ଆୟକର ବିଭାଗର ଆଉଟ୍‌ରିଚ୍ କାର୍ଯ୍ୟକ୍ରମ: ସେପ୍ଟେମ୍ବରରୁ ଟ୍ରଷ୍ଟ ପଞ୍ଜୀକରଣ ଯାଞ୍ଚ ଆରମ୍ଭ ହେବ

ଭୁବନେଶ୍ବର: ଦାତବ୍ୟ କାର୍ଯ୍ୟ କରୁଥିବା ଟ୍ରଷ୍ଟ୍‌ଗୁଡ଼ିକୁ ଥରେ ଆୟକର ବିଭାଗରେ ପଞ୍ଜୀକରଣ କଲେ ତାହା ସବୁଦିନ ବୈଧ ରହିବ ନାହିଁ। ନିୟମିତ ବ୍ୟବଧାନରେ ସେମାନଙ୍କୁ ପଞ୍ଜୀକରଣର ନବୀକରଣ କରିବାକୁ ପଡ଼ିବ। ପୁରୁଣା ବ୍ୟବସ୍ଥାରେ ସରକାର ପରିବର୍ତ୍ତନ କରିଛନ୍ତି। ଏବେ ଅନ୍‌ଲାଇନ୍‌ରେ ଟ୍ରଷ୍ଟ୍‌ଗୁଡ଼ିକର ପଞ୍ଜୀକରଣ ଗ୍ରହଣ କରାଯାଉଛି। ଚଳିତ ବର୍ଷ ସେପ୍ଟେମ୍ବର ଠାରୁ ପଞ୍ଜୀକରଣ ଆବେଦନଗୁଡ଼ିକର ଯାଞ୍ଚ ଆରମ୍ଭ ହେବ ବୋଲି ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ (ଏକ୍‌ଜେମ୍ପ୍‌ସନ୍ସ), ନୂଆଦିଲ୍ଲୀ ରଶ୍ମୀ ସକ୍‌ସେନା ସାହାଣୀ କହିଛନ୍ତି। ପୁରୁଣା ଟ୍ରଷ୍ଟ୍‌ଗୁଡ଼ିକୁ ପୁନଃ ପଞ୍ଜୀକରଣ କରିବାକୁ ପଡ଼ିବ ଓ ନୂଆ ଟ୍ରଷ୍ଟ୍‌ମାନଙ୍କୁ ଅସ୍ଥାୟୀ ପଞ୍ଜୀକରଣ ଗ୍ରହଣ କରିବାକୁ ହେବ ବୋଲି ସେ କହିଛନ୍ତି। ନିୟମରେ ରହିଥିବା ବ୍ୟବସ୍ଥାକୁ ଠିକ୍ ଭାବେ ପାଳନ ନକଲେ ପଞ୍ଜୀକରଣ ବାତିଲ କରିବା ଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ୩୦%ର ଟିକସ ଲାଗୁ କରାଯିବ।

ଆଜି ଆୟକର ଭବନ ଆନେକ୍ସ ପରିସରରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ଓ ଟିକସଦାତାମାନଙ୍କ ପାଇଁ ଆୟୋଜିତ ଆଉଟ୍‌ରିଚ୍ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀମତୀ ସା‌ହାଣୀ କହିଛନ୍ତି ଦେଶରେ କାର୍ଯ୍ୟ କରୁଥିବା ଟ୍ରଷ୍ଟ୍‌ଗୁଡ଼ିକର କୌଣସି ଡାଟାବେସ୍ ଆୟକର ବିଭାଗ ପାଖରେ ନାହିଁ। କିନ୍ତୁ ପ୍ରାୟ ସାଢ଼େ ତିନି ଲକ୍ଷ ଟ୍ରଷ୍ଟ୍‌ ବାର୍ଷିକ ରିଟର୍ଣ୍ଣ ଦାଖଲ କରୁଛନ୍ତି। ଏକ ବ୍ୟବସ୍ଥିତ ଡାଟାବେସ୍ ପ୍ରସ୍ତୁତ କରିବା ଲାଗି ଅନ୍‌ଲାଇନ୍‌ରେ ସେମାନଙ୍କ ପଞ୍ଜୀକରଣ ଆରମ୍ଭ କରାଯାଇଛି। କେଉଁ କ୍ଷେତ୍ରରେ କେଉଁ ଟ୍ରଷ୍ଟ କାର୍ଯ୍ୟ କରୁଛି ଓ ତାହା କେତେ ପାଣ୍ଠି ପାଉଛି ଓ ସେଥିରୁ କେତେ ବ୍ୟୟ କରୁଛି ସେହି ସବୁ ତଥ୍ୟ ବିଭାଗ ପାଖରେ ପହଞ୍ଚିପାରିବ। ଯେହେତୁ ଦେଶର ୪୦ ପ୍ରତିଶତ ଟ୍ରଷ୍ଟ୍‌ ଅର୍ଦ୍ଧ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଛନ୍ତି, ତେଣୁ ସେମାନଙ୍କୁ ଆୟକର ନିୟମରେ ହୋଇଥିବା ସଂଶୋଧନଗୁଡ଼ିକ ବିଷୟରେ ଅବଗତ କରିବା ଲାଗି ଏଭଳି ଆଉଟ୍‌ରିଚ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଓଡ଼ିଶାର ବ୍ରହ୍ମପୁରରେ ମଧ୍ୟ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯିବାର ଯୋଜନା ରହିଛି ବୋଲି ସେ କହିଛନ୍ତି।

ଅଣ ଲାଭଜନକ ସଂସ୍ଥା ବା ଟ୍ରଷ୍ଟ୍‌ଗୁଡ଼ିକ ପାଇଁ ଫର୍ମ ଆଇଟିଆର୍‌-୭ ଦାଖଲର ଶେଷ ତାରିଖ ହେଉଛି ଜୁଲାଇ ୩୧। ଅଡିଟ୍ ହୋଇଥିବା ମାମଲାରେ ଅଡିଟ୍‌ ରିପୋର୍ଟ ସହ ରିଟର୍ଣ୍ଣ ଦାଖଲର ଶେଷ ତାରିଖ ହେଉଛି ଅକ୍ଟୋବର ୩୧। ସଠିକ୍ ତଥ୍ୟ ଦେଇ ରିଟର୍ଣ୍ଣ ଫାଇଲ୍ କରିବାରେ ସାହାଯ୍ୟ କରିବାକୁ ସେ ଉପସ୍ଥିତ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ମାନଙ୍କୁ ପରାମର୍ଶ ଦେଇଛନ୍ତି। ଯେହେତୁ ଅନ୍‌ଲାଇନ୍‌ ବ୍ୟବସ୍ଥା ଆରମ୍ଭ ହୋଇଛି, ତେଣୁ ରିଟର୍ଣ୍ଣ ଦାଖଲରେ ତ୍ରୁଟି ସୁଧାରିବାକୁ ବହୁ ସମୟ ଲାଗିଯିବ ବୋଲି ସେ କହିଛନ୍ତି। ଟ୍ରଷ୍ଟ୍‌କୁ ୨୫୦୦ ଟଙ୍କାରୁ ଅଧିକ ଦାନ କରୁଥିବା ବଦାନ୍ୟ ବ୍ୟକ୍ତିଙ୍କ ନାମ ଓ ଠିକଣା ଆଦି ତଥ୍ୟ ମଧ୍ୟ ଯୋଡ଼ିବାକୁ ନିୟମରେ ପରିବର୍ତ୍ତନ ହୋଇଛି ବୋଲି ସେ ମନେ ପକାଇ ଦେଇଛନ୍ତି। ଦାନର ବାର୍ଷିକ ଷ୍ଟେଟ୍‌ମେଣ୍ଟ୍‌ ଓ ଡୋନେସନ୍ ସାର୍ଟିଫିକେଟ୍ ଦାଖଲ କରିବାକୁ ପଡ଼ିବ। ହିସାବ ଖାତାକୁ ଠିକ୍ ଭାବେ ପ୍ରସ୍ତୁତ ରଖିବାକୁ ‌ମଧ୍ୟ ସେ ଟ୍ରଷ୍ଟଗୁଡ଼ିକୁ କହିଛନ୍ତି। ମନରେ ରହୁଥିବା ଦ୍ବନ୍ଦ୍ବ ଦୂର କରିବା ଲାଗି ଆୟକର ବିଭାଗ ସହ ଯୋଗାଯୋଗରେ ରହିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଆୟକର ଆୟୁକ୍ତ (ଏକ୍‌ଜେମ୍ପ୍‌ସନ୍ସ) ବି ବାଲାକ୍ରିଷ୍ଣ, ଯୁଗ୍ମ ଆୟକର ଆୟୁକ୍ତ ଗୁରପ୍ରୀତ ସିଂହ, ଆୟକର ଉପ ଆୟୁକ୍ତ ନାଥୋ ଓରାମ ଓ ଆୟକର ଅଧିକାରୀ (ଏକ୍‌ଜେମ୍ପ୍‌ସନ୍ସ) ଆର୍‌ ଏନ୍ ଶତପଥୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର