ଭୁବନେଶ୍ବର: ରାଜ୍ୟ ସରକାରଙ୍କ ରାଜସ୍ବ ଆଦାୟରେ ଉନ୍ନତି ପରିଲକ୍ଷିତ ହୋଇଛି। ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ ଅର୍ଥାତ୍ ଡିସେମ୍ବର ୩୧ ତାରିଖ ସୁଦ୍ଧା ରାଜ୍ୟର ରାଜସ୍ବ ଆଦାୟରେ ପ୍ରାୟ ୮.୩୯ ପ୍ରତିଶତ ବୃଦ୍ଧି ଘଟିଛି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରୁ ଏହା ଜଣାଯାଇଛି। ଏଥିସହିତ ରାଜ୍ୟର ସମସ୍ତବ ବିଭାଗ ଆସନ୍ତା ମାର୍ଚ୍ଚ ୫ ତାରିଖ ସୁଦ୍ଧା ମୋ ସରକାର ମାନଦଣ୍ଡକୁ ଆପଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମୁଖ୍ୟ ସଚିବ ସମସ୍ତ ବିଭାଗର ଆର୍ଥିକ ସ୍ଥିତି ସମୀକ୍ଷା କରିଛନ୍ତି। ଏଥିସହିତ ପାଣ୍ଠି ପକାଇ ନରଖିବାକୁ ବିଭାଗ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ବଜେଟ ପ୍ରସ୍ତୁତି ପ୍ରକ୍ରିୟାରେ ଆରମ୍ଭହୋଇଥିବା ସିଏମସି ବ୍ୟବସ୍ଥାରେ ମୋ ସରକାର ମାନଦଣ୍ଡକୁ ଆପଣାଇବା ପାଇଁ ମୁଖ୍ୟ ସଚିବ ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜିର ସମୀକ୍ଷାରୁ ଜଣାଯାଇଛି, ଡିସେମ୍ବର ମାସ ଶେଷ ସୁଦ୍ଧା ଅଣ ଟିକସ ସୂତ୍ରରୁ ରାଜସ୍ବ ଆଦାୟ ପ୍ରାୟ ୯ ପ୍ରତିଶତ ବୃଦ୍ଧି ଘଟିଛି। ଏହି ସମୟ ସୁଦ୍ଧା ୯୪୯୮ କୋଟି ୧୭ ଲକ୍ଷ ଟଙ୍କା ଆଦାୟ ହୋଇଛି। ସେହିଭଳି ନିଜସ୍ବ ଟିକସ ସୂତ୍ରରୁ ଆଦାୟ ହେଉଥିବା ରାଜସ୍ବରେ ୮.୧୩ ପ୍ରତିଶତ ବୃଦ୍ଧି ଘଟି ପ୍ରାୟ ୨୨,୫୯୮ କୋଟି ଟଙ୍କାରେ ପହଞ୍ଚିଛି। ପୂର୍ବ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ ଶେଷ ସୁଦ୍ଧା ଏହି ରାଜସ୍ବ ପରିମାଣ ୨୦,୮୯୮ କୋଟି ଟଙ୍କାରେ ରହିଥିଲା। ତେଣୁ ଉଭୟ ସୂତ୍ରରୁ ସରକାରଙ୍କ ରାଜସ୍ବ ସଂଗ୍ରହ ଗତ ଡିସେମ୍ବର ଶେଷ ସୁଦ୍ଧା ୮.୩୯ ପ୍ରତିଶତ ବୃଦ୍ଧି ଘଟି ୩୨,୦୯୭ କୋଟି ଟଙ୍କାରେ ପହଞ୍ଚିଛି।
ରାଜସ୍ବ ଆଦାୟ ବଢ଼ିବା ସହିତ ବଜେଟ୍ ରାଶି ଖର୍ଚ୍ଚ ମଧ୍ୟ ବଢ଼ିଛି। ପୂର୍ବ ଆର୍ଥିକ ବର୍ଷର ଡିସେମ୍ବର ଶେଷ ତୁଳନାରେ ଚଳିତ ଆର୍ଥିକ ବର୍ଷର ଡିସେମ୍ବର ଶେଷ ସୁଦ୍ଧା ବଜେଟ୍ ବିନିଯୋଗ ରାଶି ପ୍ରାୟ ୧୫ ପ୍ରତିଶତ ବୃଦ୍ଧି ଘଟିଛି। ଡିସେମ୍ବର ମାସ ଶେଷ ସୁଦ୍ଧା ମୋଟ ବ୍ୟୟ ୮୨,୨୦୧ କୋଟି ଟଙ୍କାରେ ପହଞ୍ଚିଛି। ପୂର୍ବ ଆର୍ଥିକ ବର୍ଷର ଡିସେମ୍ବର ଶେଷ ସୁଦ୍ଧା ଏହି ରାଶି ୭୧,୬୦୨ କୋଟି ଟଙ୍କା ରହିଥିଲା। ସାମାଜିକ କ୍ଷେତ୍ରରେ ବାସ୍ତବ ବିନିଯୋଗ ୩୪,୪୦୦ କୋଟି ଟଭ୍କା ରହିଥିବାବେଳେ ଏହା ପଛକୁ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ୧୧,୨୫୦ କୋଟି ଏବଂ ଭିତ୍ତିଭୂମି କ୍ଷେତ୍ରରେ ୯୧୯୪ କୋଟି ଟଙ୍କା ବିନିଯୋଗ ହୋଇଛି।