ଟିକସ ଠକେଇ: ଆଦିବାସୀଙ୍କ ପଛରେ ପଡ଼ିଛି ଆୟକର ବିଭାଗ

ନୂଆଦିଲ୍ଲୀ: ଆୟକର ବିଭାଗ ଏବେ ଟିକସ ଠକେଇକୁ ଧରିବା ଲାଗି ଆଦିବାସୀଙ୍କ ପଛରେ ପଡ଼ିଛି। ବିମୁଦ୍ରାକରଣ ସମୟରେ ବିପୁଳ ପରିମାଣର ଟଙ୍କା ଆଦିବାସୀଙ୍କ ନାମରେ ଥିବା ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଛି। ପରେ ସେହି ଅର୍ଥକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ନିର୍ବାଚନ କାର୍ଯ୍ୟ ଅନୁଧ୍ୟାନ ସମୟରେ ତଫସିଲଭୁକ୍ତ ଜନଜାତି ବର୍ଗର ଅନେକ ବ୍ୟକ୍ତି ଏହି ଟଙ୍କା କାରବାର ସମ୍ପର୍କରେ ସୂଚନା ଦେଇଥିଲେ। ଆୟକର ବିଭାଗର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ ଏହି ସୂଚନା ଦେଇଛନ୍ତି। ଟିକସ ଫାଙ୍କିବା ପାଇଁ ବେନାମି ଓ କଳାଟଙ୍କା ଆଇନ ଅନୁଯାୟୀ ଆୟକର ବିଭାଗ ଏବେ ଉତ୍ତର ପୂର୍ବାଞ୍ଚଳର ତଫସିଲଭୁକ୍ତ ଜନଜାତି ଲୋଙ୍କଙ୍କ ନିକଟରେ ପହଞ୍ଚିଛି। ଏହି ବର୍ଗର ଲୋକମାନେ ଆୟକର ଆଇନର ଧାରା ୧୦(୨୬)ର ଅପବ୍ୟବହାର କରୁଛନ୍ତି। ଏହି ଆଇନ ଅନୁଯାୟୀ ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ତଫସିଲଭୁକ୍ତ ଜନଜାତିର ଲୋକଙ୍କ ପାଇଁ ଆୟକର ରିହାତି ଛାଡ଼ର ବ୍ୟବସ୍ଥା ରହିଛି। ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକ ମଧ୍ୟରେ ଅରୁଣାଚଳ ପ୍ରଦେଶ, ଆସାମ, ନାଗାଲାଣ୍ଡ, ମେଘାଳୟ, ମଣିପୁର, ମିଜୋରାମ ଏବଂ ତ୍ରିପୁରା ଆସୁଛି। ଆୟକର ଅଧିକାରୀଙ୍କ କହିବାନୁଯାୟୀ, ତଫସିଲଭୁକ୍ତ ଜନଜାତି ବର୍ଗର ଲୋକମାନେ ଗୌହାଟି, ଅଗରତାଲା, ଇମ୍ଫାଲ, ଦିଲ୍ଲୀ ଆଦି ସ୍ଥାନରେ ଘର ରହିଛି। ସେମାନେ ସେଠାରୁ ଭଡ଼ା ପାଉଛନ୍ତି। କିନ୍ତୁ ତାହାକୁ ଆୟକର ରିଟର୍ଣ୍ଣରେ ଉଲ୍ଲେଖ କରିନାହାନ୍ତି। ଏପରିକି କେତେକ ବ୍ୟକ୍ତିଙ୍କର ଗୌହାଟି ଏବଂ ଦିଲ୍ଲୀରେ ଥିବା ବ୍ୟାଙ୍କରେ ମିଆଦି ଜମା ରହିଛି। ଏହି ଜମା ଉପରେ ସେମାନେ ସୁଧ ପାଉଛନ୍ତି। ଏହାକୁ ମଧ୍ୟ ସେମାନେ ରିଟର୍ଣ୍ଣ ଫାଇଲ ବେଳେ ଦର୍ଶାଉନାହାନ୍ତି। ଅନ୍ୟ ଜଣେ ଆୟକର ଅଧିକାରୀଙ୍କ କହିବାନୁଯାୟୀ, ଆୟକର ବିଭାଗ ଏକ୍ଷେତ୍ରରେ ସତର୍କତାର ସହ କାର୍ଯ୍ୟ କରୁଛି। ଆଦିବାସୀମାମାନେ ଆୟକରରୁ ମୁକ୍ତ ବୋଲି ଯେଉଁ ଧାରଣା ରହିଛି ତାହାକୁ ବଦଳାଇବା ପାଇଁ ବିଭାଗର ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର