରତରେ କାରଖାାନ ସ୍ଥାପନ କରିଥିବା ଗାଡ଼ି କଂପାନିଗୁଡ଼ିକ ଲାଗି ଆଶ୍ବସ୍ତିର ଖବର ହେଉଛି କେନ୍ଦ୍ର ସରକାର ସେମିକଣ୍ଡକ୍ଟର କ୍ଷେତ୍ର ଲାଗି ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲ୍ଆଇ) ସ୍କିମ୍ ଘୋଷଣା କରିଛନ୍ତି। ଏଥିପ୍ରତି କୋରିଆ ଓ ତାଇୱାନ୍ର କିଛି ସଂସ୍ଥା ସମେତ ଦେଶ ଭିତରର କେତେକ କଂପାନି ଆଗ୍ରହ ପ୍ରକାଶ କରିଛନ୍ତି।