ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ଆଜି ‘୨୦୨୩-୨୪ କେନ୍ଦ୍ରୀୟ ବଜେଟ୍’କୁ ଅନୁମୋଦନ କରିଥିଲା। ୧୫ ମିନିଟ୍ ମଧ୍ୟରେ ଆଜିର ଏହି କ୍ୟାବିନେଟ୍ ବୈଠକ ଶେଷ ହୋଇଥିଲା।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନିଜର ସାଧାରଣ ବଜେଟରେ ଏକ ବଡ଼ ଘୋଷଣା କରିଛନ୍ତି । ସେ ବ୍ୟକ୍ତିଗତ ଆୟକର ସୀମାକୁ ବୃଦ୍ଧି କରି ସାଧାରଣ ମଧ୍ୟବିତ୍ତ ବର୍ଗଙ୍କୁ ଖୁସି କରିବାକୁ ଉଦ୍ୟମ କରିଛନ୍ତି।ନୂଆ ଟିକସ ବ୍ୟବସ୍ଥା ଅନୁସାରେ ଆୟକର ଛାଡ଼ସୀମାକୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ଫଳର ବାର୍ଷିକ ୩ ଲକ୍ଷ ଟଙ୍କାର ଆୟ ଉପରେ କୌଣସି ଆୟକର ଦେବାକୁ ପଡ଼ିବ ନାହିଁ ।
ଏଥିସହିତ ଆୟକର ରିହାତି ସୀମା ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଯାହାକି ପୂର୍ବରୁ ୫ ଲକ୍ଷ ଟଙ୍କା ଥିଲା । ଅର୍ଥାତ ଯଦି ଜଣେ ବ୍ୟକ୍ତିର ବାର୍ଷିକ ଆୟ ୭ ଲକ୍ଷ ଟଙ୍କା ରହିଛି ସେ ଆୟକର ରିହାତି ପାଇପାରିବେ । ଆୟ ୭ ଲକ୍ଷ ଟଙ୍କାରୁ ଅଧିକ ହେଲେ କୌଣସି ରିହାତି ମିଳିବ ନାହିଁ ।
ଏହି କ୍ରମରେ ସୋସିଆଲ ମିଡିଆରେ ୧୯୯୨ ମସିହାର ଆୟକର ସୀମାର ଏକ ଚିଠା ଭାଇରାଲ ହୋଇଛି। ଯେଉଁଥିରେ ଦେଖିବାକୁ ମିଳୁଛି ସେ ସମୟରେ କେତେ ଟଙ୍କା ଆୟରେ କେତେ ଟଙ୍କା ଆୟକର ଥିଲା।
ଏହି ଫଟୋକୁ ଟୁଇଟର ଇଣ୍ଡିଆ ହିଷ୍ଟ୍ରି ପିକ ନାମକ ପେଜରୁ ପୋଷ୍ଟ କରାଯାଇଛି। ଏଥିରେ କ୍ୟାପସନ ଲେଖାହୋଇଛି କି, ୧୯୯୨ର ବଜେଟରେ ନୂଆ ଆୟକର ସୀମା। ବାର୍ଷିକ ୨୮୦୦୦ଟଙ୍କା ପର୍ଯ୍ୟନ୍ତ କୌଣସି ଆୟକର ନାହିଁ। ୨୮୦୦୧ରୁ ୫୦୦୦୦ ଟଙ୍କା ପର୍ଯ୍ୟନ୍ତ ୨୦ ପ୍ରତିଶତ ଆୟକର ରହିଥିଲା। ସେହିପରି ୫୦୦୦୧ରୁ ୧୦୦୦୦୦ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ ୩୦ ପ୍ରତିଶତ ଆୟକର ରହିଥିବା ବେଳେ ଏକଲକ୍ଷରୁ ଅଧିକ ଆୟ ଉପରେ ୪୦ ପ୍ରତିଶତ ଆୟକର ରହିଥିଲା।
ଏହି ଫଟୋ ଯେମିତି ଭାଇରାଲ ହୋଇଛି, ଲୋକେ ପ୍ରତିକ୍ରିୟା ଦେଇ କହୁଛନ୍ତି, ‘୩୦ବର୍ଷର ବଜେଟ ଓ ଆଜିର ବଜେଟ ଭିତରେ ଆକାଶ-ପାତାଳ ପାର୍ଥକ୍ୟ ହୋଇଯାଇଛି।’
1992 :: New Income Tax Slabs In Budget
Up to Rs 28000 – Nil
Rs 28001 to 50000 – 20%
Rs 50001 to Rs 100000 – 30%
Above 1 Lac – 40% Income Tax
( Photo – Indian Express ) pic.twitter.com/nd8h7czxyF
— indianhistorypics (@IndiaHistorypic) February 1, 2023
ନୂଆ ଟିକସ ବ୍ୟବସ୍ଥା ଅନୁସାରେ ୩ ଲକ୍ଷରୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୫ ପ୍ରତିଶତ, ୬ରୁ ୯ ଲକ୍ଷ ଟଙ୍କାର ଆୟ ଉପରେ ୧୦ ପ୍ରତିଶତ, ୯ରୁ ୧୨ ଲକ୍ଷ ଟଙ୍କା ଆୟ ଉପରେ ୧୫ ପ୍ରତିଶତ ଓ ୧୨ରୁ ୧୫ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ ୨୦ ପ୍ରତିଶତ ଆୟକର ପଡ଼ିବ । ୧୫ ଲକ୍ଷରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଆୟକର ଆଦାୟ ହେବ ।