୧୦ ବର୍ଷରେ ଡିସ୍‌କମ୍‌ ସହିଛନ୍ତି ୬,୮୦୦ କୋଟି କ୍ଷତି

ନିତି ଆୟୋଗ ରିପୋର୍ଟରେ ଓଡ଼ିଶାର ଫ୍ରାଞ୍ଚାଇଜି ମଡେଲ୍‌

ଭୁବନେଶ୍ବର: ରାଜ୍ୟରେ ବିଦ୍ୟୁତ ବଣ୍ଟନ କଂପାନି (ଡିସ୍‌କମ୍‌)ଗୁଡ଼ିକ ପ୍ରତିବର୍ଷ କ୍ଷତି ସହୁଛନ୍ତି। ୨୦୦୯-୧୦ରୁ ୨୦୧୮-୧୯ ପର୍ଯ୍ୟନ୍ତ ୧୦ ବର୍ଷ ଭିତରେ ଡିସ୍‌କମ୍‌ଗୁଡ଼ିକ ୬,୮୦୦ କୋଟି ଟଙ୍କାରୁ ଅଧିକ କ୍ଷତି ସହିଛନ୍ତି। ୨୦୦୯-୧୦ରେ କ୍ଷତି ପରିମାଣ ୨୪୧ କୋଟି ଟଙ୍କା ସ୍ତରରେ ଥିଲା। ୨୦୧୮-୧୯ ସୁଦ୍ଧା ତାହା ୧,୫୩୯ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା ବୋଲି ନିତି ଆୟୋଗ ତରଫରୁ ଜାରି କରାଯାଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ୨୦୧୮-୧୯ ଆର୍ଥିକ ବର୍ଷରେ ସେସୁ ୪୨୯ କୋଟି ଟଙ୍କା, ନେସ୍‌କୋ ୨ କୋଟି ଟଙ୍କା, ସାଉଥ୍‌କୋ ୨୧୧ କୋଟି ଟଙ୍କା ଓ ୱେସ୍‌କୋ ୮୯୭ କୋଟି ଟଙ୍କାର କ୍ଷତି ସହିଥିଲା।

ଏହି ବର୍ଷ ରାଜ୍ୟର ହାରାହାରି ବୈ‌ଷୟିକ ଓ ବାଣିଜ୍ୟିକ କ୍ଷତି (ଏଟିଆଣ୍ଡସି) ୨୯.୨% ଭଳି ଉଚ୍ଚ ସ୍ତରରେ ରହିଥିଲା। ଅର୍ଥାତ ବିଦ୍ୟୁତ ବଣ୍ଟନ ବେଳେ ପ୍ରତି ୧୦୦ ୟୁନିଟ୍‌ରୁ ୨୯ ୟୁନିଟ୍‌ ଅପଚୟ ହେଉଛି। ବିଲିଂରେ ଦକ୍ଷତା ଏହି ସମୟରେ ୭୫.୨% ଥିବା ବେଳେ ବିଦ୍ୟୁତ ବିଲ୍ ସଂଗ୍ରହରେ ଦକ୍ଷତା ୯୩.୫୭% ସ୍ତରରେ ରହିଥିଲା। ଘଣ୍ଟା ପିଛା କିଲୋୱାଟ୍ ଅନୁସାରେ ବିଦ୍ୟୁତ କିଣାରେ ହାରାହାରି ବ୍ୟୟ (ଏପିପିସି) ୪ ଟଙ୍କା ୪୫ ପଇସା ଥିବା ବେଳେ ଯୋଗାଣରେ ହାରାହାରି ବ୍ୟୟ (ଏସିଏସ୍‌) ୬ ଟଙ୍କା ୨୭ ପଇସା ଥିଲା। ସେହିପରି, ଘଣ୍ଟା ପିଛା କିଲୋ ୱାଟ୍ ହିସାବରେ ବିକ୍ରିରୁ ୫ ଟଙ୍କା ୧୦ ପଇସାର ରାଜସ୍ବ ମିଳୁଥିଲା ବୋଲି ରିପୋର୍ଟରୁ ଜଣାପଡ଼ିଛି।

ନିତି ଆୟୋଗ ରିପୋର୍ଟରେ ଓଡ଼ିଶାର ଫ୍ରାଞ୍ଚାଇଜି ମଡେଲ୍‌
ନିତି ଆୟୋଗ ପକ୍ଷରୁ ଆର୍‌ଏମ୍‌ଆଇର ମିଳିତ ସହଯୋଗରେ ପ୍ରସ୍ତୁତ କରାଯାଇଥିବା ବିଦ୍ୟୁତ ବଣ୍ଟନ କ୍ଷେତ୍ରର ରିପୋର୍ଟରେ ଓଡ଼ିଶାର ବଣ୍ଟନ ଫ୍ରାଞ୍ଚାଇଜି ମଡେଲ୍‌ ବିଷୟରେ ସ୍ବତନ୍ତ୍ର ଆଲୋଚନା କରାଯାଇଛି। ଏଥିରେ କୁହାଯାଇଛି ଯେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ୧୯୯୯ରେ ଡିସ୍‌କମ୍‌ ଘରୋଇକରଣ ପଦକ୍ଷେପ ଗ୍ରହଣ କରିଥିଲା। ପ୍ରଥମ ଉଦ୍ୟମ ବିଫଳ ହୋଇଥିଲା। ସେସୁ-ଏଇଏସ୍‌ ଓ ବିଏସ୍‌ଇଏସ୍‌ କିଛି ବର୍ଷ କାର୍ଯ୍ୟ କରିବା ପରେ ମଧ୍ୟ ବିଦ୍ୟୁତ ଦେୟ ଭରଣା କରିପାରିନଥିଲେ। ମୋଟ ହାରାହାରି ବୈଷୟିକ ଓ ବାଣିଜ୍ୟିକ କ୍ଷତି ୩୮% ଭଳି ଉଚ୍ଚ ସ୍ତରରେ ରହିଥିଲା।

୨୦୧୨ରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା ଯେ କୌଣସି ଆର୍ଥିକ ସଂସ୍ଥା ସେସକୁ ଋଣ ଦେବାକୁ ରାଜି ହୋଇନଥିଲେ। ଏହି ସ୍ଥିତିରୁ ଉଦ୍ଧାର ପାଇବା ଲାଗି ସେସୁ ତରଫରୁ ଇନ୍‌ପୁଟ୍‌-ଭିତ୍ତିକ ଫ୍ରାଞ୍ଚାଇଜି ମଡେଲ୍‌କୁ ଗ୍ରହଣ କରାଯାଇଥିଲା। ୨୦୧୩ରେ ପୁରୀ, ବାଲୁଗାଁ, ନୟାଗଡ଼ ଓ ଖୋର୍ଦ୍ଧା ଭଳି ଚାରିଟି ଡିଭିଜନ୍ ପାଇଁ ସେସୁ ପକ୍ଷରୁ ଫେଡ୍‌କୋକୁ ଫ୍ରାଞ୍ଚାଇଜି ଭାବେ ନିଯୁକ୍ତ କରାଯାଇଥିଲା। ୨୦୧୧-୨୦୧୭ ଭିତରେ ଫେଡ୍‌କୋ ଏଟିଆଣ୍ଡ୍‌ସି କ୍ଷତିକୁ ୨୩% ପର୍ଯ୍ୟନ୍ତ ହ୍ରାସ କରିଥିଲା।

ସମ୍ବନ୍ଧିତ ଖବର