ନୂଆଦିଲ୍ଲ: ଫ୍ରିଜ୍ ଏବଂ ଏସି ଉତ୍ପାଦନରେ ବ୍ୟବହାର କରାଯାଉଥିବା କଞ୍ଚାମାଲଗୁଡ଼ିକର ଦର ବଢ଼ିଯାଇଛି। ଫଳରେ ଏହି ସବୁ ସାମଗ୍ରୀ ଉତ୍ପାଦନ କରୁଥିବା କଂପାନିଗୁଡ଼ିକର ଉତ୍ପାଦନ ଖର୍ଚ ବହୁତ ବଢ଼ିଯାଇଛି। ବ୍ୟବସାୟ ଖର୍ଚରେ ସନ୍ତୁଳନ ଆଣିବା ପାଇଁ କେତେକ କଂପାନି ଫ୍ରିଜ୍ ଏବଂ ଏସି ମୂଲ୍ୟ ବଢ଼ାଇବାକୁ ଯୋଜନା ରଖିଛନ୍ତି। ଆସନ୍ତା ମାସରୁ ଏସି ଏବଂ ଫ୍ରିଜ୍ ମୂଲ୍ୟରେ ୩-୬% ଭଳି ବୃଦ୍ଧି ହୋଇପାରେ।
ନଭେମ୍ବର ଏବଂ ଡିସେମ୍ବର ଏହି ଦୁଇ ମାସରେ ବିଭିନ୍ନ କଂପାନି ପକ୍ଷରୁ ଏହି ଦୁଇ ପ୍ରକାର ସାମଗ୍ରୀର ମୂଲ୍ୟ ବୃଦ୍ଧି କରାଯାଇପାରେ। ଯେଉଁ ସାମଗ୍ରୀର କଞ୍ଚାମାଲ ମୂଲ୍ୟ ଯେତିକି ବଢ଼ିଛି, ତାହାର ଚୂଡ଼ାନ୍ତ ଏମ୍ଆର୍ପିରେ ସେହି ଅନୁପାତରେ ବୃଦ୍ଧି ହେବ।
ଗୋଦରେଜ୍ ଆପ୍ଲାଏନ୍ସେସ୍ ଏହାର ଫ୍ରିଜ୍ ଏବଂ ଏସି ମୂଲ୍ୟ ବଢ଼ାଇବ ବୋଲି ଏହାର କାର୍ଯ୍ୟନିର୍ବାହୀ ଉପସଭାପତି କମଲ ନନ୍ଦୀ କହିଛନ୍ତି। ସେ କହିଛନ୍ତି ଯେ ଚଳିତ ବର୍ଷ ଜାନୁଆରି ପରଠାରୁ ଅନେକ କଞ୍ଚାମାଲ୍ର ମୂଲ୍ୟ ବଢ଼ିଛି। କିନ୍ତୁ ଉତ୍ସବ ଋତୁକୁ ଦୃଷ୍ଟିରେ ରଖି କଂପାନି ଦର ବୃଦ୍ଧି ଘୋଷଣା କରିନଥିଲା।
ଚଳିତ ବର୍ଷ ଜାନୁଆରି ପରଠାରୁ ଫ୍ରିଜ୍ ଏବଂ ଏସି ନିର୍ମାଣରେ ବ୍ୟବହାର ହେଉଥିବା ଇସ୍ପାତ ମୂଲ୍ୟ ୧୦-୧୫% ବଢ଼ିଥିବା ବେଳେ ପ୍ଲାଷ୍ଟିକ୍ ୬-୭% ମହଙ୍ଗା ହୋଇଛି। ତମ୍ବା ମୂଲ୍ୟରେ ୪୦-୪୫% ବୃଦ୍ଧି ହୋଇଛି। ଏମ୍ଡିଆଇ ନାମକ ରାସାୟନିକ ପଦାର୍ଥ ମୂଲ୍ୟରେ ୧୪୦% ଭଳି ବୃଦ୍ଧି ହୋଇଛି। ଏହା ବ୍ୟତୀତ ଟିକସ ଢ଼ାଞ୍ଚାରେ ହୋଇଥିବା ପରିବର୍ତ୍ତନ ମଧ୍ୟ କଂପାନିଗୁଡ଼ିକୁ ପ୍ରଭାବିତ କରିଛି। ପୂର୍ବରୁ ଫ୍ରିଜ୍ ଏବଂ ଏସି ଉପରେ କଂପାନିଗୁଡ଼ିକୁ ୨୩-୨୫% ହାରରେ ଟିକସ ଦେବାକୁ ପଡ଼ୁଥିଲା। ମାତ୍ର ଜିଏସ୍ଟି ଲାଗୁ ହେବା ପରେ ଟିକସ ମାତ୍ରା ୨୮%କୁ ବୃଦ୍ଧି ପାଇଛି। ଏସବୁ ସତ୍ତ୍ୱେ କଂପାନିଗୁଡ଼ିକ ସାମଗ୍ରୀ ମୂଲ୍ୟରେ ଏ ପର୍ଯ୍ୟନ୍ତ କୌଣସି ବୃଦ୍ଧି କରିନାହାନ୍ତି। ଏହି ମୂଲ୍ୟ ବୃଦ୍ଧିକୁ ଅଧିକ ଦିନ ସମ୍ଭାଳି ହେବ ନାହିଁ ବୋଲି ଇଲେକ୍ଟ୍ରୋନିକ୍ସ ଉପକରଣ ନିର୍ମାଣ କରୁଥିବା କଂପାନିଗୁଡ଼ିକ ସଙ୍କେତ ପ୍ରଦାନ କରିଛନ୍ତି।