ବଜେଟକୁ ସମାଲୋଚନା କଲେ ପିଏମ୍‌ଇଏସି ସଦସ୍ୟା, ସଞ୍ଚୟକୁ ପ୍ରଭାବିତ କରିବ ନୂଆ ଆୟକର

ଏଫ୍ଆର୍‌ବିଏମ୍‌କୁ ଉଲ୍ଲଂଘନ କରାଯାଇନି: ନିର୍ମଳା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟିକସଦାତାଙ୍କ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟରେ ଆୟକର ଦାଖଲ କରିବା ଲାଗି ଉଭୟ ପୁରୁଣା ଏବଂ ନୂଆ ଢାଞ୍ଚାର ସୁବିଧା ପ୍ରଦାନ କରିଛନ୍ତି। ଏହାକୁ ଇଚ୍ଛାଧୀନ ରଖାଯାଇଛି। ତେବେ ବିଶେଷଜ୍ଞଙ୍କ କହିବାନୁଯାୟୀ, ନୂଆ ଟିକସ ବ୍ୟବସ୍ଥା ଦେଶରେ ପାରିବାରିକ ସଞ୍ଚୟକୁ ପ୍ରତିକୂଳ ଭାବେ ପ୍ରଭାବିତ କରିବ। ଏନ୍‌ଆଇପିଏଫ୍‌ଆର୍‌ ପ୍ରଫେସର ଏନ୍‌. ଆର୍‌. ଭାନୁମତୀ କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ଚାହିଦା ହ୍ରାସ ଯୋଗୁ ଅର୍ଥମନ୍ତ୍ରୀ ମନ୍ଥର ହୋଇଛି। ସରକାର ଉଭୟ ବ୍ୟକ୍ତିଗତ ଏବଂ କମ୍ପାନି ଟିକସ ହ୍ରାସ କରି ଅର୍ଥନୀତିକୁ ପ୍ରୋତ୍ସାହନ ଦେବାକୁ ଉଦ୍ୟମ କରିଛନ୍ତି। ଯଦିଓ ଏହା ଚାହିଦା ବୃଦ୍ଧିରେ ସାମାନ୍ୟ ସହାୟକ ହେବ ତଥାପି ପାରିବାରିକ ସଞ୍ଚୟକୁ ଏହା ପ୍ରଭାବିତ କରିବ ବୋଲି ସେ କହିଛନ୍ତି। ଏକ ରିପୋର୍ଟ ଅନୁଯାୟୀ ଗତ ୬ ବର୍ଷ ହେଲା ଭାରତର ସଞ୍ଚୟ ହାର ଉଲ୍ଲେଖନୀୟ ଭାବେ ହ୍ରାସ ପାଉଛି। ୨୦୧୨ରେ ସଞ୍ଚୟ ହାର ୩୬ ପ୍ରତିଶତ ଥିବାବେଳେ ଏବେ ଏହା ୩୦ ପ୍ରତିଶତକୁ କମିଗଲାଣି। ସଞ୍ଚୟ କମୁଥିବାରୁ ବଜେଟରେ ଟିକସ ସଞ୍ଚୟ ସୁବିଧା ପ୍ରଦାନ କରୁଥିବା ବଣ୍ଡ୍ ପାଇଁ ଘୋଷଣା ହେବ ବୋଲି ଆଶା ରଖାଯାଇଥିଲା। କିନ୍ତୁ ଏହାର ବିପରୀତ କରାଯାଇଛି ବୋଲି ସେ କହିଛନ୍ତି। ସେହିଭଳି ଅର୍ଥନୀତିଜ୍ଞ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯୋଗୀନ୍ଦର ଅଲଘ ଏବଂ ଜେଏନୟୁର ଆସିଷ୍ଟାଣ୍ଟ୍ ପ୍ରଫେସର ରୋହିତ ଆଜାଦ ମଧ୍ୟ ସମାନ ପ୍ରକାରର ମତ ରଖିଛନ୍ତି। ତେବେ ନୂଆ ଆୟକର ବ୍ୟବସ୍ଥାକୁ ୭୦ ପ୍ରତିଶତ ଟିକସଦାତା ଆପଣାଇବେ ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଆଶା ରଖାଯାଇଛି।

ମୁମ୍ବାଇ: କେନ୍ଦ୍ର ବଜେଟରେ ବିତ୍ତୀୟ ଶୃଙ୍ଖଳା ଏବଂ ବଜେଟ ପରିଚାଳନା (ଏଫ୍‌ଆର୍‌ବିଏମ୍‌) ଆଇନକୁ ଉଲ୍ଲଂଘନ କରାଯାଇନାହିଁ। ଏଫ୍‌ଆର୍‌ବିଏମ୍‌କୁ ଧ୍ୟାନରେ ରଖି ବଜେଟ୍ ପ୍ରସ୍ତୁତ କରାଯାଇଛି। ସେଥିସହିତ ଚଳିତ ବଜେଟକୁ ଦୀର୍ଘ ଭାଷଣ ଦୃଷ୍ଟିରୁ ନୁହେଁ, ବରଂ ଦୀର୍ଘଦିନର ପ୍ରସ୍ତୁତି ପାଇଁ ମନେରହିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଗତବର୍ଷ ଜୁଲାଇରୁ ଚଳିତବର୍ଷ ଫେବ୍ରୁଆରି ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ଲୋକଙ୍କ ସହିତ ବିଚାରବିମର୍ଶ ପରେ ଏହି ବଜେଟ ପ୍ରସ୍ତୁତ ହୋଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ବଜେଟକୁ ସମାଲୋଚନା କଲେ ପିଏମ୍‌ଇଏସି ସଦସ୍ୟା
ମୁମ୍ବାଇ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ଉପସ୍ଥାପିତ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟକୁ ସମାଲେଚନା କରିଛନ୍ତି ଅର୍ଥନୈତିକ ଉପଦେଷ୍ଟା ପରିଷଦ ସଦସ୍ୟା ଅସୀମା ଗୋୟଲ। ବଜେଟରେ କୌଣସି ଦୂରଦୃଷ୍ଟି ନଥିବାରୁ ଏହା ନିରାଶାଜନକ ବୋଲି ଗୋୟଲ ମତ ଦେଇଛନ୍ତି। ଅର୍ଥମନ୍ତ୍ରୀଙ୍କର ପାଖାପାଖି ୩ ଘଣ୍ଟାର ବଜେଟ ଭାଷଣରେ ମାନ୍ଦାବସ୍ଥା ଶବ୍ଦଟିଏ ମଧ୍ୟ ନରହିବା ଆଶ୍ଚର୍ଯ୍ୟଜନକ। ଏଥିସହିତ ଗୋୟଲ କହିଛନ୍ତି ନୂଆ ସରକାରଙ୍କ ପ୍ରଥମ ବଜେଟରେ ଯେଭଳି ଦୂରଦୃଷ୍ଟି ରହିବା କଥା ତାହା ଏଥିରେ ନାହିଁ। ଚଳିତ ବର୍ଷ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଏକ ଦଶନ୍ଧି ମଧ୍ୟରେ ସର୍ବନିମ୍ନ ସ୍ତର ବା ୫ ପ୍ରତିଶତକୁ ଖସିଆସିବ ବୋଲି ଅନୁମାନ କରାଯାଉଛି। ଏଭଳି ଅବସ୍ଥାରେ ବଜେଟରେ ମାନ୍ଦାବସ୍ଥା ଶବ୍ଦଟିଏ ନାହିଁ। ମାନ୍ଦାବସ୍ଥାକୁ ମୁକାବିଲା କରିବା ପାଇଁ ବଜେଟରେ ଆଲୋଚନା କରାଯାଇନାହିଁ ବୋଲି ଗୋୟଲ କହିଛନ୍ତି। ତେବେ ୨୦୦୮ର ଆର୍ଥିକ ମାନ୍ଦାବସ୍ଥା ମୁକାବିଲା ପାଇଁ ସେତେବେଳର ସରକାର ଯେଉଁ ପଦକ୍ଷେପ ନେଇଥିଲେ ବର୍ତ୍ତମାନର ସରକାର ସେଭଳି ପନ୍ଥା ଆପଣାଇ ନଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ଅର୍ଥନୀତିରେ ସୁଧାର ଆଣିବା ପାଇଁ ସେତେବେଳେ ସରକାର ବିତ୍ତୀୟ ନିଅଣ୍ଟକୁ ବଢ଼ାଇ ଦେଇଥିଲେ ଏବଂ ସୁଧ ହାରକୁ ରେକର୍ଡ ନିମ୍ନସ୍ତରକୁ କମାଇ ଦେଇଥିଲେ ବୋଲି ସେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର