ନୂଆଦିଲ୍ଲୀ: ନଗଦ କାରବାର ଉପରେ ଆୟକର ବିଭାଗ ଏବେ କଡ଼ା ନଜର ରଖିଛି। ବିଶେଷକରି ଡାକ୍ତରଖାନା, ହୋଟେଲର ବ୍ୟାଙ୍କେଟ ହଲ୍ (ଯେଉଁଠି ସାମାଜିକ, ସାଂସ୍କୃତିକ ଓ ବ୍ୟବସାୟିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ) ଆଦି ସ୍ଥାନରେ ଅଧିକ ନଗଦ କାରବାର ହେଉଛି। ଡାକ୍ତରଖାନାରେ ନଗଦ କାରବାର ସମୟରେ କର୍ତ୍ତୃପକ୍ଷ ରୋଗୀଙ୍କ ଠାରୁ ପାନ୍ ନମ୍ବର ରଖୁନାହାନ୍ତି। ସେହିଭଳି କିଛି ନିର୍ଦ୍ଦିଷ୍ଟ ବୃ୍ତ୍ତିର ଲୋକ ମଧ୍ୟ ଅଧିକ ମାତ୍ରାରେ ନଗଦ କାରବାର କରୁଛନ୍ତି। ଅଲୱାର, କୋଟା, ଜାଲ୍‌ନା ଆଦି ସହରରେ ଚଢ଼ଉ କରି ନିକଟରେ ଆୟକର ବିଭାଗ ମୋଟା ଅଙ୍କର ନଗଦ ରାଶି ଜବତ କରିଛି। ସେହିଭଳି ମୁମ୍ବାଇ, ଔ‌ରଙ୍ଗାବାଦ ଓ ନାଶିକ ଆଦି ସହରରେ ଇସ୍ପାତ ନିର୍ମାତା ଓ ବ୍ୟବସାୟୀଙ୍କ ଠିକଣାରେ ଚଢ଼ଉ କରି ଆୟକର ବିଭାଗ ବହୁ ଅଧିକ ରାଶି ଜବତ କରିଛି।

Advertisment

ଅନେକ ଛୋଟ ସହରରେ ଆୟକର ବିଭାଗର ଅଧିକାରୀଙ୍କ ସେତେଟା ଉପସ୍ଥିତି ନାହିଁ। ଟିକସ ଫାଙ୍କିବା ମାନସିକତା ରଖିଥିବା ଲୋକଙ୍କୁ ଏହା ସୁହାଉଛି। ସେମାନେ ଭାବୁଛନ୍ତି ଟିକସ ଅଧିକାରୀଙ୍କ ନଜରକୁ ସେମାନେ ଆସିବେ ନାହିଁ। କିନ୍ତୁ ଚଳିତ ଆର୍ଥିକ ବର୍ଷରେ ନଗଦ କାରବାର ଉପରେ ସ୍ବତନ୍ତ୍ର ଧ୍ୟାନ ଆୟକର ବିଭାଗ ରଖିଛି। ବିଶେଷକରି ଯେଉଁସବୁ ବ୍ୟବସାୟରେ ବର୍ତ୍ତମାନ ବି ଆର୍ଥିକ କାରବାର ନଗଦ ଆକାରରେ ହେଉଛି ସେସବୁ କ୍ଷେତ୍ରରେ ଆୟକର ବିଭାଗ ତତ୍ପରତା ଦେଖାଇଛି। ଆୟକର ବିଭାଗର ଅଧିକାରୀଙ୍କ କହିବାନୁଯାୟୀ, ଡାକ୍ତରଖାନାଗୁଡ଼ିକରେ ପାନ୍ ସଂଗ୍ରହ କରାଯାଉ ନଥିବା ଅନେକ ଦୃଷ୍ଟାନ୍ତ ମିଳିଛି। ଏସବୁ ଡାକ୍ତରଖାନା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆୟକର ବିଭାଗ ପ୍ରୟାସ ଚଳାଇଛି। ଅନ୍ୟପକ୍ଷରେ ଡାକ୍ତରଖାନାଗୁଡ଼ିକର କହିବାନୁଯାୟୀ ସବୁ ସମୟରେ ରୋଗୀଙ୍କ ଠାରୁ ପାନ୍ ନମ୍ବର ସଂଗ୍ରହ କରିବା ସମ୍ଭବ ହେଉନାହିଁ। କାରଣ ଜରୁରୀ ବିଭାଗରେ ଅନେକ ରୋଗୀ ଭର୍ତ୍ତି ହେଉଛନ୍ତି।

ସେହିଭଳି କିଛି ନିର୍ଦ୍ଦିଷ୍ଟ ବୃତ୍ତିର ଲୋକ ମଧ୍ୟ ଆୟକର ବିଭାଗର ସ୍କାନରରେ ରହିଛନ୍ତି। ଯେଉଁଠି ଠୋସ୍ ପ୍ରମାଣ ମିଳୁଛି ସେଠାରେ ଟିକସ ଆଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ନିକଟରେ କିଛି ଆର୍କିଟେକ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଆୟକର ଅଧିକାରୀମାନେ ସୂଚନା ଦେଇଛନ୍ତି। ଟିକସ ଅଧିକାରୀଙ୍କ କହିବାନୁଯାୟୀ ବିଭାଗ ନିକଟରେ ବିସ୍ତୃତ ତଥ୍ୟ ଉପଲବ୍ଧ ରହିଛି। ସେମାନେ ତାହାକୁ ଦେଖୁଛନ୍ତି। ଉଦାହରଣ ସ୍ବରୂପ ଆନୁଆଲ ଇନଫର୍ମେସନ ଷ୍ଟେଟମେଣ୍ଟରେ ଅନେକ ସୂଚନା ରହିଛି। ସେଗୁଡ଼ିକର ବି‌ଶ୍ଳେଷଣ କରାଯାଉଛି। ରିଟର୍ଣ୍ଣ ଦାଖଲ ବେଳେ ଯେଉଁଠି ସେହି ତଥ୍ୟ ପ୍ରତିଫଳିତ ହେଉନାହିଁ ସେଠାରେ ତାହାର ବିଶ୍ଳେଷଣ କରାଯାଉଛି।