ଆୟକର ଆଦାୟ ୧୫ ବର୍ଷରେ ୧୦ ଗୁଣ ବୃଦ୍ଧି

ଭୁବନେଶ୍ୱର: ବିଗତ ଦଶନ୍ଧୀରେ ଭାରତ ଉଚ୍ଚ ଅଭିବୃଦ୍ଧି ହାସଲ କରିଥିବା ବେଳେ ଦେଶବାସୀଙ୍କ ଆୟରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ହୋଇଛି। ଲୋକମାନଙ୍କ ପାଖରେ ଅଧିକ ଧନରାଶି ପହଞ୍ଚିଛି। ଦେଶରେ ଆଦାୟ ହେଉଥିବା ଆୟକର ତଥ୍ୟରେ ଏହା ସ୍ପଷ୍ଟ ପ୍ରତିଫଳିତ ହେଉଛି। ବିଗତ ୧୫ ବର୍ଷ ଭିତରେ ଦେଶର ଆୟକର ଆଦାୟ ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଛି। ଏହି ୧୫ ବର୍ଷ ଭିତରେ ଆୟକର ଆଦାୟରେ ୧୦ ଗୁଣ ବୃଦ୍ଧି ହୋଇଛି। ୨୦୦୨-୦୩ ପର୍ଯ୍ୟନ୍ତ ଭାରତରେ ଆୟକର ଆଦାୟ ୮୩ ହଜାର କୋଟି ଟଙ୍କାରେ ସୀମିତ ଥିଲା। ପ୍ରଥମ ଥର ପାଇଁ ୨୦୦୩-୦୪ରେ ଆୟକର ଆଦାୟ ଲକ୍ଷେ କୋଟି ଟଙ୍କାର ସ୍ତର ଟପିଥିଲା। ସେହିବର୍ଷଠାରୁ ଆୟକର ଆଦାୟରେ କ୍ରମାଗତ ଭାବେ ବୃଦ୍ଧି ହେଉଛି। ୨୦୧୭-୧୮ରେ ରେକର୍ଡ ୧୦.୦୩ ଲକ୍ଷ କୋଟି ଟଙ୍କାର ଆୟକର ଆଦାୟ ହୋଇଛି। ପ୍ରଥମ ଥର ପାଇଁ ଦେଶରେ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଆୟକର ଆଦାୟ ହୋଇଛି। ଆୟକର ବିଭାଗର ତଥ୍ୟ କହୁଛି, ୨୦୦୦-୦୧ରେ ଭାରତରେ ୬୮, ୩୦୫ କୋଟି ଟଙ୍କାର ଆୟକର ଆଦାୟ ହୋଇଥିଲା। ୨୦୧୬-୧୭ ବେଳକୁ ଆୟକର ଆଦାୟ ପରିମାଣ ବହୁ ଗୁଣ ବୃଦ୍ଧି ପାଇ ୮, ୪୯,୮୧୮ କୋଟି ଟଙ୍କା ହୋଇଯାଇଥିଲା। କେବଳ ସର୍ବଭାରତୀୟ ସ୍ତର ନୁହେଁ, ଓଡ଼ିଶାରେ ମଧ୍ୟ ଆୟକର ଆଦାୟରେ ଯଥେଷ୍ଟ ବୃଦ୍ଧି ଦେଖିବାକୁ ମିଳିଛି। ଓଡ଼ିଶାରେ ଆୟକର ଆଦାୟ ପରିମାଣ ୨୦୧୭-୧୮ରେ ୧୦ ହଜାର କୋଟି ଟଙ୍କାରୁ ଅଧିକ ହୋଇଯାଇଛି। ୨୦୦୮-୦୯ରେ ରାଜ୍ୟର ଆୟକର ଆଦାୟ ପରିମାଣ ୫୧୨୬.୯ କୋଟି ଟଙ୍କା ଥିଲା। ବିଗତ ୯ ବର୍ଷ ଭିତରେ ଏଥିରେ ପାଖାପାଖି ଦୁଇ ଗୁଣ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ରାଜ୍ୟରେ ୨୦୧୩-୧୪ ଓ ୨୦୧୪-୧୫ରେ ଆୟକର ଆଦାୟ ଉତ୍ସାହଜନକ ରହିଥିଲା। ୨୦୧୫-୧୬ରେ ହଠାତ୍‌ ସେଥିରେ ପାଖାପାଖି ଦୁଇ ହଜାର କୋଟି ଟଙ୍କାର ହ୍ରାସ ଦେଖିବାକୁ ମିଳିଥିଲା। ୨୦୧୬-୧୭ରେ ପୁଣି ଉତ୍ସାହ ଫେରିଥିଲା ଓ ସେହିବର୍ଷ ୯୩୩୯.୨୧ କୋଟି ଟଙ୍କାର ଆୟକର ଆଦାୟ ହୋଇଥିଲା।

ଦେଶରେ ବ୍ୟକ୍ତିଗତ ଆୟକର ରିଟର୍ଣ୍ଣ ଦାଖଲ କରୁଥିବା ଲୋକଙ୍କ ସଂଖ୍ୟାରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ହୋଇଛି। ୨୦୧୨-୧୩ରେ ଏଭଳି ଲୋକଙ୍କ ସଂଖ୍ୟା ୪.୪୩ କୋଟି ଥିଲା। ୨୦୧୭-୧୮ ସୁଦ୍ଧା ସେମାନଙ୍କ ସଂଖ୍ୟା ୬.୯୨ କୋଟିକୁ ବୃଦ୍ଧି ପାଇଛି। ବିମୁଦ୍ରାକରଣ ଘୋଷଣା ଓ ଜିଏସ୍‌ଟି ଯୋଗୁ ଆୟକର ରିଟର୍ଣ୍ଣ ଦାଖଲ କରୁଥିବା ଲୋକଙ୍କ ସଂଖ୍ୟା ବହୁତ ବଢ଼ିଛି ବୋଲି ସରକାର ଦାବି କରୁଛନ୍ତି।

ଆୟକର ଆଦାୟରେ ହେଉଥିବା ବୃଦ୍ଧି ଯୋଗୁ ଦେଶର ଟିକସ-ଜିଡିପି ଅନୁପାତରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଛି। ୨୦୧୬-୧୭ରେ ଟିକସ-ଜିଡିପି ଅନୁପାତ ୧.୨୨%ରେ ପହଞ୍ଚିଛି। ଏହାର ପୂର୍ବ ଦୁଇ ଆର୍ଥିକ ବର୍ଷରେ ଟିକସ-ଜିଡିପି ଅନୁପାତ ଯଥାକ୍ରମେ ୦.୮୬% ଓ ୦.୮୦% ଥିଲା।

କିଭଳି ବଦଳିଛି ଚିତ୍ର ଆର୍ଥିକ ବର୍ଷ ଭାରତ(କୋଟି ଟ.) ଓଡ଼ିଶା (କୋଟି.ଟ)

 

ସମ୍ବନ୍ଧିତ ଖବର