ଗମନାଗମନ ଭତ୍ତା ଉପରେ ଆୟକର ଛାଡ଼ ସୁବିଧା

ନୂଆଦିଲ୍ଲୀ: ନିଯୁକ୍ତିଦାତାଙ୍କ ଠାରୁ କର୍ମଚାରୀ ପାଉଥିବା ଗମନାଗମନ ଭତ୍ତା (କନଭେୟାନ୍ସ ଆଲାଏନ୍ସ) ଉପରେ ଆୟକର ଛାଡ଼ ପାଇଁ ଦାବି କରିପାରିବେ। ନୂଆ ବ୍ୟବସ୍ଥାରେ ଯେଉଁମାନେ ଆୟକର ରିଟର୍ଣ୍ଣ ଦାଖଲ କରୁଛନ୍ତି କେବଳ ସେମାନଙ୍କୁ ଏହି ସୁବିଧା ମିଳିବ। ଚଳିତ ବର୍ଷ ବଜେଟ୍ ଘୋଷଣା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇ ପ୍ରକାର ଆୟକର ବ୍ୟବସ୍ଥା ବିଷୟରେ ଘୋଷଣା କରିଥିଲେ। ପୂର୍ବରୁ ପ୍ରଚଳନରେ ଥିବା ବ୍ୟବସ୍ଥାକୁ ବଳବତ୍ତର ରଖାଯାଇଥିବା ବେଳେ କେତେକ ନିର୍ଦିଷ୍ଟ ପ୍ରକାର ଛାଡ଼ ଓ କାଟ ସୁବିଧା ନେବାକୁ ଚାହୁନଥିବା ଟିକସଦାତାଙ୍କ ପାଇଁ ନୂଆ ବ୍ୟବସ୍ଥା ଲାଗୁ କରାଯାଇଥିଲା। ନୂଆ ବ୍ୟବସ୍ଥାର ଟିକସ ହାର ପୁରୁଣା ବ୍ୟବସ୍ଥା ତୁଳନାରେ କମ୍ ରହିଛି। ଟିକସଦାତା କେଉଁ ବ୍ୟବସ୍ଥାରେ ଟିକସ ଦେ‌ବାକୁ ପସନ୍ଦ କରିବେ ସେହି ନିଷ୍ପତ୍ତି ତାଙ୍କ ଉପରେ ଛାଡ଼ି ଦିଆଯାଇଛି। ଏବେ ଗମନାଗମନ ଭତ୍ତା ଉପରେ ଯେଉଁ ସୁବିଧା ଦିଆଯାଇଛି ତାହା ନୂତନ ବ୍ୟବସ୍ଥାର ଟିକସଦାତାଙ୍କୁ ମିଳିବ। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ କୁହାଯାଇଛି, କଂପାନିଗୁଡ଼ିକ ନିଜ କର୍ମଚାରୀଙ୍କୁ ବିଭିନ୍ନ ସ୍ଥାନ ଯାତ୍ରା କରିବା ବେଳେ କିମ୍ବା ବଦଳି ସମୟରେ ଅନ୍ୟ ସ୍ଥାନକୁ ଯିବା ଲାଗି ଦେଉଥିବା ପରିବହନ/ଗମନାଗମନ ଖର୍ଚ୍ଚ ଉପରେ କର୍ମଚାରୀମାନେ ଆୟକର ଛାଡ଼ ଦାବି କରିପାରିବେ। ନିଜର ଦାୟିତ୍ବ ନିର୍ବାହ ପାଇଁ ଗମନାଗମନ କରୁଥିବା ବେଳେ ହେଉଥିବା ଖର୍ଚ୍ଚ ଉପରେ ମଧ୍ୟ ଆୟକର ଛାଡ଼ ଦାବି କରିହେବ। ତେବେ ମାଗଣା ଗମନାଗମନରେ ଏହି ସୁବିଧା ମିଳିବ ନାହିଁ।

ମାଗଣା ଖାଦ୍ୟ ଏବଂ ବିନା ଆଲ୍‌କୋହଲ୍‌ର ପାନୀୟ ପାଇଁ ନିଯୁକ୍ତିଦାତା ଦେଉଥିବା ପେଡ୍ ଭାଉଚର୍‌ ଉପରେ ଆୟକର ଛାଡ଼ ଦାବି କରାଯାଇପାରିବ ନାହିଁ। ସେହିପରି, ଦୃଷ୍ଟିହୀନ, ମୂକ, ବଧୀର ଓ ଶାରିରୀକ ଅକ୍ଷମ କର୍ମଚାରୀମାନେ ମାସକୁ ୩୨୦୦ ଟଙ୍କା ପର୍ଯ୍ୟନ୍ତର ଗମନାଗମନ ଭତ୍ତା ଉପରେ ଆଡ୍‌-ହକ୍‌ ଛାଡ଼ ଦାବି କରିପାରିବେ। କିଛି ନିର୍ଦିଷ୍ଟ ପ୍ରକାର ଛାଡ଼ ବ୍ୟବସ୍ଥାକୁ ଯେଉଁମାନେ ପରିହାର କରିବେ ସେମାନଙ୍କୁ କମ୍ ଟିକସ ଦେବାକୁ ପଡ଼ିବ ବୋଲି ଚଳିତ ବର୍ଷ ବଜେଟ୍‌ରେ ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ। ଏହି ନୂଆ ବ୍ୟବସ୍ଥାରେ ଅଢ଼େଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ସମ୍ପୂର୍ଣ୍ଣ ଟିକସମୁକ୍ତ ରଖାଯାଇଛି। ଅଢ଼େଇରୁ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୫%, ୫-୭.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୧୦ ପ୍ରତିଶତ ଏବଂ ୭.୫-୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୧୫ ପ୍ରତିଶତ ଟିକସ ଲାଗୁ କରାଯାଇଛି। ୧୦-୧୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକମାନଙ୍କ ପାଇଁ ୨୦ ପ୍ରତିଶତ ଏବଂ ୧୨.୫-୧୫ ଲକ୍ଷ ଟଙ୍କାର ଆୟ ପାଇଁ ୨୫ ପ୍ରତିଶତ ଓ ୧୫ ଲକ୍ଷ ଟଙ୍କାରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଟିକସ ଲଗାଯାଇଛି।

ସମ୍ବନ୍ଧିତ ଖବର