ଦୁଇ ଦିନରେ ପେଟ୍ରୋଲ୍‌ ୧ ଟଙ୍କା ୨୦ ପଇସା ମହଙ୍ଗା

ନୂଆଦିଲ୍ଲୀ: ଦ୍ବିତୀୟ ଦିନ ଲାଗି ଉଭୟ ପେଟ୍ରୋଲ୍ ଓ ଡିଜେଲ୍‌ର ଲିଟର ପିଛା ଦାମ୍ ୬୦ ପଇସା ଲେଖାଏଁ ବୃଦ୍ଧି ପାଇଛି। ଫଳରେ ଦୁଇ ଦିନରେ ଏହି ଦୁଇ ଇନ୍ଧନର ମୂଲ୍ୟ ୧ ଟଙ୍କା ୨୦ ପଇସା ବଢ଼ିଛି। ଦୀର୍ଘ ୮୩ ଦିନର ବ୍ୟବଧାନ ପରେ ତେଲ କଂପାନିଗୁଡ଼ିକ ଗତକାଲି ଠାରୁ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍‌ ବଢ଼ାଇବା ଆରମ୍ଭ କରିଛନ୍ତି। ତେଲ କଂପାନିଗୁଡ଼ିକ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ମୂଲ୍ୟ ଓ ଡଲାର ଏବଂ ଟଙ୍କାର ବିନିମୟ ମୂଲ୍ୟ ବିଚାରକୁ ନେଇ ଦରରେ ବୃଦ୍ଧି କିମ୍ବା ହ୍ରାସ କରୁଛନ୍ତି। ପ୍ରତିଦିନ ତେଲ ଦର ସଂଶୋଧନ କରାଯାଉଥିବା ବେଳେ ମାସର ପ୍ରଥମ ଦିନରେ ବିମାନ ଇନ୍ଧନ ଓ ଏଲ୍‌ପିଜି ଦାମ୍ ପରିବର୍ତ୍ତନ କରାଯାଉଛି।

କରୋନା ସଙ୍କଟ ଆରମ୍ଭ ହେବାର ପରବର୍ତୀ ସମୟରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୨୦ ଡଲାର ଭଳି ନିମ୍ନ ସ୍ତରକୁ ହ୍ରାସ ପାଇଥିଲା। ସେହି ସ୍ଥିତିର ଲାଭ ଉଠାଇ ସରକାର ପ୍ରଥମେ ଉଭୟ ପେଟ୍ରୋଲ୍ ଓ ଡିଜେଲ୍‌ରେ ଉତ୍ପାଦନ ଶୁଳ୍କ ତିନି ଟଙ୍କା ବଢ଼ାଇଥିଲେ। ଏହା ପରେ ଗତ ମେ’ ୬ରେ ପେଟ୍ରୋଲ୍‌ରେ ୧୦ ଟଙ୍କା ଓ ଡିଜେଲ୍‌ରେ ୧୩ ଟଙ୍କାର ଟିକସ ଲଗାଇଥିଲେ। ଦୁଇ ଥର ଟିକସ ବୃଦ୍ଧି ହୋଇଥିଲେ ମଧ୍ୟ ତେଲର ପେଟ୍ରୋଲ୍ ପମ୍ପ୍ ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇନଥିଲା। ଗତ ଏପ୍ରିଲ୍ ୧ରୁ ଦେଶରେ ବିଏସ୍‌-୬ ମାନର ଇନ୍ଧନ ବିକ୍ରି କରାଯାଉଥିଲା। ସେହି ପେଟ୍ରୋଲ୍‌ର ଦାମ୍ ବିଏସ୍‌-୪ ପେଟ୍ରୋଲ୍ ତୁଳନାରେ ୧ ଟଙ୍କା ଅଧିକ ହୋଇଥିଲେ ମଧ୍ୟ ତେଲ କଂପାନିଗୁଡ଼ିକ ସେହି ଦରବୃଦ୍ଧିକୁ ଗ୍ରାହକଙ୍କ ଉପରେ ଲଦି ନଥିଲେ। କିନ୍ତୁ ଗତକାଲି ଠାରୁ ଦ୍ରୁ୍ତ ଗତିରେ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ବଢ଼ିବା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର