ଆମେରିକାରେ ତୃତୀୟ ବ୍ୟାଙ୍କ ସଙ୍କଟରେ

ଏଥର ‘ପାଷ୍ଟ୍‌ ରିପବ୍ଲିକ୍ ବ୍ୟାଙ୍କ’ ପାଳି, ଉଦ୍ଧାର କରିବାକୁ ଆଗେଇ ଆସିଲେ ଅନ୍ୟ ବ୍ୟାଙ୍କ

ସାନ୍‌ ଫ୍ରାନ୍‌ସିସ୍‌କୋ : ସପ୍ତାହକ ଭିତରେ ଆମେରିକାର ତୃତୀୟ ବ୍ୟାଙ୍କ ବୁଡ଼ିବା ଭଳି ସ୍ଥିତି ସୃଷ୍ଟି ହୋଇଛି। ସେହି ବ୍ୟାଙ୍କ ହେଉଛି ଫାଷ୍ଟ୍‌ ରିପବ୍ଲିକ୍ ବ୍ୟାଙ୍କ। ତାହାକୁ ଉଦ୍ଧାର କରିବା ଲାଗି ଆମେରିକାର ଏକାଧିକ ବଡ଼ ବ୍ୟାଙ୍କ ଏକଜୁଟ ହୋଇ ୩୦୦୦ କୋଟି ଡଲାର ପାଣ୍ଠି ଦେଇଛନ୍ତି। ଫାଷ୍ଟ୍‌ ରିପବ୍ଲିକ୍ ବ୍ୟାଙ୍କ ହେଉଛି ଆମେରିକାର ଏଭଳି ଏକ ବ୍ୟାଙ୍କ ଯାହା ଧନାଢ଼୍ୟ ବର୍ଗର ଗ୍ରାହକମାନଙ୍କୁ ସେବା ଯୋଗାଉଥିଲା। ଫେସବୁକ୍‌ର ପ୍ରତିଷ୍ଠାତା ମାର୍କ ଜୁବରବର୍ଗଙ୍କ ଭଳି ବ୍ୟକ୍ତି ସେହି ବ୍ୟାଙ୍କର ଗ୍ରାହକ। ବହୁ ବିଲିଓନେୟାର ବ୍ୟାଙ୍କର ଗ୍ରାହକ ତାଲିକାରେ ରହିଛନ୍ତି।

ଫାଷ୍ଟ୍‌ ରିପବ୍ଲିକ୍ ବ୍ୟାଙ୍କକୁ ବଞ୍ଚାଇବା ଲାଗି ଆମେରିକାର ସର୍ବବୃହତ ବ୍ୟାଙ୍କ ଜେପି ମୋର୍ଗାନ ଚେଜ୍‌, ସିଟି ଗ୍ରୁପ୍, ୱେଲ୍‌ସ ଫାର୍ଗୋ ଓ ବ୍ୟାଙ୍କ ଅଫ୍‌ ଆମେରିକା ୫୦୦ କୋଟି ଡଲାର ଲେଖାଏଁ ସହାୟତା ଦେଇଛନ୍ତି। ମର୍ଗାନ ଷ୍ଟାନ୍‌ଲି ଓ ଗୋଲ୍‌ଡମ୍ୟାନ୍‌ ସଚ୍‌ସ ୨୫୦ କୋଟି ଡଲାର ଲେଖାଏଁ ସହାୟତା ଦେଇଥିବା ବେଳେ ବିଏନ୍‌ୱାଇ ମେଲନ୍‌, ଷ୍ଟେଟ୍‌ ଷ୍ଟ୍ରିଟ୍‌, ପିଏନ୍‌ସି ବ୍ୟାଙ୍କ, ଟ୍ରୁଇଷ୍ଟ୍‌ ଓ ୟୁଏସ୍‌ ବ୍ୟାଙ୍କ ୧ ବିଲିଅନ୍‌ ଡଲାର ଲେଖାଏଁ ପାଣ୍ଠି ଦେଇଛନ୍ତି। ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ୍ ରିଜର୍ଭ ମଧ୍ୟ ଏହି ବ୍ୟାଙ୍କକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି। ଏକାଧିକ ବ୍ୟାଙ୍କ ଏକଜୁଟ ହୋଇ ବୁଡ଼ିଯାଉଥିବା ଏକ ବ୍ୟାଙ୍କକୁ ଉଦ୍ଧାର କରିବା ଲାଗି ଆଗେଇ ଆସିବା ପଦକ୍ଷେପକୁ ଆମେରିକାର ଅର୍ଥମନ୍ତ୍ରୀ ଜାନେଟ୍‌ ୟାଲେନ୍, ଫେଡେରାଲ୍ ରିଜର୍ଭ ମୁଖ୍ୟ ଜେରୋମି ପାୱେଲ୍‌ ପ୍ରଶଂସା କରିଛନ୍ତି।

ଗତ ଶୁକ୍ରବାର ସିଲିକନ୍ ଭାଲି ବ୍ୟାଙ୍କ ଓ ରବିବାର ସିଗ୍ନେଚର ବ୍ୟାଙ୍କ ବୁଡ଼ିଯାଇଥିଲା। କିଛି ଘଣ୍ଟା ଭିତରେ ଜମାକାରୀମାନେ ୪୦୦୦ କୋଟି ଡଲାର ଉଠାଇ ନେବାରୁ ସିଲିକନ୍ ଭାଲି ବ୍ୟାଙ୍କ ବୁଡ଼ିଯାଇଛି। ଏହା ନିଜକୁ ଦେବାଳିଆ ଘୋଷଣା କରିବା ଲାଗି କୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ସେହିପରି, ନ୍ୟୁୟର୍କ ସହରରେ ଥିବା ସିଗ୍ନେଚର ବ୍ୟାଙ୍କ ମଧ୍ୟ ବନ୍ଦ ହୋଇଛି। ଆମେରିକାର ତୃତୀୟ ବ୍ୟାଙ୍କ ଭାବେ ଫାଷ୍ଟ୍‌ ରିପବ୍ଲିକ୍ ବ୍ୟାଙ୍କ ସେଭଳି ସଙ୍କଟରେ ପଡ଼ିଛି। ଏହି ବ୍ୟାଙ୍କକୁ ବୁଡ଼ିବାରୁ ବଞ୍ଚାଇବା ଲାଗି ଆମେରିକାର ଅନ୍ୟ ବଡ଼ ବ୍ୟାଙ୍କଗୁଡ଼ିକ ଆଗେଇ ଆସିଛନ୍ତି।

ଆମେରିକାରେ ଗୋଟିଏ ପରେ ଗୋଟିଏ ବ୍ୟାଙ୍କ ବିଫଳ ହେବା ଘଟଣା ୨୦୦୮ର ବିଶ୍ବ ଅର୍ଥନୈତିକ ମାନ୍ଦାବସ୍ଥାର ସ୍ମୃତିକୁ ତାଜା କରିଛି। ସେହିବର୍ଷ ଇନଭେଷ୍ଟ୍‌ମେଣ୍ଟ୍‌ ବ୍ୟାଙ୍କ ଲେହମ୍ୟାନ୍ ବ୍ରଦର୍ସ ବୁଡ଼ିଯିବା ପରେ ବିଶ୍ବରେ ବଡ଼ ଧରଣର ମାନ୍ଦାବସ୍ଥା ଦେଖାଦେଇଥିଲା ଯାହାର ପ୍ରଭାବ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥିଲା।

ସମ୍ବନ୍ଧିତ ଖବର