ଆୟକର ଦିବସରେ ‘ଟିକସ ପାଇଁ ଦୌଡ଼’

ଭୁବନେଶ୍ବର:  ଆୟକର ବିଭାଗ ଓଡ଼ିଶା ମଣ୍ଡଳ ପକ୍ଷରୁ ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ପ୍ରଣବ କୁମାର ଦାସଙ୍କ ନେତୃତ୍ବରେ ଆୟକର ଦିବସ ପାଳନ କରାଯାଇଛି। ବିଭାଗ ପକ୍ଷରୁ ଆଜି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସକାଳ ପ୍ରହରରେ କଳିଙ୍ଗ ଷ୍ଟାଡିୟମ୍ ଠାରୁ ଆୟକର ଭବନ ପର୍ଯ୍ୟନ୍ତ ‘ଟ୍ୟାକ୍ସାଥନ୍-ଟିକସ ପାଇଁ ଦୌଡ଼’ ଆୟୋଜନ କରାଯାଇଥିଲା ଯେଉଁଥିରେ ୨୫୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। କିସ୍ ଓ ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲର ଛାତ୍ରଛାତ୍ରୀମାନେ ମଧ୍ୟ ଏଥିରେ ଭାଗ ନେଇଥିଲେ। ଏହା ପରେ ଆୟକର ଭବନରେ ରେଡ୍‌ କ୍ରସ୍ ସହଯୋଗରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ଯେଉଁଥିରେ ୬୫ ଜଣ କର୍ମଚାରୀ ରକ୍ତଦାନ କରିଥିଲେ।
ଆଜି ଆୟକର ବିଭାଗ ପକ୍ଷରୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଏକ ରୋଗୀଙ୍କ ସହ ଭାବ ବିନିମୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବିଭାଗର କର୍ମଚାରୀମାନେ ୪୦୦ରୁ ଅଧିକ ରୋଗୀଙ୍କୁ‌ ଭେଟିଥିଲେ। ଏହା ପରେ ଆୟକର ଅଧିକାରୀଙ୍କ ଏକ ଟିମ୍ ଭିଏସ୍‌ଏସ୍‌ ନଗରର ୟୁଜିୟୁପି ସ୍କୁଲ୍ ପରିଦର୍ଶନ କରି ସ୍କୁଲ୍‌କୁ ଫ୍ୟାନ୍, ବ୍ଲାକ୍‌ବୋର୍ଡ, ଲାଉଡ୍‌ ସ୍ପିକର୍, ଚୌକି ଓ ଆଲମିରା ଆଦି ଦାନ କରିଥିଲେ।
ସନ୍ଧ୍ୟାରେ ଆୟକର ଭବନରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ଆୟକର ଦିବସକୁ ନେଇ ଆୟୋଜନ କରାଯାଇଥିବା ବିଭିନ୍ନ ପ୍ରତି‌ଯୋଗିତାର ବିଜେତାଙ୍କୁ ପୁରସ୍କୃତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ଶ୍ରୀ ଦାସଙ୍କ ସମେତ ରାଜ୍ୟ ମୁଖ୍ୟ ସୂଚନା ଅଧିକାରୀ ସୁନୀଲ କୁମାର ମିଶ୍ର, ମୁଖ୍ୟ ଆୟୁକ୍ତ (ଜିଏସ୍‌ଟି, କେନ୍ଦ୍ରୀୟ ଉତ୍ପାଦନ ଓ ସୀମା ଶୁଳ୍କ), ଭୁବନେଶ୍ବର ଜୋନ୍ ନରେଶ ପେନୁମାକା, ନିର୍ମଳ କୃ୍ତି ବିକାଶ ଟ୍ରଷ୍ଟ୍‌ର ଦିଲ୍ଲୀପ ପଟ୍ଟନାୟକ ଓ ଓଡ଼ିଶା ପତିତା ଉଦ୍ଧାର ସମିତିର ସମ୍ପାଦିକା ଆଭାରାଣୀ ଚୌଧୁରୀ ଉପସ୍ଥିତ ଥିଲେ। ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ସମ୍ବନ୍ଧିତ ଖବର