ନୂଆଦିଲ୍ଲୀ: ବିଳାସପୂର୍ଣ୍ଣ ଗାଡ଼ି ଓ ପ୍ରାଇଭେଟ୍ ଜେଟ୍ରେ ଯାତ୍ରା କରୁଥିବା ଦେଶର ଦୁଇ ବିଶିଷ୍ଟ ଧନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନି ଓ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଗ୍ରୁପ୍ର ମୁଖ୍ୟ ଆନନ୍ଦ ମହିନ୍ଦ୍ରା ଉବର ଟାକ୍ସିରେ ଯାତ୍ରା କରିବାକୁ ବାଧ୍ୟ ହୋଇଥିଲେ। ଏହି ଘଟଣା ଆମେରିକାରେ ଘଟିଥିଲା ଯାହା ବିଷୟରେ ମହିନ୍ଦ୍ରା ଟ୍ବିଟରରେ ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସମୟରେ ଭାରତ-ଆମେରିକା ଟେକ୍ ହାଣ୍ଡ୍ସେକ୍ ସମ୍ମିଳନୀରେ ଯୋଗଦେବାକୁ ମୁକେଶ ଓ ମହିନ୍ଦ୍ରା ଆମେରିକା ଯାଇଥିଲେ। ସେଠାରେ ଗୋଟିଏ କାର୍ଯ୍ୟକ୍ରମ ଶେଷ ହେବା ପରେ ଆଉ ଏକ କାର୍ଯ୍ୟକ୍ରମକୁ ଅତିଥିମାନଙ୍କୁ ନେବା ପାଇଁ ସଟଲ୍ ବସ୍ର ବ୍ୟବସ୍ଥା କରାଯାଇଥିଲା।
ଟେକ୍ ହାଣ୍ଡ୍ସେକ୍ କାର୍ଯ୍ୟକ୍ରମ ଶେଷ ହେବା ପରେ ମଧ୍ୟ ଆମେରିକାର ବାଣିଜ୍ୟ ସଚିବଙ୍କ ସହ ଉଭୟ ମୁକେଶ ଓ ମହିନ୍ଦ୍ରା ଆଲୋଚନା ଜାରି ରଖିଥିଲେ। ଫଳରେ ସେମାନେ ଯେଉଁ ସଟଲ୍ରେ ଯିବାର ଥିଲା ତାହା ଚାଲିଯାଇଥିଲା। ଅନ୍ୟ ଉପାୟ ନପାଇ ସେମାନଙ୍କୁ ଉବର୍ ବୁକିଂ କରିବାକୁ ପଡ଼ିଥିଲା। ଆର୍ଥଆଇଟେକ୍ର ସହ ପ୍ରତିଷ୍ଠାତା ବୃନ୍ଦା କପୁରଙ୍କ ସହ କ୍ୟାବ୍କୁ ଅପେକ୍ଷା କରିଥିବା ବେଳେ ମହାକାଶଚାରୀ ସୁନିତା ୱିଲିୟମ୍ଙ୍କ ସହ ସେମାନଙ୍କର ଭେଟ ହୋଇଥିଲା ଓ ସେମାନେ ତାଙ୍କ ସହ ଏକ ସେଲ୍ଫି ନେଇଥିଲେ। ଏହି ଘଟଣାକୁ ମହିନ୍ଦ୍ରା ‘ୱାସିଂଟନ ମୁହୂର୍ତ’ ଭାବେ ବର୍ଣ୍ଣନା କରିଛନ୍ତି।